ବନ୍ଧୁକ ଦେଖାଇ ଦମ୍ପତିଙ୍କୁ ହତ୍ୟା ଧମକ

ତେଲକୋଇ : ତେଲକୋଇ ଥାନା ଖୁଣ୍ଟାପଡ଼ା ପଞ୍ଚାୟତ କନ୍ତଲେଇ ଗ୍ରାମର ଦମ୍ପତିଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦିଆଯାଇଛି। ଏନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ କେସ୍‌ ନମ୍ବର ୭୫/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ କନ୍ତଲେଇ ଗ୍ରାମର ମେଘ ମୁଖୀ ଓ ତାଙ୍କ ସ୍ତ୍ରୀ ଖୁଣ୍ଟାପଡ଼ା ଗ୍ରାମରୁ ଧାନ ବିହନ ନେଇ ଘରକୁ ଫେରୁଥିଲେ। ପୂର୍ବ ଶତ୍ରୁତାକୁ ‌କେନ୍ଦ୍ରକରି ଖୁଣ୍ଟାପଡ଼ା ଗ୍ରାମର ତ୍ରିନାଥ ସାହୁ ନାମକ ଜଣେ ଯୁବକ ଗାଁ ମୁଣ୍ଡରେ ଉଭୟଙ୍କୁ ବନ୍ଧୁକ ଦେଖାଇ ଜୀବନରେ ମାରି ଦେବାରୁ ଧମକ ଦେଇଥିଲା। ମେଘୁଙ୍କ କହିବା ଅନୁସାରେ, ମେ ମାସ ୨୪ ତାରିଖ ରାତିରେ ତ୍ରିନାଥ ସାହୁ, ଜଗା ଦେହୁରୀ ଓ ତାଙ୍କର ୩ ସହଯୋଗୀଙ୍କ ଏକ କାର୍‌ (ଓଡି-୦୨-ବିଇ-୧୧୫୫)ରେ କନ୍ତଲେଇସ୍ଥିତ ତାଙ୍କ ଘରେ ପହଞ୍ଚି ସାନପୁଅ ସହ ଝଗଡ଼ା କରିଥିଲେ। ପରିବାର ଲୋକେ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ଅନ୍ୟ ୪ଜଣ ସହଯୋଗୀ ଦୌଡ଼ି ପଳାଇଥିବା ବେଳେ କାର୍‌ ସହ ତ୍ରିନାଥଙ୍କୁ ଅଟକ ରଖି ଲୋକେ ଉତ୍ତମମଧ୍ୟମ ଦେଇଥିଲେ। କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ବୁଝାମଣା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଖବର ପାଇ ପୁଲିସ ପହଞ୍ଚି କାର୍‌ ସହ ତ୍ରିନାଥଙ୍କୁ ଉଦ୍ଧାର କରିଥିଲା। ପରଦିନ ଘଟଣାର ଆପୋଷ ସମାଧାନ ହୋଇଥିଲା। ଏହି ଘଟଣାକୁ ନେଇ ତ୍ରିନାଥ ଓ ତାଙ୍କ ସହଯୋଗୀଙ୍କ ମନରେ ରାଗ କୁହୁଳୁ ଥିଲା। ଘଟଣା ସମାଧାନ ହେବାର ୩ଦିନ ପରେ ମେଘୁଙ୍କ ବଡ଼ପୁଅକୁ ଖୁଣ୍ଟାପଡ଼ା ନାଠିଗୋଡ଼ା ଛକ ନିକଟରେ ୫ଜଣ ଲୋକେ ଠେଙ୍ଗାବାଡ଼ି ଧରି ପିଟିବାକୁ ଛକି ରହିଥିଲେ। ସୂଚନା ପାଇ ସେ ଥାନାକୁ ଯାଇ ଘଟଣା ସମ୍ପର୍କରେ ଅବଗତ କରିଥିଲେ। ପୁଲିସ ଆସିବାରୁ ସମସ୍ତେ ଫେରାର ହୋଇଯାଇଥିଲେ। ଗତକାଲି ତାଙ୍କୁ ଧମକଚମକ ଦିଆଯାଇଥିବା ନେଇ ମେଘୁ ଅଭିଯୋଗ କରିଛନ୍ତି।

ଏନେଇ ତ୍ରିନାଥ ସାହୁଙ୍କୁ ପଚାରିବାରୁ, ସେ ବନ୍ଧୁକ ଦେଖାଇ ଧମକ ଦେଇନାହାନ୍ତି। ତାଙ୍କ ନାମରେ ମିଛ ଅଭିଯୋଗ କରାଯାଇଛି। ସେ ମଧ୍ୟ ପାଲଟା ଅଭିଯୋଗ କରିଥିବା ତ୍ରିନାଥ କହିଛନ୍ତି।

ସମ୍ବନ୍ଧିତ ଖବର