ରାଉରକେଲା: ସ୍ବାମୀ-ସ୍ତ୍ରୀ ଦୁଇ ଜଣ ଯାକ କରୋନାରେ ଆକ୍ରାନ୍ତ ହୋଇଥିଲେ। ଉଭୟଙ୍କର ଅକ୍ସିଜେନ ମାତ୍ରା ହ୍ରାସ ପାଇଥିଲା। ଫଳରେ ଉଭୟଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଦିନେ କି ଦୁଇ ଦିନ ନୁହେଁ, ପ୍ରାୟ ୭ ଦିନ ଯାଏଁ ଅକ୍ସିଜେନ ସାହାରାରେ ହିଁ ରହିଥିଲେ ସ୍ବାମୀ-ସ୍ତ୍ରୀ। ତେବେ ଶେଷରେ ଉଭୟ କରୋନାକୁ ପରାସ୍ତ କରିବାରେ ସକ୍ଷମ ହୋଇଛନ୍ତି। ଗୁରୁତର ହୋଇପଡ଼ିଥିବା ସତ୍ତ୍ବେ ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତି ବଳରେ କରୋନା ବିଜୟୀ ହୋଇଥିବା ସଂପତି ହେଉଛନ୍ତି ସେକ୍ଟର-୪, ଡି’ ବ୍ଲକର ଇଉସାବିଓ ଡାଏସ୍(୫୨) ଓ ପତ୍ନୀ ମେଲିଶା ଡାଏସ୍(୪୩)। କରୋନା ବିରୋଧରେ ଲଢ଼େଇକୁ ମନେ ପକାଇ ଇଉସାବିଓ ବିସ୍ତୃତ ବଖାଣିଛନ୍ତି।

Advertisment

ପରିବାର କହିଲେ ସ୍ବାମୀ-ସ୍ତ୍ରୀ, ଗୋଟିଏ ପୁଅ(୧୨), ଗୋଟିଏ ଝିଅ(୧୦) ଓ ବୃଦ୍ଧା ମା’ ଫ୍ରିଷ୍ଟିନା(୭୩) ଗତ ଏପ୍ରିଲ ୧୬ ତାରିଖ ସଂଧ୍ୟାରେ ସାମାନ୍ୟ କାଶ ହୋଇଥିଲା। ଏଣୁ ଅଯଥା ବିଳମ୍ବ ନ କରି ୧୭ ତାରିଖରେ ସ୍ବାବ୍ ଟେଷ୍ଟ୍ କରାଇଥିଲି। ରିପୋର୍ଟ ପଜିଟିଭ୍ ଆସିବାପରେ ଘରେ ସଙ୍ଗରୋଧରେ ରହିଥିଲି। ଘରେ ରହିବାର ୫ ଦିନ ପରେ ହଠାତ୍ ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲି। ଅକ୍ସିଜେନ ମାତ୍ରା ୮୫ ତଳକୁ ଖସି ଆସିସାରିଥିଲା। ଏଣୁ ଏପ୍ରିଲ ୨୨ ତାରିଖରେ ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି ହୋଇଥିଲି। ସେଠାରେ ମୁଁ ଅକ୍ସିଜେନ ସାହାଯ୍ୟରେ ହିଁ ରହିଥିଲି। ମଝିରେ ସ୍ବାସ୍ଥ୍ୟାବସ୍ଥା ବହୁମାତ୍ରାରେ ବିଗିଡ଼ି ଯାଇଥିଲା। ଏମିତିକି ମୋତେ ଭୁବନେଶ୍ବର ସ୍ଥିତ ଆମ୍ରି ହସପିଟାଲକୁ ରେଫର୍ କରିଦେଇଥିଲେ। କିନ୍ତୁ ସେଠାରେ ଶଯ୍ୟା ନ ମିଳିବାରୁ ଏଠାରେ ହିଁ ରଖାଯାଇଥିଲା।

ଆଇଜିଏଚରେ ଉନ୍ନତମାନର ଚିକିତ୍ସା ଯୋଗୁଁ ମୁଁ ସୁସ୍ଥ ହୋଇ ଆସିବାବେଳକୁ ଗତ ୨୬ ତାରିଖରେ ପତ୍ନୀ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ତାଙ୍କର ବି ସ୍ବାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ତାଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା। ସେ ବି ଅକ୍ସିଜେନ ସାହାରାରେ ରହିଥିଲେ। ପତ୍ନୀ ଭର୍ତ୍ତି ହେବାର ଦୁଇ ଦିନ ପରେ, ଅର୍ଥାତ୍ ୨୮ ତାରିଖରେ ମୁଁ ସୁସ୍ଥ ହୋଇ ଘରକୁ ଫେରିଥିଲି। ଅପରପକ୍ଷେ ପତ୍ନୀ କିନ୍ତୁ ଚିକିତ୍ସାଧୀନ ଥିଲେ। ତେବେ ପତ୍ନୀ ଆକ୍ରାନ୍ତ ହେବାପରେ ଚିନ୍ତା ବଢ଼ିଯାଇଥିଲା। ଘରେ ଥିବା ଦୁଇ ନାବାଳକ ପୁଅ-ଝିଅ ଓ ବୃଦ୍ଧା ମା’ଙ୍କୁ ନେଇ ମନରେ ଯାବତୀୟ ଦୁଶ୍ଚିନ୍ତା ଆସିଥିଲା। କିନ୍ତୁ ପୁଅ-ଝିଅ-ମା’ଙ୍କର ରିପୋର୍ଟ ନେଗେଟିଭ୍ ଆସିବାପରେ ବହୁମାତ୍ରାରେ ଆଶ୍ବସ୍ତି ଅନୁଭବ କରିଥିଲି। ମାତ୍ର ପତ୍ନୀ ସୁସ୍ଥ ହୋଇନଥିବାରୁ ସବୁବେଳେ ଡର ଲାଗିରହିଥିଲା। ଶେଷରେ, ମେ’ ୧ ତାରିଖରେ ପତ୍ନୀ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଥିଲେ। ହସପିଟାଲରୁ ଘରକୁ ଫେରିବା ସତ୍ତ୍ବେ ସଙ୍ଗରୋଧରେ ରହିଥିଲୁ। ଆଇଜିଏଚର ବରିଷ୍ଠ ଡାକ୍ତର ବି.କେ. ମହାପାତ୍ରଙ୍କ ପରାମର୍ଶକ୍ରମେ ଔଷଧ ଖାଇଥିଲୁ।