ମହାନଦୀକୁ ଡେଇଁ ପଡ଼ିଲେ ଦମ୍ପତି

ବର୍ଷକ ତଳେ ହୋଇଥିଲା ବିବାହ, ମାଛଧରାଳିଙ୍କ ଦ୍ବାରା ଉଦ୍ଧାର, କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି

କଟକ : ମହାନଦୀର ଯୋବ୍ରା ବ୍ୟାରେଜ୍ ଉପରେ ଶୁକ୍ରବାର ଘଟିଛି ଏକ ଅଭାବନୀୟ ଘଟଣା। ବାହାଘରର ଠିକ୍ ବର୍ଷ ପୂରଣ କରିଥିବା ଦମ୍ପତି ନଈକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପାରିବାରିକ କହଳକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା କୁହାଯାଉଛି। ଘରୋଇ ହସପିଟାଲରେ ନର୍ସ ଥିବା ମହିଳା ଜଣକ ପ୍ରଥମେ ମହାନଦୀକୁ ଡେଇଁ ପଡ଼ିଥିବାବେଳେ ତାଙ୍କୁ ବଂଚାଇବାକୁ ଯାଇ ତାଙ୍କ ସ୍ବାମୀ ନଈକୁ ଡେଇଁ ପଡ଼ିଥିବା କୁହାଯାଉଛି। ପୁଲିସ ସେମାନଙ୍କୁ ଉଦ୍ଧାର କରି କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରିଛି। ବ୍ୟାରେଜ ଉପରେ ସେମାନଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା ଓ ପରେପରେ ଏଭଳି ଘଟଣା ଘଟିଥିବା କିଛି ଲୋକ କହୁଥିବା ବେଳେ ଏଭଳି ଘଟଣା ପଛର ନିର୍ଦ୍ଦିଷ୍ଟ ରହସ୍ୟ ଜଣା ପଡ଼ିନାହିଁ।

ସୂଚନା ଅନୁଯାୟୀ, ମଧୁପାଟଣା କଲ୍ୟାଣୀନଗର ଅଞ୍ଚଳର ସ୍ବାଗତିକା ମହାନ୍ତି ୨୦୨୦ ମେ ମାସରେ କେଉଁଆଡ଼େ ନିଖୋଜ ହୋଇଯାଇଥିବା ସମ୍ପର୍କରେ ପରିବାର ଲୋକେ ମଧୁପାଟଣା ଥାନାରେ ଏତଲା ଦେଇଥିଲେ। ପରେ ସେ କେନ୍ଦ୍ରାପଡ଼ା ଜିଲ୍ଲା ନିକିରେଇର ୩୫ ବର୍ଷିୟ ରାଜେଶ ସାହୁଙ୍କୁ ବିବାହ କରିଥିଲେ।

ଉଭୟ ପ୍ରେମ ବିବାହ କରିଥିବା କୁହାଯାଉଛି। ସ୍ବାଗତିକା କଟକର ଏକ ଘରୋଇ ହସ୍‌ପିଟାଲରେ ନର୍ସ ଭାବେ ଚାକିରି କରନ୍ତି।

ଆଜି ଅପରାହ୍ନ ପ୍ରାୟ ୫ଟା ୩୦ ବେଳେ ରାଜେଶ ଏକ ବାଇକରେ ଓ ସ୍ବାଗତିକା ଏକ ସ୍କୁଟିରେ ଯୋବ୍ରା ବ୍ରିଜ ଉପରକୁ ଆସିଥିଲେ। ସେହି ସମୟରେ ବ୍ରିଜ୍ ଉପର ଦେଇ ଆସୁଥିବା ପ୍ରତ୍ୟକ୍ଷଦର୍ଶୀ ବ୍ୟାଙ୍କ ମ୍ୟାନେଜର ବିଦ୍ୟୁତ ମହାନ୍ତିଙ୍କ କହିବା ଅନୁଯାୟୀ ପ୍ରଥମେ ନଦୀକୁ ଯୁବତୀ ଜଣକ ଡେଇଁପଡ଼ିଥିଲେ। ପରେ ଯୁବକ ଜଣକ ନଦୀକୁ ଡେଇଁଥିଲେ। ଡେଇଁବା ପୂର୍ବରୁ ଯୁବକ ଜଣକ ସ୍କୁଟି ଡିକିରେ ଥିବା ମୋବାଇଲରୁ ଭାଉଜ ଓ ଅପାଙ୍କୁ ଫୋନ୍ କରିବାକୁ ତାଙ୍କୁ କହିଥିଲେ। ବିଦ୍ୟୁତ ସ୍କୁଟିରୁ ମୋବାଇଲ୍ କାଢ଼ି ପରିବାର ସଦସ୍ୟଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇବା ସହିତ ଉକ୍ତ ମୋବାଇଲରୁ ହିଁ ପୁଲିସକୁ ସୂଚନା ଦେଇଥିଲେ। ନଦୀରେ ମାଛ ଧରୁଥିବା ମାଛଧରାଳି ଉଭୟଙ୍କୁ ଉଦ୍ଧାର କରିବାରେ ସହଯୋଗ କରିଥିବା ଶ୍ରୀ ମହାନ୍ତି କହିଛନ୍ତି।

ଅନ୍ୟପଟେ ଘଟଣା ସମ୍ପର୍କରେ ଜଗତପୁର ଥାନା ପୁଲିସ ଖବର ପାଇବା ପରେ ପୁଲିସ ଓ ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଦମକଳ ଗାଡ଼ି ପହଞ୍ଚିଥିଲା। ପ୍ରାୟ ଅଧଘଣ୍ଟା ଭିତରେ ଏହି ଦମ୍ପତିଙ୍କୁ ମହାନଦୀରୁ ଉଦ୍ଧାର କରାଯାଇଥିଲା। ଏବେ ସେମାନଙ୍କୁ ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଗତପୁର ଥାନା ପୁଲିସ ଯୋବ୍ରା ବ୍ରିଜ ଉପରୁ ଦମ୍ପତିଙ୍କ ଦୁଇଟି ଗାଡ଼ି ଓ ଗାଡ଼ିରେ ଥିବା ଦୁଇଟି ମୋବାଇଲ୍ ଫୋନ୍ ଜବତ  କରିଛି। ସ୍ବାଗତିକାଙ୍କ ଗାଡ଼ି ଡିକିରୁ ଡାକ୍ତରୀ କାଗଜପତ୍ର ବି ପୁଲିସ ଜବତ କରିଛି।

ପରିବାର ଲୋକଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ସ୍ବାଗତିକାଙ୍କ ଗଲା ଦୁଇଦିନ ହେବ କଫ ହୋଇଥିବାରୁ ସେ ଏକ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ସକାଳେ ହିଁ ସେ ଡିସ୍‌ଚାର୍ଜ ହୋଇଥିଲେ। ତେବେ ଆଜି ନିର୍ଦ୍ଦିଷ୍ଟ ଭାବେ କେଉଁ କାରଣ ପାଇଁ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଲା ଓ ସେମାନେ ଏଭଳି ନଈକୁ ଡେଇଁ ପଡ଼ିଲେ, ସେ ନେଇ ପରିବାର ଲୋକେ କିଛି ଜାଣି ନଥିବା କହିଛନ୍ତି।

ସମ୍ବନ୍ଧିତ ଖବର