ଆଜି ୪ ଦିନିଆ ରିମାଣ୍ଡରେ ଯିବେ ଅଭିଜିତ : କୋଣାର୍କ ପୁଲିସକୁ ଅନୁମତି ଦେଲେ କୋର୍ଟ

ଜେଲ୍‌ରେ ଉପାସରେ କଟିଲା ରାତି, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ବି ମାମଲା

ଭୁବନେଶ୍ବର : ଓଡ଼ିଶା, କୋଣାର୍କ, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ସର୍ବୋପରି ଆଇନପ୍ରଣେତାମାନଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇ ଜେଲ୍‌ରେ ଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଏବେ କୋଣାର୍କ ଥାନା ପୁଲିସ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ। ଏଥିପାଇଁ ଆଜି କୋଣାର୍କ ଥାନା ପୁଲିସ ଭୁବନେଶ୍ବର ଏସ୍‌ଡିଜେଏମଙ୍କ କୋର୍ଟରେ ଅଭିଜିତଙ୍କୁ ୭ଦିନ ରିମାଣ୍ଡରେ ନେବା ଲାଗି ଆବେଦନ କରିଥିଲା। କିନ୍ତୁ କୋର୍ଟ ତାଙ୍କୁ ୪ଦିନ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି। ଆସନ୍ତାକାଲିଠାରୁ ଅଭିଜିତ କୋଣାର୍କ ଥାନା ହେପାଜତକୁ ଚାଲି ଯିବେ।

ଅଭିଜିତ କୋଣାର୍କର କଳା, ଭାସ୍କର୍ଯ୍ୟ ସଂପର୍କରେ ଅପଶବ୍ଦ ପ୍ରୟୋଗ କରିଥିଲେ। ଏ ନେଇ କୋଣାର୍କର ପୂର୍ବତନ କାଉନସିଲର ତଥା ବରିଷ୍ଠ ନାଗରିକ ବିମ୍ବାଧର ବେଉରା ସ୍ଥାନୀୟ ଥାନାରେ ଅଭିଯୋଗ କରିବାରୁ ପୁଲିସ ନମ୍ବର ୯୨/୧୮ ଦଫା ୧୫୩(ଏ)/୨୯୫(ଏ)/୨୯୮/୩୪/୬୬ ଆଇଟି ଆକ୍ଟ/ ୩୬ ମନ୍ୟୁମେଣ୍ଟ ଆକ୍ଟରେ ମାମଲା ରୁଜୁ କରିଥିଲା। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଭିଜିତ ଆୟର ଥିବା ବେଳେ ସହ ଅଭିଯୁକ୍ତ ଭାବେ ତାଙ୍କ ବନ୍ଧୁ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଅଛନ୍ତି। ଏହି ଘଟଣାର ଅଧିକ ତଦନ୍ତ ଓ ପଚରାଉଚରା ପାଇଁ ଅଭିଜିତଙ୍କୁ ରିମାଣ୍ଡରେ ଅଣାଯାଉଛି ବୋଲି କୋଣାର୍କ ଥାନା ଇନ୍ସପେକ୍ଟର ସଂଜୀବ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ସେ ଏଭଳି ମନ୍ତବ୍ୟ ଦେବା ବେଳେ ତାଙ୍କ ସହିତ କିଏ କିଏ ଥିଲେ?, କେହି ତାଙ୍କୁ ଏଭଳି ଅପଶବ୍ଦ ବ୍ୟବହାର କରିବାକୁ ପ୍ରବର୍ତ୍ତାଇ ନାହିଁ ତ? ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଭୂମିକା ଏଥିରେ କ’ଣ? ଏଭଳି କେତେକ ପ୍ରଶ୍ନ ଅଭିଜିତଙ୍କୁ ପଚରାଯିବ ବୋଲି ପୁରୀ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଗତକାଲି ବିଳମ୍ବିତ ରାତିରେ ଝାରପଡ଼ା ଜେଲ୍‌ ଭିତରକୁ ପ୍ରବେଶ କରିଥିବା ଅଭିଜିତ ରାତିରେ ଉପାସରେ ଶୋଇଛନ୍ତି। ଜେଲ୍ କର୍ତୃପକ୍ଷ ତାଙ୍କୁ ରାତିରେ ରୁଟି, ଭଜା ଖାଇବାକୁ ଦେଇଥିଲେ। କିନ୍ତୁ ସେ ଖାଇବେ ନାହିଁ ବୋଲି କହିଥିଲେ। ଗତକାଲି ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଝାରପଡ଼ା ଜେଲର ସ୍ବତନ୍ତ୍ର ସେଲରେ ରଖାଯାଇଥିଲା। ଆଜି ସକାଳୁ ତାଙ୍କୁ ସାଧାରଣ କଏଦୀଙ୍କ ୱା‌ର୍ଡ (ନମ୍ବର ୧୧)ରେ ରଖାଯାଇଛି। ସେଠାରେ ତାଙ୍କ ପ୍ରତି ବିପଦ ଥିବାରୁ ଝାରପଡ଼ା ଜେଲ୍ କର୍ତୃପକ୍ଷ ସେହି ୱା‌ର୍ଡରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିଛନ୍ତି। ଆଜି ସକାଳୁ ସେ ଜେଲ କର୍ତୃପକ୍ଷଙ୍କ ସହଯୋଗ‌ରେ କେତେକ ଇଂରାଜୀ ଓ ହିନ୍ଦୀ ଖବରକାଗଜ ମଗାଇଥିଲେ। ଦିନରେ ତାଙ୍କୁ ଦିଲ୍ଲୀରୁ ଆସିଥିବା ଆଇନଜୀବୀମାନେ ମଧ୍ୟ ଭେଟିଥିଲେ। ଭୁବନେଶ୍ବର ଓ କୋଣାର୍କ ଥାନାରେ ହୋଇଥିବା ମାମଲାକୁ ସ୍ଥାନୀୟ ଜଣେ ଆଇନଜୀବୀ ଲଢ଼ିବେ ବୋଲି ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଅଭିଜିତ୍‌ କୋଣାର୍କ ମନ୍ଦିର, ଓଡ଼ିଶା, ଓଡ଼ିଆ ଓ ବିଧାୟକମାନଙ୍କ ସମ୍ପର୍କରେ କଟୁ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅଭିଜିତଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରାଯିବା ସହ ଗୃହ କମିଟି ନିକଟରେ ହାଜର ହେବାକୁ କୁହାଯାଇଥିଲା। କିନ୍ତୁ ଏହାକୁ ବେଖାତିର କରି ଅଭିଜିତ ଆଗୁଆ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ତାଙ୍କ ଜାମିନ୍‌ ଆ‌େବଦନକୁ ଚଳିତ ମାସ ୫ ତାରିଖରୁ ଖାରଜ କରିବା ସହ ଜେଲ୍‌ ହିଁ ତାଙ୍କ ପାଇଁ ସୁରକ୍ଷିତ ସ୍ଥାନ ବୋଲି ଟିପ୍ପଣୀ ଦେଇଥିଲେ। ଗତକାଲି ସେ ଗୃହ କମିଟିରେ ହାଜର ହେବାକୁ ଆସିଥିବା ବେଳେ କମିସନେରଟ ପୁଲିସ ତାଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର