ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ

ଯୋଡ଼ା/ବାମେବାରୀ : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ରୁଙ୍ଗଟା ଖଣି କମ୍ପାନି କଲୋନିର ଏକ କ୍ବାର୍ଟର୍ସରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଭୟଙ୍କ ମୃତ୍ୟୁ ସନ୍ଦେହଜନକ ଥିବା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ କହୁଛି। ପାରିବାରିକ ଝଗଡ଼ାକୁ ‌ନେଇ ସ୍ବାମୀ-ସ୍ତ୍ରୀ ପରସ୍ପରକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ବୋଲି ଭାରପ୍ରାପ୍ତ ଥାନା ଅଧିକାରୀ ପରେଶ ଚନ୍ଦ୍ର ମହାନ୍ତି ପ୍ରକାଶ କରିଛନ୍ତି। ଏ‌ ନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଥାନାଧିକାରୀ ଶ୍ରୀ ମହାନ୍ତିଙ୍କ ସୂଚନା ଅନୁସାରେ, ମୃତ ସୁଜିତ କୁମାର ହେମ୍ବ୍ରମ (୪୪) ବଳଦା ପଞ୍ଚାୟତ ସିଲ୍‌ଯୋଡ଼ା ଗ୍ରାମର ବାସିନ୍ଦା। ସେ ରୁଙ୍ଗଟା ଖଣି‌େର ମେକାନିକାଲ ମ୍ୟାନେଜର ଭାବେ ଦୀର୍ଘ ୧୫ ବର୍ଷ ହେଲା ଚାକିରି କରୁଥିଲେ। ପତ୍ନୀ ବେରୋନିକା (୩୮), ଝିଅ ଏଲିଜାବେଥ୍‌ ଓ ପୁଅ ଆନ୍ଥୋନିଙ୍କୁ ନେଇ ତାଙ୍କ ପରିବାର। ଝିଅ ଯୁକ୍ତ ୩ରେ ପଢ଼ୁଥିବା ବେଳେ ପୁଅ ଚୁମ୍ପଆର ଏକ ହଷ୍ଟେଲରେ ରହି ନବମ ଶ୍ରେଣୀରେ ପଢ଼ୁଛନ୍ତି। ଗତକାଲି ସନ୍ଧ୍ୟା ୭ଟା ବେଳେ ସୁଜିତ ଓ ବେରୋନିକାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ବାପା-ମା’ଙ୍କ ଝଗଡ଼ା ଦେଖି ଝିଅ ଏଲିଜାବେଥ୍‌ ରାତିରେ କିଛି ନଖାଇ ଅନ୍ୟ ଏକ ଘରେ ଶୋଇପଡ଼ିଥିଲେ। ସକାଳେ ଡ୍ରାଇଭର ଆସି କଲିଂ ବେଲ୍‌ ମାରିଥିଲେ। ଘରୁ କେହି ନବାହାରିବାରୁ ଝିଅ ଏଲିଜାବେଥ୍‌ଙ୍କୁ ଡାକିଥିଲେ। ବାପା-ମା’ କବାଟ ଖୋଲୁନଥିବା ଏଲିଜାବେଥ୍‌ କହିଥିଲେ। ପରେ କମ୍ପାନିର ଅନ୍ୟ କର୍ମଚାରୀଙ୍କୁ ଡକାଯାଇଥିଲା। ବନ୍ଦ କୋଠରୀରେ ଉଭୟଙ୍କ ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦିଆଯାଇଥିଲା।

ସମ୍ବନ୍ଧିତ ଖବର