ଯାଜପୁର: ଦମ୍ପତିଙ୍କ ଆତ୍ମହତ୍ୟା

ବୈତରଣୀରୋଡ୍‌/ କୋରେଇ/ରଗଡ଼ି : ଯାଜପୁର ଜିଲ୍ଲା କୋରେଇ ଥାନା ଅଧୀନ ଗୌରପୁର ପଞ୍ଚାୟତ ଯୁଗଳ ଗ୍ରାମରେ ସ୍ବାମୀ ଶାନ୍ତନୁ ଯେନା(୩୯) ଓ ସ୍ତ୍ରୀ ସବିତା ଯେନା(୩୨)ଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ସନ୍ଦେହ ପ୍ରକାଶ ପାଇଛି। ଉଭୟଙ୍କର ଶବକୁ କୋରେଇ ପୁଲିସ ଜବତ କରିଛି। ଉଭୟ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ କୁହାଯାଇଛି। ଯାହାକୁ ପୁଲିସ ମଧ୍ୟ ପ୍ରକାଶ କରିଛି।

ପ୍ରକାଶ ଥାଉକି ଶାନ୍ତନୁ ୫ବର୍ଷ ତଳେ ପଚ୍ଛିକୋଟ ପଞ୍ଚାୟତ ପତ୍ରକଣା ଗାଁର ସବିତା ଯେନାଙ୍କୁ ବିବାହ କରିଥିଲେ। ପିଲାଛୁଆ ନଥିବାରୁ ଉଭୟଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଥିଲା। ଉଭୟଙ୍କ ମଧ୍ୟରେ କଳି ଝଗଡ଼ା ହେଉଥିଲା ବୋଲି ପରିବାର ଲୋକ କହିଛନ୍ତି। ବିଭିନ୍ନ ସମୟରେ ସବିତା ବାପଘରକୁ ଚାଲିଯାଉଥିଲେ। ବୁଝାମଣା ପରେ ପୁଣି ସେ ଶାଶୂଘରକୁ ଫେରୁଥିଲେ। ଗତକାଲି ଶୁକ୍ରବାର ରାତିରେ ସ୍ବାମୀସ୍ତ୍ରୀ ଖାଇପିଇ ଶୋଇବାକୁ ଯାଇଥିଲେ। ଶାନ୍ତନୁଙ୍କ ପାଟିଶୁଣି ପରିବାର ଅନ୍ୟ ସଦସ୍ୟମାନେ ଆସି ଦେଖନ୍ତି ତ ଘର ଫ୍ୟାନରେ ସବିତା ଝୁଲୁଥିଲା। ପରିବାର ଲୋକେ ପହଞ୍ଚିବା ପରେ ଶାନ୍ତନୁ ସେଠାରୁ ପଳାଇ ଯାଇଥିଲା। ଲୋକମାନେ ତାକୁ ଖୋଜାଖୋଜି କରିଥିଲେ। ପରେ ଦେଖିଲା ବେଳକୁ ଘର ପଛପାଖ ଏକ ଗଛରେ ଶାନ୍ତନୁ ରଶି ଲଗାଇ ଝୁଲୁଥିଲେ। ଲୋକମାନେ କୋରେଇ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶବ ୨ଟି ଜବତ କରି ବ୍ୟବଚ୍ଛେଦ ପାଇଁ ଦାନଗଦୀ ଡାକ୍ତରଖାନା ପଠାଇଥିଲା।

ଏ ସମ୍ପର୍କରେ କୋରେଇ ଥାନା ଅଧିକାରୀ ରଂଜିତ କୁମାର ମହାନ୍ତିଙ୍କୁ ପଚାରିବାରୁ ପାରିବାରିକ କଳହରୁ ଆତ୍ମହତ୍ୟା ହୋଇଥିବା କହିବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି। ଏନେଇ ମଧ୍ୟ ଉଭୟ ପରିବାର ପକ୍ଷରୁ କୋରେଇ ଥାନାରେ ଏତଲା କରାଯାଇଛି। ପୁଲିସ୍‌ ପକ୍ଷରୁ ଏକ ଅପମୃତ୍ୟୁ ମମଲା ୧୪/୨୧ ରେ ରୁଜୁ ହୋଇଛି। ତେବେ ପ୍ରଶ୍ନ ଉଠୁଛି ସ୍ବାମୀସ୍ତ୍ରୀ ଗୋଟିିଏ କୋଠରୀରେ ଶୋଇଥିବା ବେଳେ ସବିତା ଆତ୍ମହତ୍ୟା କଲା! ଶାନ୍ତୁନ ଜାଣିପାରିଲା ନାହିଁ କିପରି? ସବିତା ମରିବା ଖବର ପରିବାର‌ ଲୋକଙ୍କୁ ଡାକି ଦେଖାଇବା ପରେ କାହିଁକି ଶାନ୍ତନୁ ଆତ୍ମହତ୍ୟା କଲା? ଏହାର ବିଧିବଦ୍ଧ ତଦନ୍ତ କରାଗଲେ ସ୍ବାମୀସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହେବ ବୋଲି ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର