ସମ୍ବଲପୁର: ସମ୍ବଲପୁର ଆଇନଜୀବୀ ସଂଘ ‘ଯୁଦ୍ଧଂ ଦେହି’ ଡାକରା ଦେଇଛି। ‘କୌଣସି ପରିସ୍ଥିତିରେ ଚାପ ଆଗରେ ମୁଣ୍ଡ ନୁଅଁାଇବୁ ନାହିଁ। କୋର୍ଟ ବର୍ଜନ ଆନ୍ଦୋଳନ ଜାରି ରହିବ। ଏହାସତ୍ତ୍ବେ ଜଣଙ୍କୁ ନିଲମ୍ବନ କଲେ ୧୬୦୦ ଆଇନଜୀବୀ ଲାଇସେନ୍ସ ସମର୍ପଣ କରିବେ,’ ବୋଲି ସଂଘ ଚେତାବନୀ ଦେଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଖୀ କଣ୍ଢେଇ ସାଜି ବର୍ତ୍ତମାନର ଆଇନଜୀବୀ ପରିଷଦ ଓକିଲମାନଙ୍କ ସ୍ବାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ଅଭିଯୋଗ କରିଛି। ୧୬ ତାରିଖ ବୁଧବାରଠାରୁ ନିୟମିତ କାର୍ଯ୍ୟରେ ଯୋଗ ନଦେଲେ ସଂଘ କର୍ମକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନଜୀବୀ ପରିଷଦକୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଏଭଳି ଆଭିମୁଖ୍ୟ ରଖି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ନ୍ୟାଯ୍ୟ ଦାବି ହାସଲ ପାଇଁ ଯେକୌଣସି ପରିଣାମ ଭୋଗିବାକୁ ପ୍ରସ୍ତୁତ ବୋଲି କହିଛି। ଏଥିସହ ପ୍ରତି ବୁଧବାର ଚାଲିଥିବା ଓକିଲମାନଙ୍କ କୋର୍ଟ ବର୍ଜନ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରିଛି।

Advertisment

ଆଜି ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଏକ ଜରୁରୀକାଳୀନ ସାଧାରଣ ପରିଷଦ ବୈଠକ ହୋଇଥିଲା। ସଂଘର ସଭାପତି ସୁରେଶ୍ବର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସଂଘର ନିର୍ବାଚିତ କର୍ମକର୍ତ୍ତାଙ୍କ ବିରୋଧରେ ଭାରତୀୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷଙ୍କ ଆଦେଶ ଓ ରାଜ୍ୟ ଆଇନ୍‌ଜୀବୀ ପରିଷଦର ପତ୍ର, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର୍‌ଙ୍କ ତରଫରୁ ସୁପ୍ରିମ୍‌ କୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠ ଆଦି ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ କୁହାଯାଇଥିଲା ‌େଯ ସମ୍ବଲପୁର ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତାମାନେ ଗଣତାନ୍ତ୍ରିକ ପଦ୍ଧତିରେ ସମସ୍ତ ସଦସ୍ୟଙ୍କ ଭୋଟ୍‌ ଦ୍ବାରା ନିର୍ବାଚିତ ହୋଇଛନ୍ତି ଏବଂ ସାଧାରଣ ପରିଷଦର ନିଷ୍ପତ୍ତି ଅନୁଯାୟୀ ସଂଘ ପରିଚାଳନା କରୁଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅର୍ଥ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ପ୍ରତିଟି ସଦସ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ବୋଲି ବିଚାର କରାଯିବ। ଏହାକୁ ସଂଘର ପ୍ରତିଟି ସଦସ୍ୟ ଦୃଢ଼ ବିରୋଧ କରିବେ ଓ ଏହାର ଜବାବ ଦେବେ ବୋଲି ସଂଘ ପକ୍ଷରୁ ଘୋଷଣା କରାଯାଇଥିଲା।

ବହୁବରିଷ୍ଠ ଓ କନିଷ୍ଠ ଆଇନ୍‌ଜୀବୀ ଆଲୋଚନାରେ ଭାଗନେଇ ଜିଲ୍ଲା ଓକିଲ ସଂଘ ବିରୋଧରେ ଭାରତୀୟ ଆଇନଜୀବୀ ପରିଷଦ ଦେଇଥିବା ନିଲମ୍ବନ ଆଦେଶକୁ ନାପସନ୍ଦ କରିବା ସହ ଏହା କ୍ଷମତା ବହିର୍ଭୂତ ବୋଲି ମତ ରଖିଥିଲେ। ସେହିପରି ଓଡ଼ିଶା ହାଇକୋର୍ଟଙ୍କ ରେଜିଷ୍ଟ୍ରାର୍‌ ଜେନେରାଲ୍‌ଙ୍କ ପକ୍ଷପାତମୂଳକ ସତ୍ୟପାଠକୁ ବି ସଂଘ ସଦସ୍ୟମାନେ ତୀବ୍ର ବିରୋଧ କରିଥିଲେ। ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜିଲ୍ଲା ସଂଘ ସଭାପତି ଶ୍ରୀ ମିଶ୍ର କହିଥିଲେ ଯେ ଅତୀତରେ କନେଷ୍ଟବଳ ଓ ଓକିଲ ବିବାଦରେ ୮୬ ଦିନ ଧରି ଓଡ଼ିଶା ହାଇକୋର୍ଟକୁ ଅଚଳ କରି ଦିଆଯାଇଥିଲା। ହେଲେ ରେଜିଷ୍ଟ୍ରାର ଜେନେରାଲ୍‌ଙ୍କ ଯାଚିକାରେ ସେ ସଂପର୍କରେ ପଦଟିଏ କୁହାଯାଇନଥିଲା। ମାତ୍ର ଏ ଅଞ୍ଚଳର ବହୁ ପୁରୁଣା ଦାବିକୁ ନେଇ ଉଚ୍ଚ ନ୍ୟାୟାଳୟ ଓ ଓଡ଼ିଶା ସରକାର ନିରବ ରହିଛନ୍ତି, ତାହା ପୂରଣ ହେବାକୁ ଯାଉଥିଲା ବେଳେ ଚାପ ସୃଷ୍ଟି କରି, ଭୟଭୀତ କରି ଏହି ଆନ୍ଦୋଳନକୁ ଚାପି ଦେବାକୁ ଚକ୍ରାନ୍ତ କରାଯାଉଛି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ।

ସେହିଭଳି, ‘ଜନସାଧାରଣଙ୍କ ପକ୍ଷରୁ ଚାଲିଥିବା ଐତିହାସିକ ହାଇକୋର୍ଟ ବେଞ୍ଚ୍‌ ଆନ୍ଦୋଳନ ପାଇଁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଯେକୌଣସି ତ୍ୟାଗ କରିବାକୁ ପ୍ରସ୍ତୁତ ଓ ଆବଶ୍ୟକ ପଡ଼ିଲେ ସଂଘର ୧୬୦୦ ଆଇନ୍‌ଜୀବୀ ସାମୂହିକଭାବେ ଲାଇସେନ୍ସ ସମର୍ପଣ କରିବେ,’ ବୋଲି ସଂଘ ସଂପାଦକ ସରୋଜ ସାହୁ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୧୬ ତାରିଖ ଅର୍ଥାତ୍‌ ବୁଧବାରଠାରୁ ନିୟମିତ କାର୍ଯ୍ୟରେ ଯୋଗ ନଦେଲେ ସଂଘ କର୍ମକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନଜୀବୀ ପରିଷଦକୁ ସୁପ୍ରିମ୍‌ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।