ଏବି ରିୟଲଟେକ୍‌ ସର୍ଭିସେସ୍‌ର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ

ନିଲାମଲବ୍ଧ ଅର୍ଥ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ବଣ୍ଟନ ହେବ

କଟକ : ଏବି ରିୟଲଟେକ୍‌ ସର୍ଭିସେସ୍‌ ଲିମିଟେଡ୍‌ର ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତି କରି ନିଲାମ କରିବା ପାଇଁ କଟକ ସ୍ୱତନ୍ତ୍ର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଜିଲ୍ଲା ପିପିଲିରେ ଏବି ରିୟଲଟେକ୍‌ର ଥିବା ୫୪୫ ଡିସିମିଲ ଜମିକୁ ବାଜ୍ୟାପ୍ତି କରି ନିଲାମ କରାଯିବ। ସଂପୃକ୍ତ ଅର୍ଥକୁ ଏହି ଚିଟ୍‌ଫଣ୍ଡ୍‌ ସଂସ୍ଥା ଦ୍ଵାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବଣ୍ଟନ କରାଯିବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ବ୍ୟାଙ୍କରେ ଥିବା ସଂସ୍ଥାର ୮ ହଜାର ୪୪୪ ଟଙ୍କା ମଧ୍ୟ ଜବତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଚିଟ୍‌ଫଣ୍ଡ ମାମଲାର ଶୁଣାଣି ଲାଗି ଗଠିତ କଟକ ସ୍ୱତନ୍ତ୍ର ଅଦାଲତ ଏହାକୁ ମିଶାଇ ୧୨ଟି ସଂସ୍ଥାର ସଂପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦେଇ ସାରିଛନ୍ତି ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଭୁବନେଶ୍ୱରରେ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ଖୋଲି ଏବି ରିୟଲଟେକ୍‌ ବିଭିନ୍ନ ଯୋଜନାରେ ସ୍ୱଳ୍ପ ମୂଲ୍ୟରେ ଲୋକଙ୍କୁ ଜମି ଯୋଗାଇ ଦେବା ନାଁରେ ୨ କୋଟି ୯୬ ଲକ୍ଷ କୋଟରୁ ଅଧିକ ଟଙ୍କା ସଂଗ୍ରହ କରିଥିବା ଅଭିଯୋଗ ହୋଇଥିଲା। ହଠାତ ସଂସ୍ଥାର କାର୍ଯ୍ୟାଳୟ ବନ୍ଦ ହୋଇ ଯାଇଥିବା ବେଳେ ଜମାକରୀମାନେ ଏଭଳି ଠକେଇ ନେଇ ୨୦୧୪, ଜାନୁଆରି ୨୯ରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଥିଲେ। ୨୦୧୫ ଜୁନ୍‌ ୨୧ଏବି ରିୟଲଟେକ୍‌ର ମୁଖ୍ୟ ବି.କେଶବାନନ୍ଦ ପାତ୍ରଙ୍କୁ ବିଶାଖାପାଟଣାରୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ରାଜ୍ୟ ଅର୍ଥ ବିଭାଗ ଏବି ରିୟଲଟେକ୍‌ ସଂସ୍ଥାର ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତି ପାଇଁ ୨୦୧୬, ମେ’ ୧୭ରେ ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ଗତ ବର୍ଷ କଟକର ତତ୍କାଳୀନ ଏଡିଏମ୍‌ ତଥା ପ୍ରାଧିକୃତ ଅଧିକାରୀ ବିଭୂତି ଭୂଷଣ ଦାସ ଓପିଆଇଡି ଆଇନର ଧାରା ୪(୩)ରେ ଏବି ରିୟଲଟେକ୍‌ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି କରି ନିଲାମ ଲାଗି ଅନୁମତି ଲୋଡି ସ୍ୱତନ୍ତ୍ର ଅଦାଲତରେ ଆବେଦନ କରିଥିଲେ । ସଂସ୍ଥାର ମୁଖ୍ୟ ଓ ଅନ୍ୟ ଅଧିକାରୀଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଥିଲା। ମାମଲାର ଶୁଣାଣି ସମୟରେ ଆବେଦନକାରୀ ତଥା ପ୍ରାଧିକୃତ ଅଧିକାରୀ ଶ୍ରୀ ଦାସ ଓ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଅତିରିକ୍ତ ଏସପି ଗୋପବନ୍ଧୁ ପତି ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ। ତଦନ୍ତକାରୀ ସଂସ୍ଥା ଜବତ କରିଥିବା ଜମିଜମା କାଗଜପତ୍ର, ଦଲିଲ, ଚୁକ୍ତିପତ୍ର, ବ୍ୟାଙ୍କ ଆକାଉଣ୍ଟ୍‌ ବିବରଣୀ ଅଦାଲତରେ ଦାଖଲ କରିଥିଲା।

ସମ୍ବନ୍ଧିତ ଖବର