ବର୍ଷ ଆରମ୍ଭରୁ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ୍‌ ଚାପାରେ ଦମ୍ପତି ମୃତ

ସମ୍ବଲପୁର: ବର୍ଷ ଆରମ୍ଭରୁ ମର୍ମନ୍ତୁଦ ଦୁର୍ଘଟଣା। ଶୁକ୍ରବାର ସନ୍ଧ୍ୟାରେ ଧନୁପାଲି ଥାନା ଟାଙ୍ଗରପାଲି ବ୍ରିଜ ନିକଟରେ ଟ୍ରକ୍‌ ଚାପାରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସମ୍ବଲପୁର ସହରର ଦଳାଇପଡ଼ାର କହ୍ନେୟାଲାଲ୍‌ ସୋନି (୬୫) ଓ ପତ୍ନୀ ମୁନି ସୋନି (୬୦)। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଟ୍ରକ୍‌ ସହ ଅଇଁଠାପାଲି ଥାନାରେ ଯାଇ ଆତ୍ମ ସମର୍ପଣ କରିଛନ୍ତି। ଏନେଇ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଧନୁପାଲି ଥାନା ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଶନିବାର ଶବ ବ୍ୟବଚ୍ଛେଦ ହେବା ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ସହରର ଏକ ପରିବାର ଶୁକ୍ରବାର ସନ୍ଧ୍ୟାରେ ମନ୍ଦିର ବୁଲିବାକୁ ବାହାରିଥିଲେ। ପରିବାର ଅନ୍ୟ ସଦସ୍ୟ ଏକ କାରରେ ଯାଉଥିଲେ। ସୁନୀ ଦମ୍ପତି ସ୍କୁଟି(ଓଆର୍‌ ୧୫ ଆର୍‌ ୬୪୮୯)ରେ ମନ୍ଦିରରୁ ବାହାରି ୫୩ନଂ ଜାତୀୟ ରାଜପଥରେ ଅଇଁଠାପାଲିସ୍ଥିତ ନୂଆ ଘରକୁ ଯାଉଥିଲେ। ଏହି ସମୟ‌ରେ ଧନୁପାଲି ଥାନା ସରଲାକାନି ଛକରୁ ଟାଙ୍ଗରପାଲି ବ୍ରିଜ ମଧ୍ୟରେ କହ୍ନେୟାଲାଲ୍‌ଙ୍କ ସ୍କୁଟି ପିଚୁ ରାସ୍ତାର ବିଟ୍‌ ଉପରେ ଚଢ଼ି ଯାଇଥିଲା। ଫଳରେ ଭାରସାମ୍ୟ ହରାଇ ଦମ୍ପତି ସ୍କୁଟି ସହ ପଡ଼ିଯାଇଥିଲେ। ଏହି ସମୟରେ ପଛପଟରୁ ଅର୍ଥାତ ଦେବଗଡ଼ରୁ ଅଇଁଠାପାଲି ଅଭିମୁଖେ ଯାଉଥିବା ୧୦ ଚକିଆ ଟ୍ରକ୍‌(ଓଆର୍‌ ୧୫ ଏମ୍‌ ୩୪୩୮) ସେମାନଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଦମ୍ପତିଙ୍କର ମୃତ୍ୟୁ ଘଟିଥିଲା।

ସୂଚନା ପାଇ ଧନୁପାଲି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଦୁର୍ଘଟଣା ପରେ ରାସ୍ତା ଉପରେ ମୃତକଙ୍କ ହେଲମେଟ୍‌ ଖଣ୍ଡଖଣ୍ଡ ହୋଇ ପଡ଼ି ରହିଥିଲା। ଦୁର୍ଘଟଣାରୁ ବର୍ତ୍ତିବାକୁ ସେମାନେ ହେଲମେଟ ପିନ୍ଧିଥିଲେ ହେଁ ତାହା ସେମାନଙ୍କ ଜୀବନ ବଞ୍ଚାଇ ପାରିନଥିଲା।

ସମ୍ବନ୍ଧିତ ଖବର