କଟକ : କଟକ ସଦର ବ୍ଲକ୍ ୪୨ମୌଜା ଝିଙ୍କିରିଆ ସୁବୁଦ୍ଧିସାହିରେ ଏକ ବୃଦ୍ଧ ଦମ୍ପତିଙ୍କ ଝୁଲନ୍ତା ଶବ ଆଜି ଗୁହାଳ ଘରୁ ଉଦ୍ଧାର କରାଯାଇଛି। ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ମୃତ ଦମ୍ପତି 'ସୁଇସାଇଡ୍ ନୋଟ୍'ରେ ଲେଖିଥିଲେ ବି ଦୁହେଁ ଏକ ସମୟରେ ଗୋଟିଏ ଦଉଡ଼ିରେ ଆତ୍ମହତ୍ୟା କରିଥିବାରୁ ସନ୍ଦେହ ପ୍ରକାଶ ପାଇଛି।
ଝିଙ୍କିରିଆ ୨ ନମ୍ବର ୱାର୍ଡ୍ ସୁବୁଦ୍ଧିସାହି ବାସିନ୍ଦା ସାଗର ଦେବତା (୬୩) ଜଣେ ଇଲେକଟ୍ରିକାଲ୍ ମେକାନିକ୍। କଟକ ସହର ଓ ଆଖପାଖ ଅଞ୍ଚଳରେ ଇଲେକଟ୍ରିକ୍ କାମ କରି ସେ ପରିବାର ଚଳାଉଥିଲେ। । ପୁଲିସ କହିବା ମୁତାବକ, ଗତକାଲି ରାତିରେ ସାଗର ଓ ପତ୍ନୀ ଜ୍ୟୋତ୍ସ୍ନାରାଣୀ (୫୮) ଖାଇ ଶୋଇବାକୁ ଯିବାପରେ ପୁଅ ସତ୍ୟଜିତ୍ ଓ ପରିବାରର ଅନ୍ୟମାନେ ଶୋଇବାକୁ ଯାଇଥିଲେ। ଆଜି ସକାଳେ ସାଗର ଓ ଜ୍ୟୋତ୍ସ୍ନାରାଣୀ ଘରେ ନଥିବାବେଳେ ସେମାନଙ୍କ ବିଛଣା ଉପରେ 'ସୁଇସାଇଡ୍ ନୋଟ୍'ଟିଏ ପଡ଼ିଥିବା ମିଳିଥିଲା। ଏହାକୁ ପଢ଼ି ପରିବାର ଲୋକେ ଖୋଜାଖୋଜି କରିବାରୁ ଘର ପାଖ ଗୁହାଳେ ଉଭୟଙ୍କ ମୃତଦେହ ଗୋଟିଏ ରଶିରେ ଓହଳିଥିବା ଅବସ୍ଥାରେ ମିଳିଥିଲା।
ପୁଅ ସତ୍ୟଜିତ ସୂଚନା ଦେବାରୁ ବେଣ୍ଟକାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ 'ସୁଇସାଇଡ୍ ନୋଟ୍'କୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ୪୨ ମୌଜା ଫାଣ୍ଡି ଅଧିକାରୀ କୃପାସିନ୍ଧୁ ବରାଡ଼ କହିଛନ୍ତି।
ଅପରପକ୍ଷରେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଗୁହାଳ ଘରେ ସାଗର ଓ ତାଙ୍କ ପତ୍ନୀ ଜ୍ୟୋତ୍ସ୍ନାରାଣୀଙ୍କ ଶବ ଓହଳିଥିବା ପ୍ରଥମେ ଜଣେ ପଡ଼ୋଶୀ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ପରେ 'ସୁଇସାଇଡ୍ ନୋଟ୍' ଦେଖିଥିଲେ, ଯେଉଁଥିରେ 'ଭଗବାନଙ୍କ ଡାକରା ଆସିବାରୁ ଆମେ ଯାଉଛୁ, ଆମ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି' ବୋଲି ଲେଖାଥିବା ଜଣାପଡ଼ିଥିଲା। ଏହାପରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।