ପାଣିକୋଇଲି: ପାଣିକୋଇଲି ଥାନା ଅନ୍ତର୍ଗତ ଷଠିପୁର-ଯାଜପୁରଟାଉନ ରାସ୍ତାର ମାଧପୁର ପୋଲ ନିକଟରେ ଆଜି ପୂର୍ବାହ୍ଣ ୧୧ଟା ସମୟରେ ଟ୍ରକ୍ ଧକ୍କାରେ ଏକ ଦମ୍ପତିଙ୍କର ମୃତ୍ୟୁ ହୋଇଛି। ମୃତ ଦମ୍ପତି ହେଲେ ଏହି ଥାନା ଅନ୍ତର୍ଗତ ଓଚିନ୍ଦା(ତାଜପୁର) ଗ୍ରାମର ପ୍ରଫୁଲ୍ଲ ଦାସ(୬୦) ଓ ତାଙ୍କ ପତ୍ନୀ କୁନି ଦାସ(୫୫)। ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସମ୍ପର୍କୀୟ କ୍ଷତିପୂରଣ ଦାବିରେ ଏଠାରେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିବା ସହ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।
ସୂଚନା ମୁତାବକ, ଆଜି ପୂର୍ବାହ୍ଣରେ ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ପଞ୍ଚାୟତ ବ୍ରଜନଗରସ୍ଥିତ ବୈତରଣୀ ନଦୀ ପଠାରେ ତେଲଙ୍ଗା ସମ୍ପ୍ରଦାୟର ଏକ ବୈଠକ ହେବାର ଥିଲା। ଉକ୍ତ ବୈଠକରେ ଏହି ସମ୍ପ୍ରଦାୟର କୋରେଇ ମଣ୍ତଳ ସଭାପତି ତଥା ତାଜପୁର ଗ୍ରାମର ପ୍ରଫୁଲ୍ଲ ଦାସ ଓ ତାଙ୍କ ପତ୍ନୀ କୁନି ଦାସ ଯୋଗଦେବା ପାଇଁ ଯାଉଥିଲେ। ଷଠିପୁର-ଯାଜପୁରଟାଉନ ରାସ୍ତାରେ ସେମାନେ ଚାଲିଚାଲି ବୈଠକ ସ୍ଥଳକୁ ଯାଉଥିବା ସମୟରେ ଷଠିପୁର ପଟୁ ଦ୍ରୁତଗତିରେ ଆସୁଥିବା ମିନିଟ୍ରକ୍ଟି ମାଧପୁର ପୋଲ ନିକଟରେ ସେମାନଙ୍କୁ ଧକ୍କା ଦେବା ପରେ ରାସ୍ତାରୁ ୨୦ ଫୁଟ ତଳକୁ ଖସି ପଡ଼ିଥିଲା।
ଏହାର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଖବର ପାଇ ତେଲେଙ୍ଗା ସମ୍ପ୍ରଦାୟର ଲୋକମାନେ ସେଠାରେ ପହଞ୍ଚି ରାସ୍ତା ଅବରୋଧ କରିଥିଲେ। ପାଣିକୋଇଲି ଥାନାଧିକାରୀ ସଦଳବଳ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ମୃତକଙ୍କ ପରିବାରକୁ ରେଡକ୍ରସରୁ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଥିଲା। ମୃତଦେହକୁ ପୁଲିସ ଜବତ କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଶରୀର ପରିବାରକୁ ହସ୍ତାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରି ପୁଲିସ ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/7-5.jpg)