ଖଣ୍ଡପଡ଼ା : ପାରିବାରିକ କଳହରୁ ଗତକାଲି କିରୋସିନ୍‌ ଢାଳି ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଦମ୍ପତିଙ୍କର ଆଜି ଭୋର୍‌ ୪ଟାରେ ମୃତ୍ୟୁ ଘଟିଛି। ଉଭୟଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Advertisment

ଖଣ୍ଡପଡ଼ା ସହରାଂଚଳ ଅନ୍ତର୍ଗତ ୪ନଂ ୱାର୍ଡ ମାଳି ସାହିର ସଦାନନ୍ଦ ପ୍ରଧାନ ଓ ନିଜ ସ୍ତ୍ରୀ ଋତୁପର୍ଣ୍ଣା ରଥଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ସର୍ବଦା ଝଗଡ଼ା ଲାଗି ରହୁଥିଲା। ଦୁଇ ଦିନ ଧରି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ମନୋମାଳିନ୍ୟ ହୋଇଥିଲା। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଅସହ୍ୟ ହେବାରୁ ଗତକାଲି ଅପରାହ୍ଣ ୪ଟା ସମୟରେ ସଦାନନ୍ଦ ନିଜ ଘରେ ଜାରକିନ୍‌ରେ ଥିବା କିରୋସିନ୍‌ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସ୍ବାମୀ ନିଆଁରେ ଜଳୁଥିବା ଦେଖି ସ୍ତ୍ରୀ ଋତୁପର୍ଣ୍ଣା ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ନିଆଁର ଶିକାର ହୋଇଥିଲେ। ଉଭୟ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ନିମନ୍ତେ ପରିବାର ଲୋକେ ସେମାନଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରିଥିଲେ ମଧ୍ୟ କିଛି ସମୟ ବ୍ୟବଧାନରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ସେମାନଙ୍କର ଏକ ୧୦ ବର୍ଷର ପୁଅ ରହିଥିବା ବେଳେ ସଦାନନ୍ଦ ବିଜେପିର ଜଣେ ସଂଗଠକ ଭାବେ କାର୍ଯ୍ୟ କରି ଆସୁଥିଲେ। ଲୋକଙ୍କ ସୁଖ ଦୁଃଖର ସାଥୀ ହେବା ସହ ଖୁବ୍ କମ୍ ଦିନରେ ଅତ୍ୟନ୍ତ ପରିଚିତ ହୋଇପାରିଥିଲେ।