ପାଇକମାଳ/ନୂଆପଡ଼ା: ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍‌ ଝିଟିକି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ରାତିରେ ଶୋଇଥିବା ଅବସ୍ଥାରେ ବିଷାକ୍ତ ସାପ କାମୁଡ଼ାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ତାଙ୍କ ଦେଢ଼ବର୍ଷର ଶିଶୁ ପୁତ୍ର ସାପ କାମୁଡ଼ାରୁ

Advertisment

ବର୍ତ୍ତି ଯାଇଥିବାବେଳେ ମା’କ୍ଷୀର ଖାଇ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାଯାଇଛି।

ଘଟଣାରୁ ପ୍ରକାଶ, ଝିଟିକି ଗ୍ରାମର ଅକ୍ଷୟ ପ୍ରଧାନଙ୍କ ପୁଅ ଶଙ୍କର ପ୍ରଧାନ (୨୮ବର୍ଷ), ବୋହୂ ଶାନ୍ତି ପ୍ରଧାନ (୨୨ବର୍ଷ) ଓ ସେମାନଙ୍କର ଦେଢ଼ ବର୍ଷର ଶିଶୁପୁତ୍ର ବୁଧବାର ରାତିରେ ଘରେ ଶୋଇଥିଲେ। ରାତି ପ୍ରାୟ ଅଢ଼େଇଟା ସମୟରେ ଏକ ବିଷାକ୍ତ ଚିତି ସାପ ପ୍ରଥମେ ଶାନ୍ତିଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା। ସେ ପିମ୍ପୁଡ଼ି କାମୁଡ଼ିଥିବ ଭାବି ନିଜ ଛୁଆକୁ ସ୍ତନ୍ୟପାନ କରାଇ ଶୋଇ ପଡ଼ିଥିଲେ। କିଛି ସମୟରେ ପରେ ସାପଟି ଶଙ୍କରଙ୍କ ପିଠିକୁ ଚୋଟ ମାରିବାରୁ ସେ ଏହା ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ। ସକାଳେ ଉଭୟଙ୍କୁ ପରିବାରଲୋକେ ପାଇକମାଳ ଡାକ୍ତରଖାନାକୁ ଆଣିଥିଲେ। ଉଭୟଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଶିଶୁ ପୁତ୍ରକୁ ଚିକିତ୍ସା କରି ଅପରାହ୍ନରେ ଘରକୁ ପଠାଇଛନ୍ତି। ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବଦ୍ବୟକୁ ବ୍ୟବଚ୍ଛେଦ କରିଛି। ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ, ଶଙ୍କରଙ୍କ ମା’ ଗତବର୍ଷ ଆତ୍ମହତ୍ୟା କରିଥିଲେ। ଦେଢ଼ ବର୍ଷର ପୁତ୍ର ବର୍ତ୍ତମାନ ଅଜା ଅକ୍ଷୟ ପ୍ରଧାନଙ୍କ ପାଖରେ ରହିଛି।