ରିଆମାଳ : ରିଆମାଳ ବ୍ଲକ ରିଆମାଳ ପଞ୍ଚାୟତ ଅନ୍ତର୍ଗତ ରିଆମାଳ-କଂସର ରାସ୍ତା କଡ ହାତୀପଥରଠାରେ ଧାନଚାଷ ଜମିରେ ଧାନ ଅଦିନିଆ ବର୍ଷା ଜଳରେ ବୁଡି କ୍ଷତିଗ୍ରସ୍ତ ହୋଇଥିବା ବେଳେ ବର୍ତମାନ ଦାଉ ସାଧୁଛନ୍ତି ଜଙ୍ଗଲୀ ବାର୍‌ହା ଓ ମାଙ୍କଡ଼। ଚାଷ ଜମିରେ ପଶି ଧାନ ଖାଇ ଦଳି ଦେଉଥିବାରୁ ଧାନ ଗଛ କାଦୁଅ ହୋଇ ନଷ୍ଟ ହେଉଥିବା ଦରଜିମୁଣ୍ଡା ଗ୍ରାମର ସତ୍ୟବାଜି ପ୍ରଧାନ ଓ ସ୍ତ୍ରୀ କ୍ଷୀର ପ୍ରଧାନ ଅଭିଯୋଗ କରିଛନ୍ତି। ଏହି ଦମ୍ପତି ମିଶି ରବିବାର ଅପରାହ୍‌ଣରେ ଜମିରୁ ନଷ୍ଟ ହୋଇଥିବା ପାଣି, କାଦୁଅ ମିଶା ଧାନକୁ କାଟି ଛାଣି ରିଆମାଳ-କଂସର ରାସ୍ତା କଡରେ ରଖୁଥିବା ଦୃଶ୍ୟ ଜନସାଧାରଣଙ୍କୁ ବ୍ୟଥିତ କରିଛି।

Advertisment

ସୂଚନା ଅନୁସାରେ ଦୁଇ ଦମ୍ପତି ମିଶି ହାତୀ ପଥର ଅଞ୍ଚଳରେ ୧ ଏକର ୩୦ ଡିସିମିଲରୁ ଅଧିକ ଜମିରେ ଧାନ ଚାଷ କରିଥିଲେ। ୬ ମାସ ଧରି ନିଜର ସମସ୍ତ ସମୟ ଏହି ଜମିରେ ଉପରେ ଦେଇ ବହୁ ପରିଶ୍ରମ କରିଥିଲେ। ଜମିକୁ ହଳ କରିବା, ଧାନ ବୁଣିବା, ସାର ମାରିବା, ଘାସ ବାଛିବା ଇତ୍ୟାଦି ବାବଦରେ ୫୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ। ମାତ୍ର ଅମଳ ସମୟକୁ ଅଦନିଆ ବର୍ଷାରେ ଧାନ ପାଣିରେ ବୁଡି ରହିଥିଲା। କିଛି ଧାନ ଗଜା ହେବାକୁ ଲାଗିଲାଣି। ସେଥିରି କିଛି ବଞ୍ଚାଇ ଅମଳ କରି ଘରକୁ ନେବାକୁ ଚେଷ୍ଟା ଚଳାଇଥିଲେ। ଜମିରୁ ପାଣି ଶୁଖିବା ପରେ ଧାନ କାଟିବାକୁ ଅପେକ୍ଷା କରିଥିଲେ। ମାତ୍ର ଜଙ୍ଗଲୀ ବାର୍‌ହା ଓ ମାଙ୍କଡ଼ ଦାଉ ସାଧୁଛନ୍ତି। ନିକଟସ୍ଥ ରମା, ମଣ୍ଡାଶୁଣି ପାହାଡ଼ରୁ ଆସି ଧାନକୁ ଖାଇ, ପାଣିରେ ଦଳି ମକଚି ନଷ୍ଟ କରୁଛନ୍ତି। ଚାଷରେ ଖର୍ଚ୍ଚ କରିଥିବା ଅର୍ଥ କେମିତି ଫେରି ପାଇବେ ଏନେଇ ଦମ୍ପତି ଚିନ୍ତାରେ ଅଛନ୍ତି।

ଘରେ ଦୁଇଟି ଝିଅ ଓ ଗୋଟିଏ ପୁଅ। ସମସ୍ତେ ପାଠ ପଢୁଛନ୍ତି। କ୍ଷତି ହେବା ପରେ ସେମାନେ କିଭଳି ପାଠ ପଢିବେ ତାହାକୁ ନେଇ ଉଭୟ ଏବେ ଚିନ୍ତିତ। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହି ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ସେହିପରି ଏହି ଅଂଚଳର ଆହୁରି ଅନେକ ଜମି ନଷ୍ଟ ହୋଇ ପାଖାପାଖି ୯୦ ହଜାରରୁ ଅଧିକ ଟଙ୍କା କ୍ଷତିଗ୍ରସ୍ତ ହୋଇଛି।