ରାୟଗଡ଼ା: ଅଭାବ ଯୋଗୁଁ ୯ଦିନର ଶିଶୁକନ୍ୟାକୁ ଜନ୍ମକଲା ମା’ ଅନ୍ୟ ହାତକୁ ଟେକିଦେବା ଘଟଣା ନୂଆ ମୋଡ଼ ନେଇଛି। ଜିଲ୍ଲା ପ୍ରଶାସନ, ଡିସିପିୟୁ ଓ ସିଡବ୍ଲୁସିର ମିଳିତ ତନାଘନା ପରେ ବୁଧବାର ଶିଶୁକନ୍ୟାକୁ ନେଇଥିବା ଦମ୍ପତି ଶିଶୁକୁ ଧରି ରାୟଗଡ଼ା ସିଡବ୍ଲୁସି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ନୂଆପଡା ବସ୍ତିର ଦମ୍ପତି ମାତ୍ର ୨୦ହଜାର ଟଙ୍କାରେ ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ ମାନ୍ୟମ ଜିଲ୍ଲାର ଦମ୍ପତିଙ୍କୁ ନିଜ ଶିଶୁକନ୍ୟା ବିକ୍ରି କରି ଦେଇଥିଲେ। ବୁଧବାର ରାୟଗଡ଼ା ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ, ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନାରାୟଣ ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସେଠୀ ଚାନ୍ଦିଲି ଥାନା ନୂଆପଡ଼ା ବସ୍ତିରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ସେହିପରି ବିଧାୟକ ଆପ୍ପଲାସ୍ବାମୀ କାଡ୍ରାକା ମଧ୍ୟ ଦମ୍ପତିଙ୍କୁ ଭେଟି ଗୋଟିଏ ବସ୍ତା ଚାଉଳ ଓ ୫ହଜାର ଟଙ୍କା ପ୍ରଦାନ କରିଛନ୍ତି।
୨୦ହଜାର ଟଙ୍କାରେ ଶିଶୁକନ୍ୟା ବିକ୍ରି ଘଟଣା
ସହାୟତାର ହାତ ବଢ଼ାଇଲେ ରାୟଗଡ଼ା ବିଧାୟକ
ଶିଶୁ ବିକ୍ରି ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ଅଙ୍ଗନବାଡି କର୍ମୀ ଓ ଆଶା ପ୍ରଥମେ ଚାଇଲ୍ଡଲାଇନ୍ ହେଲ୍ପଲାଇନ୍ ନମ୍ବରରେ ଅଭିଯୋଗ କରିଥିଲେ। ଡିସିପିୟୁର ଆଇନ ଅଧିକାରୀ ନିରାକାର ପାଢ଼ୀ ଓ ସିଡବ୍ଲୁସି ସଦସ୍ୟ ଗତକାଲି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଷ୍ଟାମ୍ପ୍ ପେପର୍ରେ ନୋଟାରିଙ୍କ ଦ୍ବାରା ସତ୍ୟପାଠ କରି ଶିଶୁକୁ ହସ୍ତାନ୍ତର କରାଯାଇଥିଲା ବୋଲି ଶିଶୁ ସୁରକ୍ଷା ୟୁନିଟ୍ ଆଇନ ଅଧିକାରୀ ଶ୍ରୀ ପାଢ଼ୀ କହିଛନ୍ତି। ଅଭାବ ପାଇଁ ଶିଶୁକନ୍ୟାକୁ ଦେଇଛୁ କିନ୍ତୁ ବିକ୍ରି କରିନାହୁଁ ବୋଲି ପୀଡ଼ିତ ଦମ୍ପତି କହୁଥିବା ବେଳେ ୨୦ହଜାର ଟଙ୍କା ଗ୍ରହଣ କରିଥିବା ଗଣମାଧ୍ୟମକୁ ଗତକାଲି ପ୍ରକାଶ କରିଥିଲେ। ଘଟଣା ପରେ ଶିଶୁକନ୍ୟାକୁ ନେଇଥିବା ଦମ୍ପତିଙ୍କୁ ତୁରନ୍ତ ରାୟଗଡ଼ା ସିଡବ୍ଲୁସିରେ ହାଜର ହେବା ପାଇଁ ଟେଲିଫୋନ୍ ଯୋଗେ କୁହାଯାଇଥିଲା। ପ୍ରଶାସନ, ଡିସିପିୟୁ ଓ ସିଡବ୍ଲୁସିର ତଦନ୍ତ ପରେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଶ୍ରୀ ପାଢ଼ୀ କହିଛନ୍ତି। ଶିଶୁକନ୍ୟାର ପିତାମାତା ପିଲାଟିର ଯତ୍ନ ନେବାକୁ ଅକ୍ଷମତା ପ୍ରକାଶ କଲେ ଜିଲ୍ଲା ପ୍ରଶାସନ ଲାଳନପାଳନ ଦାୟିତ୍ବ ନେବ ବୋଲି ସୂଚନା ମିଳିଛି। ଉଦ୍ଧାର ଶିଶୁକନ୍ୟାକୁ ପ୍ରଶାସନର ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରଖାଯାଇଛି ବୋଲି ସିଡବ୍ଲୁସି ସଦସ୍ୟ ପ୍ରିୟଦର୍ଶନୀ ମହାକୁଲ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/20/BzJTSAY4GSzFbyPRY4s8.jpg)