ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏନଏସି ଅଧୀନ ତୋଟାଗାଁ ଛକରେ ଆଜି ସନ୍ଧ୍ୟା ୭ଟାରେ ଏକ ଅଭାବନୀୟ ଘଟଣା ଘଟିଛି। ପେଟ୍ରୋଲ୍ ଉପରେ ସନ୍ଧ୍ୟାଧୂପ ପଡ଼ିଯିବାରୁ ଏକ ଦୋକାନ ସମେତ ତିନିଟି ଆଜବେଷ୍ଟସ୍ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଏହାସହ ଦମ୍ପତି ପୋଡ଼ି ହୋଇ ଗୁରୁତର ହୋଇଥିବା ବେଳେ ଦୁଇଜଣ ଶିଶୁ ଏଥିରୁ ଅଳ୍ପକ‌େ ବର୍ତ୍ତିଯାଇଛନ୍ତି। ଗୁରୁତରମାନେ ହେଲେ, ସଞ୍ଜୟ ବାରିକ ଓ ପତ୍ନୀ ସଂଯୁକ୍ତା। ଖଲ୍ଲିକୋଟ ଡାକ୍ତରଖାନାରେ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

ସଞ୍ଜୟ ଜଣେ ଅଟୋଚାଳକ ହୋଇଥିବା ବେଳେ ସେ ତାଙ୍କ ଘର ଆଗରେ ଏକ ଛୋଟିଆ ଦୋକାନ କରିଛନ୍ତି। ଆଜି ସେ ଦୋକାନରେ ସନ୍ଧ୍ୟାରେ ଧୂପ ଦେଉଥିଲେ। ଏହି ସମୟରେ ଅଟୋରେ ପକାଇବାକୁ ରଖିଥିବା ପେଟ୍ରୋଲ୍ ଉପରେ ପଡ଼ିଯାଇ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ବିଭିନ୍ନ ସାମଗ୍ରୀ ସହ ଘରେ ଥିବା ଫ୍ରିଜ୍‌, ଟିଭି ଓ ଅନ୍ୟାନ୍ୟ କାଠ ଆସବାବପତ୍ର, ସୁନାରୁପା ଅଳଙ୍କାର ଏବଂ ଟଙ୍କା ପୋଡ଼ିଯାଇଥିଲା। ଏହାସହ ତିନି ବଖରାକୁ ମଧ୍ୟ ନିଆଁ ବ୍ୟାପିଯାଇଥିଲା। ଭିତରୁ ସଞ୍ଜୟ ଓ ପତ୍ନୀ ସଂଯୁକ୍ତା ବାହାରିବାକୁ ଚେଷ୍ଟା କରିବା ସମୟରେ ଉଭୟଙ୍କ ଦେହରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଦମ୍ପତିଙ୍କୁ ଉଦ୍ଧାର କରି ଖଳ୍ଲିକୋଟ ଡାକ୍ତରଖାନାକୁ ଆଣିଥିଲା। କିନ୍ତୁ ଦୁଇଜଣ ସନ୍ତାନ ବାହାରେ ଖେଳୁଥିବାରୁ ବର୍ତ୍ତିଯାଇଥିଲେ। ପ୍ରାୟ ୫ ଲକ୍ଷ ଟଙ୍କାର ସଂପତ୍ତି କ୍ଷତି ହୋଇଥିବା ଅନୁମାନ କରାଯାଉଛି।

ଖଲ୍ଲିକୋଟ ରାଜସ୍ବ ନିରୀକ୍ଷକ ମୀନକେତନ ଶବର ଓ ସୁପରଭାଇଜର୍ ତ୍ରିଲୋଚନ ବିଶ୍ବାଳ ଏବଂ ଏନଏସି ନଗରପାଳ ଇଂ.ନିରଞ୍ଜନ ବେହେରା ଘଟଣାସ୍ଥଳ ପରିଦର୍ଶନ ସହ ବିପନ୍ନଙ୍କୁ ଭେଟିଛନ୍ତି।