ପାରିବାରିକ କଳହର କରୁଣ ପରିଣତି : ସ୍ତ୍ରୀଙ୍କ ଆତ୍ମହତ୍ୟା ପରେ ବିଷ ପିଇଦେଲେ ସ୍ୱାମୀ

ବାପା-ମା ଛେଉଣ୍ଡ ହେଲା ୨ ବର୍ଷର ଶିଶୁ

ଧମା : ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀଙ୍କ ଆତ୍ମହତ୍ୟାର କେଇ ଘଣ୍ଟା ମଧ୍ୟରେ ସ୍ବାମୀ ମଧ୍ୟ ପାରାକ୍ବେଟ୍‌ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଧମା ଥାନା ସାହାସପୁର ପଞ୍ଚାୟତ ଅର୍ଡା ଗ୍ରାମରେ। ଧମା ପୁଲିସ୍‌ ମୃତ ବେବି ବାଗ(୩୦)ଙ୍କ ଶବ ଜବତ କରିଛି। ବିଷ ପିଇଥିବା ବେବିଙ୍କ ସ୍ବାମୀ ହେମନ୍ତ ବାଗ(୩୩)ଙ୍କ ବୁର୍ଲା ବଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବାରୁ ବୁର୍ଲା ପୁଲିସ ଶବ ଜବତ କରିଛି। ଗୋଟିଏ ଦିନରେ ଏହି ସ୍ତ୍ରୀ ସ୍ବାମୀଙ୍କ ଆତ୍ମହତ୍ୟା ପରେ ସେମାନଙ୍କର ୨ ବର୍ଷ ବୟସର ଶିଶୁପୁତ୍ର ବାପାମା ଛେଉଣ୍ଡ ହୋଇଯାଇଛି। ଏହି ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଅନ୍ୟପକ୍ଷରେ ‌ଯୌତୁକ ପାଇଁ ବେବିଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଧମା ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର