ତେନ୍ତୁଳିଖୁଣ୍ଟି : ବୟସର ସାୟାହ୍ନରେ ଉପନୀତ ବୃଦ୍ଧ ଦମ୍ପତିଙ୍କ ସଂଘର୍ଷ। ଭତ୍ତା ଖଣ୍ଡିକ ପାଇଁ ଉଭୟଙ୍କୁ ପ୍ରତ୍ୟେକ ମାସରେ ତିନି କିଲୋମିଟର ଯାତ୍ରା କରିବାକୁ ପଡୁଛି। ତାହାବି କୌଣସି ଅଟୋ କିମ୍ବା ବାଇକ ଯୋଗେ ନୁହଁ ବରଂ ଉଭୟଙ୍କୁ ପାଦରେ ଚାଲି ଚାଲି ଆସିବାକୁ ପଡୁଛି କିୟସ୍କ ବ୍ୟାଙ୍କ। ବୃଦ୍ଧ ସ୍ୱାମୀ ଜଣଙ୍କ ଗୋଟିଏ ବାଡ଼ି ଧରି ଆଗରେ ଚାଲୁଥିବା ବେଳେ ଅଂଧୁଣି ବୃଦ୍ଧା ପତ୍ନୀ ଜଣଙ୍କ ଉକ୍ତ ବାଡ଼ିକୁ ସାହାରା କରି ପଛେ ପଛେ ବାଟ ଚାଲୁଛନ୍ତି। ଏଭଳି ଏକ କରୁଣ ଦୃଶ୍ୟ ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ମହକୁମାରେ ଦେଖିବାକୁ ମିଳିଛି।
Advertisment
ସୂଚନା ଅନୁଯାୟୀ ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ଗୌଡ଼ଗୁଡା ଗ୍ରାମର ଦଶରୁ ଗୌଡ଼ (୮୦) ଏବଂ ପତ୍ନୀ ମୁକ୍ତା ଗୌଡ଼ (୮୫)। ଉଭୟଙ୍କ ଶରୀର ସମ୍ପୂର୍ଣ ଝଡି ଯାଇଛି। ଦେହର ଚର୍ମ ଗୁଡାକ ଓହଳି ଗଲାଣି। ଚାଲିବାକୁ ଦେହରେ ବଳ ନାହିଁ । ପତ୍ନୀ ମୁକ୍ତାଙ୍କୁ ଅତ୍ୟଧିକ ବୟସ କାରଣରୁ ଆଖିକୁ ଜମାରୁ ଦେଖାଯାଉନି। ଏମିତି ସ୍ଥିତିରେ ବୃଦ୍ଧା ସ୍ୱାମୀଙ୍କ ବାଡ଼ିକୁ ସାହାରା କରି ବୃଦ୍ଧା ପତ୍ନୀ ଜଣଙ୍କ ପ୍ରତ୍ୟେକ ମାସରେ ତେନ୍ତୁଳିଖୁଣ୍ଟି ସ୍ଥିତ କିୟସ୍କ ବ୍ୟାଙ୍କକୁ ଆସୁଛନ୍ତି। ସରକାର ଏକାଉଣ୍ଟ ଜରିଆରେ ଭତ୍ତା ପ୍ରଦାନ ବ୍ୟବସ୍ଥା କରିବା ପରଠୁ ପ୍ରତ୍ୟେକ ମାସରେ ଏହି ଦମ୍ପତି ଦୀର୍ଘ ତିନି କିଲୋମିଟର ଦୂର ପାଦରେ ଚାଲି ଚାଲି ଆସୁଛନ୍ତି।
ଆଜି ମଧ୍ୟ ବୃଦ୍ଧା ଦମ୍ପତି ତେନ୍ତୁଳିଖୁଣ୍ଟି ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ଏକ କିୟସ୍କ ବ୍ୟାଙ୍କକୁ ଭତ୍ତା ଟଙ୍କା ଉଠେଇବାକୁ ଆସିଥିଲେ। ତେବେ ବୃଦ୍ଧ ଦଶରୁ ପ୍ରତ୍ୟେକ ମାସରେ ୫୦୦ ଟଙ୍କା ଲେଖାଏଁ ଭତ୍ତା ଟଙ୍କା ପାଉଛନ୍ତି। ହେଲେ ବୃଦ୍ଧା ପତ୍ନୀ ଜଣଙ୍କ ତିନମାସ ହେଲା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି। ବୃଦ୍ଧା ମୁକ୍ତା ମାସିକ ୭୦୦ ଟଙ୍କା ଭତ୍ତା ପାଉଥିବା ବେଳେ ଫିଙ୍ଗରପ୍ରିଣ୍ଟ ସ୍କାନ ହେଉନଥୁବା ଯୋଗୁଁ ଡିସେମ୍ବର, ଜାନୁଆରି ଓ ଫେବ୍ରୁଆରି ଏଭଳି ତିନି ମାସର ଭତ୍ତା ଟଙ୍କାରୁ ବଞ୍ଚିତ ଅଛନ୍ତି। ଆଜି ମଧ୍ୟ କିୟସ୍କ ବ୍ୟାଙ୍କଙ୍କୁ ଟଙ୍କା ଉଠେଇବାକୁ ଆସି ନିରାଶ ହୋଇ ଫେରିଛନ୍ତି। ଅବଶ୍ୟ ବୃଦ୍ଧା ଦମ୍ପତିଙ୍କ ଏଭଳି ଦୟନୀୟ ଅବସ୍ଥା ଦେଖି ଗଣମାଧ୍ୟମ ପ୍ରତିନିଧି ଜାନକୀକାନ୍ତ ବିଷୋୟୀ ୫୦ ଟଙ୍କା ପ୍ରଦାନ କରିଥିବା ବେଳେ ଉଭୟେ ଏକ ଅଟୋ ଯୋଗେ ନିଜ ଗ୍ରାମ ଗୌଡ଼ଗୁଡା ଫେରିଛନ୍ତି। ଏଣୁ ବ୍ଲକ ପ୍ରଶାସନ ପକ୍ଷରୁ ଏଭଳି ବୃଦ୍ଧ ଦମ୍ପତିଙ୍କୁ ଭତ୍ତା ଟଙ୍କା ସେମାନଙ୍କ ଘରକୁ ନେଇଁ ପ୍ରଦାନ କରିବା ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। ଏଥିସହ ଅନ୍ୟ କୌଣସି ବିକଳ୍ପ ପନ୍ଥା ଅବଲମ୍ବନ କରି ମୁକ୍ତା ଙ୍କ ତିନି ମାସର ଭତ୍ତା ଟଙ୍କା ତୁରନ୍ତ ପ୍ରଦାନ ପାଇଁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।