ଓସ୍କାର ସମ୍ପତ୍ତି ନିଲାମ ପାଇଁ କୋର୍ଟ ନିର୍ଦ୍ଦେଶ

ବ୍ରହ୍ମପୁର : ଚିଟ୍‌ଫଣ୍ଡ କମ୍ପାନି ଓସ୍କାରର ସମ୍ପତ୍ତି ନିଲାମ ପାଇଁ ଚିଟ୍‌ଫଣ୍ଡ କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏହି କମ୍ପାନିର ସମ୍ପତ୍ତି ଅନ୍ତରୀଣ ବାଜ୍ୟାପ୍ତ ପାଇଁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ବାଜ୍ୟାପ୍ତ ସମ୍ପତ୍ତି ଉପରେ କୋର୍ଟ ଚୂଡ଼ାନ୍ତ ମୋହର ଲଗାଇ ତାହା ବିକ୍ରି କରି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ବ୍ରହ୍ମପୁର ଚିଟ୍‌ଫଣ୍ଡ କୋର୍ଟ ଜଜ୍‌ ମନୋଜ କୁମାର ନାୟକ ନିର୍ଦ୍ଦେଶ ଦେଇଛନ୍ତି। ଖୁବଶୀଘ୍ର ଜିଲ୍ଲା ପ୍ରଶାସନ ତରଫରୁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ଚିଟ୍‌ଫଣ୍ଡ କମ୍ପାନି ଓସ୍କାର୍‌ ନାଁରେ କୋଟି କୋଟି ଟଙ୍କାର ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। କ୍ରାଇମ୍‌ ବ୍ରାଞ୍ଚ ଏହି ମାମଲାର ତଦନ୍ତ କରି କମ୍ପାନି ମୁଖ୍ୟ ପ୍ରଭାସ ରାଉତଙ୍କ ସମେତ ପର୍ଯ୍ୟାୟ କ୍ରମେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହା ପରେ ଓସ୍କାର୍‌ ଚିଟ୍‌ଫଣ୍ଡ କମ୍ପାନିର ସମ୍ପତ୍ତି ନିଲାମ ପାଇଁ ବିଭାଗୀୟସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିଲା। ସେ ନେଇ ବ୍ରହ୍ମପୁର ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟରେ ଓସ୍କାର କମ୍ପାନିର ପ୍ରଥମ ପର୍ଯ୍ୟାୟ ସମ୍ପତ୍ତି ତାଲିକା ଦାଖଲ କରାଯାଇଥିଲା। ଯଦି ଏହି ସମ୍ପତ୍ତିର କେହି ଦାବିଦାର ରହିଥାନ୍ତି ତେବେ କୋର୍ଟରେ ହାଜର ହେବା ପାଇଁ ଗତ ୨୦୧୬ ଜୁଲାଇ ମାସରେ ନିର୍ଦ୍ଦେଶ ହୋଇଥିଲା। ହେଲେ କୌଣସି ଦାବିଦାର କୋର୍ଟରେ ହାଜର ହୋଇ ନଥିଲେ। ଏହାପରେ ସରକାର ଓପିଆଇଡି ଧାରା-୩ ଅନୁସାରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଓସ୍କାର୍‌ର ସମ୍ପତ୍ତିକୁ ଅନ୍ତରୀଣ ବାଜ୍ୟାପ୍ତି ଘୋଷଣା କରିଥିଲେ। ଆଜି କୋର୍ଟ ବାଜ୍ୟାପ୍ତ ସମ୍ପତ୍ତିକୁ ପ୍ରଶାସନ ନିଜ ହାତକୁ ନେବା ପାଇଁ ନିର୍ଦ୍ଦେଶ ଦେବା ସହିତ ତାହା ନିଲାମ କରିବାକୁ ରାୟ ଦେଇଛନ୍ତି ବୋଲି ସ୍ୱତନ୍ତ୍ର ପିପି ବିଜୟ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ବାଜ୍ୟାପ୍ତ ହୋଇଥିବା ସମ୍ପତ୍ତି ମଧ୍ୟରେ ଭୁବନେଶ୍ୱର, ଖୋର୍ଦ୍ଧା, କୋଦଳା, ଆସିକା, ଅଗସ୍ତିନୂଆଁ, କୁକୁଡ଼ାଖଣ୍ଡି, କୃପାସିନ୍ଧୁପୁରଶାସନ, ଭାବିନିପୁର, ବ୍ରହ୍ମପୁର ଓ କେନ୍ଦ୍ରାପଡ଼ାରେ ରହିଥିବା ପ୍ରାୟ ୨କୋଟି ଟଙ୍କାର ୨୫ଏକର ଜମି ରହିଛି। ସେହିପରି ଭୁବନେଶ୍ୱରରେ ଥିବା ଦୁଇଟି ବ୍ୟାଙ୍କର ପ୍ରାୟ ୧୧ଲକ୍ଷ ଟଙ୍କା ମଧ୍ୟ ବାଜ୍ୟାପ୍ତ କରି କ୍ଷତିଗ୍ରସ୍ତଙ୍କୁ ବାଣ୍ଟିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର