ବିଷ ପିଇ ପ୍ରାଣ ହରାଇଲେ ବାପା ମା’ : ଝିଅ ଜନ୍ମରୁ ପରିବାରରେ ଅଶାନ୍ତି!; ହତ୍ୟା ଅଭିଯୋଗକୁ ନେଇ ପୁଲିସ୍‌ର ତଦନ୍ତ

ଯାଜପୁରସଦର/ହରିପୁର : ଯାଜପୁର ସଦର ଥାନା ଅନ୍ତର୍ଗତ ସାମନ୍ତରାପୁର ଗ୍ରାମର ଏକ ଦଂପତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ପ୍ରଶାନ୍ତ ବିଶ୍ବାଳ (୩୦), ରଂଜିତା ରାଉତ(୨୮)। ଏହି ଦଂପତିଙ୍କ ଦେଢ଼ବର୍ଷର ଝିଅ ସୁରକ୍ଷିତ ଅଛି। ଏମାନେ ଗତକାଲି ବିଳମ୍ବିତ ରାତିରେ ବିଷ ପିଇ ଆତ୍ମହତ୍ୟା କୁହାଯାଇଛି। ଅପରପକ୍ଷରେ ଝିଅ ଜନ୍ମ ହେବାରୁ ଶାଶୂଘର ଲୋକେ ମିଳିମିଶି ଖାଦ୍ୟରେ ବି‌ଷ ଦେଇ ମାରିଥିବା ଅଭିଯୋଗ କରିଛନ୍ତି ଝିଅଘର ପରିବାର।

ବରୀ ଥାନା ଅଧୀନ ବାଇଁଶିରିଆ ଗ୍ରାମର ଉପେନ୍ଦ୍ର ରାଉତଙ୍କ ଅଭିଯୋଗ ହେଲା, ଝିଅ ରଂଜିତା ରାଉତ(୨୮) ରବୀନ୍ଦ୍ର ବିଶ୍ବାଳଙ୍କ ପୁଅ ପ୍ରଶାନ୍ତ(୩୦)ଙ୍କୁ ଅଢ଼େଇ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ସେତେବେଳେ ଶକ୍ତି ମୁତାବକ ‌ଯୌତୁକ ଦେଇଥିଲେ। କିନ୍ତୁ ଶାଶୂ ମଂଜୁଲତା ଅଧିକ ଯୌତୁକ ପାଇଁ ଝିଅକୁ ନିର୍ଯାତନା ଦେଉଥିଲେ। ରଂଜିତା ସବୁ ନିର୍ଯା‌ତନାକୁ ସହି ଆସୁଥିଲା। ଝିଅ ଜନ୍ମ ହେବା ପରେ ଦେଢ଼ବର୍ଷ ହେବ ନିର୍ଯାତନା ବଢ଼ି ଯାଇଥିଲା। ଏହାକୁ ପ୍ରଶାନ୍ତ ବିରୋଧ କରିଆସୁଥିଲେ। ତାଙ୍କ ଉପରେ ବି ପରିବାର ଲୋକେ ଅସନ୍ତୋଷ ବ୍ୟକ୍ତ କରୁଥିଲେ। ବଂଶରକ୍ଷା ପାଇଁ ପୁଅଟିଏ ଦରକାର ହେଉଥିବାବେଳେ କାହିଁକି ଝିଅ ଜନ୍ମ ହେଲା କହି ନିର୍ଯାତନା ‌ ଦିଆଯାଉଥିଲା। ଏପରିକି ବିରୋଧ କାରଣରୁ କୁନି ଝିଅର ପ୍ରଥମ ଜନ୍ମଦିନ ରଂଜିତାଙ୍କ ବାପଘରେ ହୋଇଥିଲା। ଶାଶୂ ହିଁ ରାତି ଖାଦ୍ୟରେ ବିଷ ଦେଇ ମାରି ଦେଇଥିବା ଉପେନ୍ଦ୍ର ଅଭିଯୋଗ କରିଛନ୍ତି। ପ୍ରଶାନ୍ତ ଓ ପତ୍ନୀ ରଞ୍ଜିତା ଗତକାଲି ବିଳମ୍ବିତ ରାତିରେ ବିଷ ଖାଇ ଚିତ୍କାର କରୁଥିଲେ। ଉଭୟଙ୍କୁ ଉଦ୍ଧାର କରାଯାଇ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ପ୍ରଶାନ୍ତ ବାହାର ରାଜ୍ୟରେ ରହି କାମ କରୁଥିବା ବେଳେ ଦୁଇ ବର୍ଷ ହେଲା ଘରକୁ ଫେରି ଚାଷବାସ କରି ସଂସାର ଚଳାଉଥିଲେ।

ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି। ଅଭିଯୋଗ ଆଧାରରେ ମାମଲା ରୁଜୁ େବାଲି ଥାନାଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର