ମୃତ୍ୟୁ ପର୍ଯ୍ୟନ୍ତ ହାତ ଛାଡ଼ିଲେ ନାହିଁ : ନବଦମ୍ପତିଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଉମରକୋଟ : ମୃତ୍ୟୁ ପର୍ଯ୍ୟନ୍ତ ପରସ୍ପରର ହାତ ଛାଡ଼ିବେ ନାହିଁ ବୋଲି ବର୍ଷକ ତଳେ ନିଷ୍ପତ୍ତି ନେଇଥିଲେ। ପ୍ରେମ ବିବାହ କରିବା ପରେ ପରିବାର ସହ ବେଶ୍ ହସଖୁସିରେ ବିତୁଥିଲା ଜୀବନ। କିନ୍ତୁ ଦାମ୍ପତ୍ୟ ଜୀବନରେ ହଠାତ୍ ଆସିଲା ଝଡ଼। ଏହି ଅଜଣା ଝଡ଼କୁ ପରିବାର ଲୋକ ବୁଝିବା ପୂର୍ବରୁ ଆରପାରିକୁ ପରସ୍ପରର ହାତ ଧରି ଚାଲିଗଲେ ନବଦମ୍ପତି। ଏଭଳି ଏକ ଦୁଃଖଦ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ ଦଣ୍ଡସରା ପଞ୍ଚାୟତ ଅନ୍ତର୍ଗତ ଗେଟ୍‌ଗୁଡ଼ା ଗାଁରେ ଘଟିଛି। ଆଜି ସକାଳ ପର୍ଯ୍ୟନ୍ତ ସ୍ବାଭାବିକ ଜୀବନ ବଞ୍ଚୁଥିବା ଏହି ଦମ୍ପତି ଅପରାହ୍ନ ବେଳକୁ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ପାରିବାରିକ ଜୀବନରେ ଏମିତି କଣ ଘଟିଲା ଯେ, ଏମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ସ୍ପଷ୍ଟ ହୋଇପାରିନି। ଅନ୍ୟପଟେ ଉଭୟଙ୍କୁ ଭଲ ରୂପେ ଜାଣିଥିବା ଲୋକ ଏମିତି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ଛତିଶଗଡ଼ ସୀମାକୁ ଲାଗି ରହିଛି ଗେଟ୍‌ଗୁଡ଼ା ଗାଁ। ଏହି ଗାଁର ନିତ୍ୟାନନ୍ଦ ଭତ୍ରା ବର୍ଷକ ତଳେ ରାଇଘର ଥାନା ଅନ୍ତର୍ଗତ ମହୁଲଭଟ୍ଟା ଗ୍ରାମର ରୀନା ଗଣ୍ଡଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ଉଭୟେ ହସଖୁସିରେ ଚଳୁଥିଲେ। ୪ଦିନ ତଳେ ନିତ୍ୟାନନ୍ଦଙ୍କ ବାପା ଦାଦନ ଖଟିବାକୁ ଚେନ୍ନାଇ ଚାଲି ଯାଇଥିଲେ। ଏହାପରେ ଘରେ ଥିଲେ ନିତ୍ୟାନନ୍ଦଙ୍କ ସହ ମା, ଭଉଣୀ ଓ ପତ୍ନୀ ରୀନା। ଅନ୍ୟ ଦିନ ଭଳି ଆଜି ସକାଳେ ମଧ୍ୟ ନିତ୍ୟାନନ୍ଦ ଓ ରୀନା ଘରଠାରୁ ୫ଶହ ମିଟର ଦୂର ଗୋଟିଏ ଇଟାଭାଟିକୁ କାମ କରିବାକୁ ଯାଇଥିଲେ। ଅପରାହ୍ନରେ ପୁଅବୋହୂ ପାଇଁ ଚା’ ନେଇ ଯାଇଥିଲେ ନିତ୍ୟାନନ୍ଦଙ୍କ ମା। କିନ୍ତୁ ଇଟାଭାଟିରେ ସେ ପୁଅବୋହୂଙ୍କୁ ପାଇ ନଥିଲେ। ଭାଟି ନିକଟରେ ଥିବା ଗୋଟିଏ ଛୋଟ କୁଡ଼ିଆ ଭିତରେ ପୁଅ ଓ ବୋହୂଙ୍କ ଶବ ପଡ଼ିଥିବା ଦେଖି ସ୍ତବ୍ଧ ହୋଇଯାଇଥିଲେ। ଉଭୟଙ୍କ ବେକରେ ପ୍ଲ‌ାଷ୍ଟିକ୍‌ ଦଉଡ଼ି ଲାଗି ରହିଥିଲା।

ଖବର ପାଇ ଉମରକୋଟ ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ, ଏସ୍‌ଆଇ ପ୍ରଶାନ୍ତ କୁମାର ସେଠୀ, ଏସ୍ଆଇ ପର୍ଶୁରାମ ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ନିତ୍ୟାନନ୍ଦଙ୍କ ମା ପହଞ୍ଚିବାର ଅଳ୍ପ ସମୟ ପୂର୍ବରୁ ହିଁ ସ୍ଥାନୀୟ ଲୋକ କୁଡ଼ିଆ ଘରେ ଉଭୟଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ତେଣୁ ସ୍ଥାନୀୟ ଲୋକ ବଞ୍ଚାଇବା ପାଇଁ ଦଉଡ଼ି କା‌ଟି ତଳକୁ ଓହ୍ଲାଇଥିଲେ ମଧ୍ୟ ସେତେବେଳକୁ ମୃତ୍ୟୁ ହୋଇଥିବା ପୁଲିସ ଜାଣିବାକୁ ପାଇଛି। ପୁଲିସର ଅନୁରୋଧ କ୍ରମେ ଉମର‌କୋଟର ପୂର୍ବତନ ତହସିଲଦାର ଧର୍ମରାଜ ମାଝୀ ମାଜିଷ୍ଟ୍ରେଟ୍ ଭାବେ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସଂଧ୍ୟା ହୋଇଯିବାରୁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଅନ୍ୟପଟେ ନବଦଂପତି ଆତ୍ମହତ୍ୟା କରିଛନ୍ତି ନାଁ ଉଭୟଙ୍କୁ ହତ୍ୟା କରାଯାଇଛି ‌ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ତେଣୁ ପୁଲିସ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର