ଜମିରେ ପାଣି ମଡ଼ାଇବା କାଳ ହେଲା : ବିଦ୍ୟୁତ୍‌ ଆଘାତରେ ଦମ୍ପତି ମୃତ

ଖୁଣ୍ଟୁଣୀ : କଟକ ଜିଲ୍ଲାର ଖୁଣ୍ଟୁଣୀ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। କଣ୍ଡରେଇ ପଞ୍ଚାୟତର ବାଉଁଶ ଟାଙ୍ଗର ମୌଜାରେ ବିଦ୍ୟୁତ୍‌ ଆଘାତରେ ନିରଞ୍ଜନ ଭୂଜବଳ(୪୩) ଓ ତାଙ୍କ ପତ୍ନୀ ନର୍ମଦା ଭୂଜବଳ (୩୫)ଙ୍କର ମୃତ୍ୟୁ ଘଟିଛି। ଚାଷ ଜମିରେ ପାଣି ମଡ଼ାଇବା ବେଳେ ଏଭଳି ଘଟଣା ଘଟିଥିବାବେଳେ ସ୍ୱାମୀଙ୍କୁ ବଂଚାଇବାକୁ ଯାଇ ପତ୍ନୀଙ୍କ ଜୀବନ ଯାଇଛି। ଅନ୍ୟପଟେ ଗତ ୧୫ଦିନ ମଧ୍ୟରେ ଏଭଳି ପମ୍ପରେ ଚାଷ ଜମିରେ ପାଣି ମଡ଼ାଇବାକୁ ଯାଇ ୩ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ ନିରଞ୍ଜନ ତାଙ୍କ ଘର ପଛପଟେ ଥିବା ଜମିରେ ଆଜକୁ ଦୀର୍ଘବର୍ଷ ହେଲା ଫସଲ କରୁଛନ୍ତି। ଚଳିତବର୍ଷ ଏହି ଜମିରେ ସେ କଖାରୁ ଓ ବାଇଗଣ ଫସଲ କରିଛନ୍ତି। ଆଜି ଦିନ ପ୍ରାୟ ୧୧ଟା ବେଳେ ନିରଞ୍ଜନ ବିଦ୍ୟୁତ ମଟର ଯୋଗେ ଏହି ଜମିରେ ପାଣି ମଡ଼ାଉଥିବା ବେଳେ ସେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ବିଦ୍ୟୁତ୍‌ ଆଘାତରେ ନିରଞ୍ଜନ ଘଟଣାସ୍ଥଳରେ ତଳେ ପଡ଼ିଯାଇଥିଲେ। କିଛି ସମୟ ପରେ ସ୍ୱାମୀ ନିରଞ୍ଜନଙ୍କୁ ଖୋଜି ସ୍ତ୍ରୀ ନର୍ମଦା ଘର ପଛପଟ ଫସଲ କିଆରିକୁ ଯିବା ବେଳେ ସ୍ୱାମୀଙ୍କୁ ତଳେ ପଡ଼ିଥିବା ଦେଖି ତାଙ୍କୁ ଧରି ପକାଇବାରୁ ସେ ମଧ୍ୟ ବିଦ୍ୟୁତ୍‌ ଆଘାତ ପାଇ ଚେତା ହରାଇ ତଳେ ପଡ଼ିଯାଇଥିଲେ।

ଏତିକିବେଳେ ନିରଞ୍ଜନଙ୍କ ପଡ଼ିଶା ଘରର ଜଣେ ପୁତୁରା ଏଭଳି ପରିସ୍ଥିତିରେ ଦୁହିଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିବା କ୍ଷଣି ବିଦ୍ୟୁତ୍‌ ଝଟକା ଖାଇଥିଲେ। ହେଲେ ସେ ଅଳ୍ପକେ ବର୍ତ୍ତିଯାଇଥିଲେ। ସେ ଘଟଣା ସମ୍ପର୍କରେ ତାଙ୍କ ପରିବାର ଓ ସାହି ପଡ଼ିଶା ଲୋକଙ୍କୁ ଜଣାଇଥିଲେ। ତୁରନ୍ତ ବିଦ୍ୟୁତ୍‌ ସଂଯୋଗ କାଟି ସ୍ଥାନୀୟ ଲୋକେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଉଦ୍ଧାର କରି ଏକ ବୋଲେରୋରେ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଖୁଣ୍ଟୁଣୀ ଥାନା ପୁଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର