ବୋଦସା ଦମ୍ପତି ମୃତ୍ୟୁର ଗୁମର ଫିଟିଲା : ଖାଦ୍ୟରେ ବିଷ ଦେଇ ମାରିଦେଲା ଭାଇବୋହୂ!

ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ଦମ୍ପତି ବି ଅଟକ

ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ୍‌ ବୋଦସା ଗୋଲାସାହି ବୃଦ୍ଧ ଦମ୍ପତି ମୃତ୍ୟୁ ଘଟଣାରେ ରହସ୍ୟ ଉନ୍ମୋଚିତ ହୋଇଛି। ଜମି ବିବାଦକୁ ନେଇ ସାମାନ୍ୟ ବଚସାରୁ ବୃଦ୍ଧ ଦମ୍ପତି ଭାଗୀରଥି ସ୍ୱାଇଁ ଓ କୌଶଲ୍ୟା ସ୍ୱାଇଁଙ୍କୁ ଖାଦ୍ୟରେ ବିଷ ଦେଇ ସେମାନଙ୍କ ଭାଇବୋହୂ ନର୍ମଦା ସ୍ବାଇଁ(୪୫) ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଷଡ଼ଯନ୍ତ୍ରରେ ନର୍ମଦାଙ୍କ ଭଉଣୀ ସୁକାନ୍ତି ପ୍ରଧାନ (୫୬) ତାଙ୍କ ସ୍ୱାମୀ ଅବସରପ୍ରାପ୍ତ ଶିକ୍ଷକ ହରିହର ପ୍ରଧାନ (୬୨)ମଧ୍ୟ ସାମିଲ ଥିବା ତଦନ୍ତରୁ ଜଣା ପଡ଼ିବା ପରେ ସମସ୍ତେ ସ୍ତବ୍ଧ ହୋଇ ଯାଇଛନ୍ତି।

ଖଣ୍ଡପଡ଼ା ଥାନାଧିକାରୀ ବିମଳ କୁମାର ମଲ୍ଲିକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୧୫ ତାରିଖରେ ବୃଦ୍ଧ ଦମ୍ପତିଙ୍କୁ ଖାଦ୍ୟରେ ବିଷ ଦେଇ ମାରିଥିବା ନେଇ ଏହି ତିନି ଅଭିଯୁକ୍ତ ସ୍ୱୀକାର କରିଛନ୍ତି। ମୃତ ଭାଗୀରଥିଙ୍କ ପୁଅ ସୁବାସ ଚନ୍ଦ୍ର ସ୍ୱାଇଁଙ୍କ ଏତଲା କ୍ରମେ ମାମଲା ରୁଜୁ କରିବା ସହ ପୁଲିସ ୩ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ ସାମାନ୍ୟ ବଚସାରୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ସଂଘଟିତ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ କଠିନ ଦଣ୍ଡ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଛି। ସେହିପରି ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଘଟଣାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।
ମୃତ ଭାଗୀରଥି ଓ କୌଶଲ୍ୟାଙ୍କର ଏକ ଘରଡ଼ିହ ଅଭିଯୁକ୍ତ ନର୍ମଦା ସ୍ୱାଇଁଙ୍କ ଭଉଣୀ ସୁକାନ୍ତି ପ୍ରଧାନ ଓ ହରିହର ପ୍ରଧାନଙ୍କ ଘରକୁ ଲାଗି ରହିଛି। ଉକ୍ତ ଜାଗାକୁ ହରିହର ପ୍ରଧାନ ସବୁ ସମୟରେ ଅଳିଆ ଆବର୍ଜନା ପକାଇବା ସହ ଘରର ଡ୍ରେନ୍‌ ପାଣି ମଧ୍ୟ ଛାଡ଼ନ୍ତି। ଏହାକୁ ନିରୀହ ଦମ୍ପତି ବିରୋଧ କରିବାରୁ ସେମାନଙ୍କୁ ସବୁ ସମୟରେ ଅଭିଯୁକ୍ତ ସ୍ଵାମୀ-ସ୍ତ୍ରୀଙ୍କ ସହ ଭାଇବୋହୂ ନର୍ମଦା ଧମକ ଚମକ ଦିଅନ୍ତି। ଗତ ୧୪ ତାରିଖରେ ମୃତ ଭାଗୀରଥି ଓ କୌଶଲ୍ୟା ଅସନ୍ତୋଷ ପ୍ରକାଶ କରିବାରୁ ଅଭିଯୁକ୍ତ ହରିହର ନିଜ ସ୍ତ୍ରୀ ସହ ଉଭୟଙ୍କୁ ଧମକ ଦେଇଥିଲେ। ଘଟଣା ବିଷୟରେ ହରିହର ନର୍ମଦାଙ୍କୁ ଜଣାଇବା ପରେ ଦମ୍ପତିଙ୍କୁ ରାସ୍ତାରୁ ହଟାଇବାର ସାଂଘାତିକ ଷଡ଼ଯନ୍ତ୍ର କରିଥିଲେ ତିନି ଅଭିଯୁକ୍ତ। ଯୋଜନା ଅନୁଯାୟୀ, ମୃତ ଦମ୍ପତିଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ନର୍ମଦା ଖାଦ୍ୟରେ ବିଷ ମିଶାଇ ଦେଇଥିଲା, ଯାହାକୁ ଖାଇବା ପରେ ଭାଗୀରଥି ଓ କୌଶଲ୍ୟାଙ୍କ ମୃତ୍ୟୁ ଘଟିଥିଲା। ତେବେ ଦମ୍ପତି ସରଳ ଓ ମିଷ୍ଟଭାଷୀ ହୋଇଥିବା ଏବଂ ଘଟଣା ଦିନ ଘରେ କେହି ନ ଥିବାରୁ ହଠାତ୍‌ ଅଭିଯୁକ୍ତମାନଙ୍କ ପ୍ରତି କାହାରି ସନ୍ଦେହ ଯାତ ହୋଇନଥିଲା। କିନ୍ତୁ ପରେ ଏ ନେଇ ଗ୍ରାମବାସୀଙ୍କ ସନ୍ଦେହ ବଢ଼ିଥିଲା। ଶନିବାର ରାତିରେ ବୋଦସା ଗୋଲାସାହି ଗ୍ରାମବାସୀ ବୈଠକ କରି ଏ ସମ୍ପର୍କରେ ଖୋଲତାଡ଼ କରିବାରୁ ତିନି ଅଭିଯୁକ୍ତ ହତ୍ୟା ସମ୍ପର୍କରେ ମାନିବା ପରେ ଗ୍ରାମବାସୀ ଖଣ୍ଡପଡ଼ା ଥାନାକୁ ଖବର ଦେଇଥିଲେ।

ସମ୍ବନ୍ଧିତ ଖବର