ନିଜ ସୁଖ ପାଇଁ ପୁଅକୁ ବିକିଦେଲେ ଦମ୍ପତି

ଦୁହେଁ ଅନ୍ୟତ୍ର ବାହା ହୋଇ ନୂଆ ସଂସାର କଲେ, ନର୍କ ଯନ୍ତ୍ରଣାରୁ ନାବାଳକକୁ ଉଦ୍ଧାର କଲେ ଅଙ୍ଗନବାଡି କର୍ମୀ

ମାଲକାନଗିରି : ବ୍ୟକ୍ତିଗତ ସୁଖ ପାଇଁ ନିଷ୍ଠୁର ହୋଇଗଲେ ଦଂପତି। ପରସ୍ପରକୁ ଛାଡ଼ପତ୍ର ଦେଇ ଜନ୍ମକଲା ପୁଅକୁ ବିକ୍ରି କରିଦେଲେ। ନିଷ୍ପାପ ଶିଶୁଟି ମଧ୍ୟ କ୍ରୀତଦାସ ଭଳି ଅନ୍ୟ ଘରକୁ ଗଲା। ଅବିଶ୍ରାନ୍ତ ଖଟଣି ଯୋଗୁ ନର୍କ ଭଳି ଯନ୍ତ୍ରଣା ଭୋଗିଲା। ଶେଷରେ ବାଧ୍ୟ ହୋଇ ଗାଁ ଛାଡ଼ି ବାହାରକୁ ଚାଲିଆସିଲା। ଭୋକ ଉପାସରେ ଘୂରି ବୁଲିବା ପରେ ଜଣେ ଅଙ୍ଗନବାଡ଼ି କର୍ମୀ ପିଲାଟିକୁ ଉଦ୍ଧାର କରିଛନ୍ତି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କିଆଙ୍ଗ ପଞ୍ଚାୟତର ଏହି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି।

ଆଦିବାସୀ ଅଧ୍ୟୁଷିତ ତେଲଗାବେଚା ଗାଁର ଜଣେ ୯ବର୍ଷର ବାଳକ ଦୁଇ ଦିନ ଧରି ମାଇଲ ମାଇଲ ବାଟ ଚାଲିଥିଲା। ଏମିତି ଚାଲି ଚାଲି କେଉଁଠି ପହଞ୍ଚିବ, ଆଗକୁ କ’ଣ କରିବ ସେ ଜାଣି ନଥିଲା। ଏତିକି ଜାଣିଥିଲା ଆଉ ସେ ଗାଁରେ ରହିବ ନାହିଁ କିମ୍ବା ନିର୍ଯାତନା ସହିବ ନାହିଁ। ଭୋକିଲା ପେଟରେ ଚାଲି ଚାଲି ସେ ପାଙ୍ଗାମ ପଞ୍ଚାୟତର ସଲପଦର ଗାଁରେ ୪ଦିନ ତଳେ ପହଞ୍ଚିଥିଲା। ୩୦କିଲୋମିଟର ଚାଲିବା ପରେ ଏତେ ମାତ୍ରାରେ ଥକି ଯାଇଥିଲା ଯେ ଅଙ୍ଗନବାଡ଼ି କେନ୍ଦ୍ର ବାରଣ୍ଡାରେ ଶୋଇ ପଡ଼ିଥିଲା। କେନ୍ଦ୍ରକୁ କୌଣସି କାମରେ ଯାଇଥିବା ଅଙ୍ଗନବାଡ଼ି କର୍ମୀ ଜୟନ୍ତୀ ଖରା ପିଲାଟିକୁ ଏକୁଟିଆ ଦେଖି ଚକିତ ହୋଇ ଯାଇଥିଲେ। ପଚରାଉଚୁରା କରିବାରୁ ନିଜ ବିଷୟରେ ବିଶେଷ କିଛି କହିପାରି ନ ଥିଲା। କେବଳ ଏତିକି କହିଥିଲା ଦୁଇ ଦିନ ହେଲା ଭୋକିଲା ଏବଂ ଖାଦ୍ୟ ଦେବାକୁ ନିବେଦନ କରିଥିଲା। ଅସହାୟ ଅବସ୍ଥାରେ ଥିବା ପିଲାଟିକୁ ଦେଖି ନିଜ ଘରକୁ ନେଇ ଯାଇଥିଲେ ଜୟନ୍ତୀ। ଖାଇବାକୁ ଦେଇ ନିଜ ଘରେ ହିଁ ରହିବା ବ୍ୟବସ୍ଥା କରିଥିଲେ। ନୂଆ ପରିବେଶରେ ସାମାନ୍ୟ ଅନ୍ୟମନସ୍କ ରହିଥିବା ବେଳେ ଧୀରେ ଧୀରେ କିନ୍ତୁ ସ୍ବାଭାବିକ ହେବାରେ ଲାଗିଥିଲା ହାବଭାବ। ଏହାପରେ ପଚରାଉଚୁରା କରିବାରୁ କହିଥିଲା ତା ସହ ଘଟିଥିବା କରୁଣ କାହାଣୀ।

ବାପା, ମା ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ। ଅନ୍ୟତ୍ର ବିବାହ କରି ନୂଆ ସଂସାର କରିବାକୁ ନିଷ୍ପତ୍ତି ନେଇଥିଲେ। ଏମିତିରେ ପୁଅ କାହା ପାଖରେ ରହିବ ନିଷ୍ପତ୍ତି ନେଇ ପାରି ନଥିଲେ। ଶେଷରେ ନୂଆ ସଂସାରରେ ପୁଅକୁ ସ୍ଥାନ ନ ଦେଇ ନିଜ ନିଜ ରାସ୍ତା ଧରିଥିଲେ। ଗାଁ ଛାଡ଼ି ଯିବା ପୂର୍ବରୁ ଗାଁର ଜଣେ ବ୍ୟକ୍ତିଙ୍କୁ କିଛି ଟଙ୍କାରେ ବିକ୍ରି କରିଦେଲେ। ମାତ୍ର ୯ବର୍ଷ ବୟସରେ ବାପା, ମା’ଙ୍କ ଅଦରରୁ ବଞ୍ଚିତ ହୋଇ କ୍ରୀତଦାସ ସାଜିଗଲା। ଯେଉଁ ବ୍ୟକ୍ତି ଏହି ନିଷ୍ପାପ ପିଲାକୁ କିଣିଥିଲେ ଗୋତି ଶ୍ରମିକ ଭଳି ଦିନରାତି ଖାଟାଇଲେ। ଦିନବେଳା ଗାଈ ଚରାଇବାକୁ ବାଧ୍ୟ କରାଗଲା। ଏଥିରେ ଅବହେଳା କଲେ ମାଡ଼ ମାରିବା ସହ ଖାଇବାକୁ ବି ଦେଲା ନାହିଁ। ଦିନକୁ ଦିନ ନିର୍ଯାତନା ଏବଂ ଯନ୍ତ୍ରଣା ବଢ଼ି ଚାଲିବାରୁ କାହାକୁ କିଛି ନ କହି ସେ ଗାଁ ଛାଡ଼ି ଚାଲି ଆସିଥିଲା। ଏତିକି କହିବା ବେଳକୁ କାନ୍ଦି କାନ୍ଦି ତା’ର କଣ୍ଠରୁଦ୍ଧ ହୋଇ ଯାଇଥିଲା। ‌ଏ ନେଇ ଅଙ୍ଗନବାଡ଼ି କର୍ମୀ ଜୟନ୍ତୀ ଅଧିକ ଜାଣିବା ପାଇଁ ପିଲାଟିକୁ କିଣିଥିବା ବ୍ୟକ୍ତିଙ୍କୁ ଯୋଗାଯୋଗ କରିଥିଲେ। ସେ ମଧ୍ୟ ବାପା, ମା ଗାଁ ଛାଡ଼ିବା ପୂର୍ବରୁ ପିଲାଟିକୁ ବିକ୍ରି କରିଥିବା ସ୍ବୀକାର କରିଥିଲେ। ଜୟନ୍ତୀ ଏବେ ନିଜ ସନ୍ତାନ ଭଳି ପାଖରେ ରଖି ଯତ୍ନ ନେଉଛନ୍ତି। ବାପା, ମା’ଙ୍କ ବ୍ୟବହାର ତାକୁ ଏମିତି ଧକ୍କା ଦେଇଛି ଯେ କୌଣସି ପରିସ୍ଥିତିରେ ବି ସେମାନଙ୍କ ପାଖକୁ ଫେରିବ ନାହିଁ। ଯଦି କେଉଁଠି ସୁରକ୍ଷିତ ଆଶ୍ରୟ ନ ମିଳେ ତେବେ ଭିକ ମାଗି ବଞ୍ଚିତ କିନ୍ତୁ ଆଉ ସେମାନଙ୍କ ପାଖକୁ ଫେରିବ ନାହିଁ ବୋଲି କହିଛି। ଏଭଳି ସ୍ଥିତିରେ ସଲପଦର ଗ୍ରାମବାସୀମାନେ ମଧ୍ୟ ପିଲାଟି ପ୍ରତି ସଦୟ ହୋଇଛନ୍ତି। ପ୍ରଶାସନ ତରଫରୁ ପାଠପଢ଼ା ସହ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର