କରୋନା ନେଲା ଦୁଇ ଦଂପତିଙ୍କ ଜୀବନ

ପତ୍ନୀ ମୃତ୍ୟୁର ୪ ଦିନ ପରେ ଆର୍‌ଏସ୍‌ପି କର୍ମଚାରୀଙ୍କ ମୃତ୍ୟୁ

ଗତ ସପ୍ତାହରେ ୩ ଘଣ୍ଟା ବ୍ୟବଧାନରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା

ରାଉରକେଲା: ହସ ଖୁସିର ପରିବାର। ପରିବାର କହିଲେ ସ୍ବାମୀ, ସ୍ତ୍ରୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ। ସବୁ କିଛି ଠିକ୍ ଚାଲିଥିଲା। କିଛି ଦିନ ପୂର୍ବେ ପତ୍ନୀଙ୍କ ନିକଟରେ କୋଭିଡ୍ ଲକ୍ଷଣ ଦେଖାଗଲା। ଏଣୁ ତୁରନ୍ତ ତାଙ୍କୁ ଇସ୍ପାତ ଜେନେରାଲ ହସପିଟାଲ(ଆଇଜିଏଚ୍)ରେ ଭର୍ତ୍ତି କରାଗଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା। ପତ୍ନୀଙ୍କ ବିୟୋଗ ଶୁଣି କରୋନା ଆକ୍ରାନ୍ତ ସ୍ବାମୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା। ଏଣୁ ତାଙ୍କୁ ମଧ୍ୟ ଆଇଜିଏଚ୍‌ରେ ଭର୍ତ୍ତି କରାଗଲା। ତେବେ ବିଧିର ବିଧାନ ଥିଲା ଅଲଗା। ପତ୍ନୀଙ୍କ ମୃତ୍ୟୁର ମାତ୍ର ୪ ଦିନ ପରେ ଆଜି ସ୍ବାମୀଙ୍କ ମୃତ୍ୟୁ ହୋଇଛି। ବାପା-ମା’ଙ୍କ ଅକାଳ ବିୟୋଗ ପରେ ଏବେ ଏକା ହୋଇଯାଇଛନ୍ତି ଡାକ୍ତରୀ ପଢ଼ୁଥିବା ପୁଅ ଓ ଯୁକ୍ତ ଦୁଇ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଝିଅ। କରୋନା ଯେ କେତେ ଯାତନା ଦେଇପାରେ, ଆଜି ତାହା ଇସ୍ପାତ ସହରରେ ଦେଖିବାକୁ ମିଳିଛି।

ରାଉରକେଲା ସେକ୍ଟର-୧୪ ଡି’ ବ୍ଲକରେ ବାସ କରନ୍ତି ଆର୍‌ଏସ୍‌ପି ଏସ୍ଏମ୍ଏସ୍-୨ (ବିଓଏଫ୍-ଅପରେସନ) ବିଭାଗର ମାଷ୍ଟର ଟେକ୍ନିସିଆନ କୃଷ୍ଣ ଚନ୍ଦ୍ର ବେହେରା(୪୭)। ପରିବାର କହିଲେ ପତ୍ନୀ ପ୍ରତିମା ବେହେରା(୪୦), ପୁଅ ଓ ଝିଅ। ପୁଅ ଏମ୍ସରେ ପ୍ରଥମ ବର୍ଷର ଡାକ୍ତର ଛାତ୍ରଥିବାବେଳେ ଝିଅ ସ୍ଥାନୀୟ ଏକ ଶିକ୍ଷାନୁଷ୍ଠାନର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀ। ଗତ ମେ’ ପହିଲାରେ ପତ୍ନୀ ପ୍ରତିମା କରୋନାରେ ଆକ୍ରାନ୍ତ ହୋଇଥିଲେ। ଏଣୁ ତାଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତ ୬ ତାରିଖରେ ତାଙ୍କର ପରଲୋକ ଘଟିଥିଲା। ପତ୍ନୀଙ୍କ ଦେହାନ୍ତ ଖବର ଶୁଣି କରୋନା ଆକ୍ରାନ୍ତ ହୋଇଥିବା କୃଷ୍ଣଚନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ଉକ୍ତ ଦିନ, ଅର୍ଥାତ୍ ଗତ ୬ ତାରିଖରେ ହିଁ ତାଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଦିନ ପ୍ରାୟ ସାଢ଼େ ୧୨ଟାରେ ତାଙ୍କର ପରଲୋକ ଘଟିଛି। ମାତ୍ର ୪ ଦିନର ବ୍ୟବଧାନରେ ସ୍ବାମୀ-ସ୍ତ୍ରୀଙ୍କ ଅକାଳ ବିୟୋଗ, ଶୋକ ଖେଳାଇଦେଇଛି। ଦୁଇ ପୁଅ-ଝିଅଙ୍କୁ ଦୁଶ୍ଚିନ୍ତା ଭିତରକୁ ଠେଲିଦେଇଛି।

ସେହିଭଳି ଗତ ୫ ତାରିଖରେ ମଧ୍ୟ ଆଉ ଏକ ଦଂପତିଙ୍କ ପରଲୋକ ହୋଇଥିଲା। ସ୍ବାମୀଙ୍କ ମୃତ୍ୟୁର ମାତ୍ର ୩ ଘଣ୍ଟାପରେ ପତ୍ନୀଙ୍କ ଅକାଳ ବିୟୋଗ ଘଟିଥିଲା। ମୃତକମାନେ ଥିଲେ ଉଦିତନଗର ସୁପର ସିଟି ବଜାର ନିକଟରେ ରହୁଥିବା କୈଳାଶ ପାରିଖ(୫୬) ଓ ପତ୍ନୀ ମଞ୍ଜୁ ପାରିଖ(୫୪)। ଶ୍ରୀ ପାରିଖ ଗତ ୨୮ ତାରିଖରେ କରୋନା ଆକ୍ରାନ୍ତ ହେବାପରେ ଜୟ ପ୍ରକାଶ କୋଭିଡ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଏହାର ଦୁଇ ଦିନ ପରେ, ଅର୍ଥାତ୍ ୧ ତାରିଖରେ ପତ୍ନୀ ମଞ୍ଜୁ ମଧ୍ୟ ଆକ୍ରାନ୍ତ ହୋଇ ଜୟ ପ୍ରକାଶ ହସପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତ ୫ ତାରିଖ ପୂର୍ବାହ୍ନ ପ୍ରାୟ ୯ଟାରେ ପ୍ରଥମେ କୈଳାଶଙ୍କ ପରଲୋକ ଘଟିଥିଲା। ସ୍ବାମୀଙ୍କ ମୃତ୍ୟୁର ୩ ଘଣ୍ଟା ପରେ, ପ୍ରାୟ ଦିନ ୧୨ଟାରେ ମଞ୍ଜୁଙ୍କ ପ୍ରାଣବାୟୂ ଉଡ଼ିଯାଇଥିଲା।

ସମ୍ବନ୍ଧିତ ଖବର