ବିଦ୍ୟୁତ ଆଘାତରେ ଦମ୍ପତି ମୃତ, ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ପତ୍ନୀଙ୍କ ପ୍ରାଣ ଗଲା

କୋରାପୁଟ/ସୁନାବେଡ଼ା : ସାତ ଜନ୍ମ ପାଇଁ ସାଥୀ ହୋଇ ରହିବେ ବୋଲି ଦଶ ଦିଗପାଳକଙ୍କୁ ସାକ୍ଷୀ ରଖି ଶପଥ ନେଇଥିଲେ। ଆଉ ଆଜି ଦୁହେଁ ହାତ ଧରାଧରି ‌ହୋଇ ଆରପାରିକୁ ଚାଲିଗଲେ। କୋରାପୁଟ ଜିଲ୍ଲା ସୁନାବେଡ଼ାରେ ବିଦ୍ୟୁତ ଆଘାତରେ ସ୍ବାମୀ-ସ୍ତ୍ରୀଙ୍କ ଅକାଳ ବିୟୋଗ ହୋଇଛି। ଲୁଗା ଶୁଖାଇବା ସମୟ‌ରେ ସ୍ବାମୀ ସୁଧାକର ବିଶ୍ବାଳଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ବେଳେ ତାଙ୍କୁ ବଞ୍ଚାଇବାକୁ ଯାଇଥିବା ପତ୍ନୀ ଚଞ୍ଚଳା ବିଶ୍ବାଳଙ୍କ ମଧ୍ୟ ମୃତ୍ୟୁ ହୋଇଛି।

ସୁନାବେଡ଼ା ପୌରପାଳିକାରେ କର ସଂଗ୍ରହକାରୀ ଭାବେ କାମ କରୁଥିବା ସୁଧାକର ବିଶ୍ବାଳ ସୁନାବେଡ଼ା ପୁଲିସ କଲୋନିରେ ରହୁଥିଲେ। ଆଜି ନିଜ ଗାଧୁଆ ଘରେ ଟଙ୍ଗା ଯାଇଥିବା ଗୋଟିଏ ତାର ଉପରେ ଓଦା ଲୁଗା ଶୁଖାଇବା ପାଇଁ ସୁଧାକର ଯାଇଥିବା ବେଳେ ହଠାତ ବିଦ୍ୟୁତ ଆଘାତ ପାଇଥିଲେ। ସ୍ବାମୀଙ୍କ ଚିତ୍କାର ଶୁଣି ପତ୍ନୀ ଚଞ୍ଚଳା ଧାଇଁ ଆସି ତାଙ୍କୁ ଟାଣି ଆଣିବାକୁ ଚେଷ୍ଟା କରି ସେ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହୋଇଯାଇଥିଲେ। ଦୁହେଁ ବିଦ୍ୟୁତ ଆଘାତ ପାଇ ଛିଟିକି ପଡ଼ିଥିଲେ। ଉଭୟଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଲୁଗା ଟଙ୍ଗା ଯାଇଥିବା ତାର ସହ ଇମର୍ସନ ହିଟରକୁ ବିଦ୍ୟୁତ ସଂଯୋଗ କରିଥିବା ଖୋଲା ତାର ଲାଗି ରହିଥିବା ଯୋଗୁଁ ଏହି ଅଘଟଣ ଘଟିଥିବା ଜଣାପଡିଛି।

ସୁଧାକର ଏବଂ ପତ୍ନୀ ଚଞ୍ଚଳା ସୁନାବେଡ଼ାରେ ରହୁଥିବା ବେଳେ ପୁଅ, ଝିଅ ବାହାରେ ରହୁଛନ୍ତି। ଘରେ ଥିବା ନାତୁଣୀ ଘଟଣା ନେଇ ପଡ଼ୋଶୀଙ୍କୁ ଜଣାଇବ‌ା ପରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଗତକାଲି ନିଜ ସହକର୍ମୀଙ୍କ ସହ ଧୁମଧାମ୍‌ରେ ନୂଆବର୍ଷକୁ ସ୍ବାଗତ କରିଥିଲେ ସୁଧାକର। ଗୋଟିଏ ଦିନ‌‌ରେ ଓ ଏକା ସମୟରେ ଦଂପତିଙ୍କ ମୃତ୍ୟୁକୁ ନେଇ ଅଂଚଳରେ ଶୋକ ପ୍ରକାଶ ପାଇଛି। ପୁଲିସ ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର