ଏଣିକି କୋର୍ଟ ମାମଲା ତଦାରଖ କରିବେ ଡିଏସ୍ପି
କୋର୍ଟଙ୍କୁ ଜବାବ ଦାଖଲରେ ପୁଲିସ ଅବହେଳାକୁ ନେଇ ଡିଜିପିଙ୍କ ଉଦ୍ବେଗ, ମାମଲାକୁ ଗୁରୁତର ସହ ନନେଲେ କଡ଼ା କାର୍ଯାନୁଷ୍ଠାନ ଚେତାବନୀ
କଟକ : ହାଇକୋର୍ଟ ଓ ସୁପ୍ରିମ କୋର୍ଟଙ୍କ କେତେକ ନିର୍ଦେଶ ଉପରେ ରାଜ୍ୟର ଅନେକ ଏସ୍ପି ଓ ଇନ୍ସପେକ୍ଟରମାନେ କୌଣସି ଜବାବ ଦେଉନାହାନ୍ତି। ଏହାକୁ ପୁଲିସ୍ ମହାନିର୍ଦ୍ଦେଶକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ଗୁରୁତର ସହ ନେଇଥିଲା ବେଳେ ସମସ୍ତ ଏସ୍ପି, ଡିସିପି, ଏସ୍ଆର୍ପି ମାନେ ଏଥିପ୍ରତି ଯତ୍ନବାନ ହେବା ସହ କୋର୍ଟଙ୍କ ଆଦେଶକୁ ଅବମାନନା ନକରିବାକୁ ପରାମର୍ଶ ଦେଇଛନ୍ତି। ଯଦି ଭବିଷ୍ୟତରେ କୌଣସି ଅଧିକାରୀ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ଜବାବ ରଖିବାରେ କିମ୍ବା ପାଳନ କରିବାରେ ଅବହେଳା ପ୍ରଦର୍ଶନ କରନ୍ତି, ତାହେଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜି ଡକ୍ଟର ଶର୍ମା ଚେତାବନୀ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କେବଳ ସେତିକି ନୁହେଁ, ଡିଜିଙ୍କ ପକ୍ଷରୁ ଏନେଇ ଏକ ସର୍କୁଲାର ଜାରି କରାଯାଇଥିଲାବେଳେ ୮ସୂତ୍ରୀ ନିୟମାବଳୀକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ତଦନ୍ତକାରୀ ଅଧିକାରୀମାନେ ଠିକ୍ ସମୟରେ ଯେପରି କୋର୍ଟଙ୍କୁ ସେମାନଙ୍କର ଜବାବ ଦେବେ, ସେଥିପାଇଁ ଏସ୍ପି, ଡିସିପି ଓ ଏସ୍ଆର୍ପି ମାନଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ପ୍ରତ୍ୟେକ ଜିଲ୍ଲାର ଡିଏସ୍ପି (କ୍ରାଇମ୍)ଙ୍କୁ ପ୍ରତ୍ୟେକ ଦିନ କୋର୍ଟ ମାମଲା ଗୁଡ଼ିକୁ ଅନୁଧ୍ୟାନ କରିବା ପାଇଁ ନୋଡାଲ ଅଫିସର ଭାବେ ନିଯୁକ୍ତି କରାଯିବାକୁ କୁହାଯାଇଛି। ଠିକ୍ ସମୟରେ କୋର୍ଟରେ ଜବାବ ଦାଖଲ ହେଉଛି କି ନାହିଁ ସେଥିପାଇଁ ସେ ଉତ୍ତରଦାୟୀ ରହିବେ। ଏଥିସହିତ ଆଡ୍ଭୋକେଟ୍ ଜେନେରାଲ୍ଙ୍କ କାର୍ଯ୍ୟାଳୟରୁ ଆସୁଥିବା ଇ-ମେଲ୍ ଯୋଗାଯୋଗକୁ ଯାଞ୍ଚ କରିବା ଓ ତଦନ୍ତକାରୀ ଅଧିକାରୀଙ୍କୁ ସେ ବିଷୟରେ ଜଣାଇବା ଦାୟିତ୍ୱ ସଂପୃକ୍ତ ନୋଡାଲ୍ ଅଫିସରଙ୍କ ଦାୟିତ୍ୱ ରହିବ। ଏଥିସହିତ ନୋଡାଲ ଅଫିସର ଏକ ରେଜିଷ୍ଟର କିମ୍ବା ଡାଟାବେସ୍ ପ୍ରସ୍ତୁତ କରିବେ, ଯେଉଁଥିରେ ଏଜିଙ୍କ କାର୍ଯ୍ୟାଳୟରୁ ଆସୁଥିବା ସମସ୍ତ ମେଲ୍ କିମ୍ବା ଯୋଗାଯୋଗ ଖବରକୁ ରେକର୍ଡ କରାଯିବ ଏବଂ ସେଗୁଡ଼ିକର ଜବାବ କେବେ ଦିଆଗଲା ତାହା ମଧ୍ୟ ରେକର୍ଡ ରହିବ। ଡାଟାବେସ୍ ଫାଇଲ୍କୁ ସପ୍ତାହରେ ଦୁଇ ଥର ସଂପୃକ୍ତ ଜିଲ୍ଲାର ଏସ୍ପି ଯାଞ୍ଚ କରିବେ। ନୋଡାଲ ଅଫିସର ନିୟମିତ ଭାବେ ଜବାବୀ ସତ୍ୟପାଠ ଦାଖଲ ପାଇଁ ସରକାରୀ ଓକିଲ, ଅତିରିକ୍ତ ଆଇନ୍ଜୀବୀ ମାନଙ୍କ ସହ ଯୋଗାଯୋଗରେ ରହିବେ। ଅନ୍ୟପକ୍ଷରେ ସମସ୍ତ ନୋଡାଲ ଅଫିସର, ଇନ୍ସପେକ୍ଟର କିମ୍ବା ଭାରପ୍ରାପ୍ତ ଅଧିକାରୀମାନଙ୍କ ଇ-ମେଲ୍ ଆଇଡି ଓ ଫୋନ୍ ନମ୍ବରକୁ ଏଜିଙ୍କ କାର୍ଯ୍ୟାଳୟ ଓ କ୍ରାଇମ୍ବ୍ରାଞ୍ଚକୁ ପ୍ରତି ୧୫ଦିନରେ ଥରେ ପ୍ରଦାନ କରାଯିବ। ଉକ୍ତ ନିର୍ଦ୍ଦେଶନାମା ଓ ନିୟମାବଳୀକୁ ଯେପରି ଠିକ୍ ଭାବେ କାର୍ଯ୍ୟକରାଯାଉଥିବ, ତାହାକୁ ସଂପୃକ୍ତ ଏସ୍ପି, ଡିସିପି, ଏସ୍ଆର୍ପି ମାନେ ବ୍ୟକ୍ତିଗତ ଭାବେ ଯାଞ୍ଚ କରୁଥିବେ। କୌଣସି ସ୍ଥାନରେ ଅବହେଳା ହେଉଥିବା ଜଣାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦିଆଯାଇଛି।
ସର୍କୁଲାର ଅନୁଯାୟୀ, ସିଆର୍ଏଲ୍ଏମ୍ପି ନଂ ୧୩୨୦/୨୦୧୫ରେ ବାରମ୍ବାର କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ତଦନ୍ତ ଅଧିକାରୀ କେସ୍ ଡାଏରୀ, ଷ୍ଟାଟସ୍ ରିପୋର୍ଟ ଇତ୍ୟାଦି ଦାଖଲ କରିନଥିଲେ। ଏପରିକି ଏଫ୍ଆଇଆର୍ ରୁଜୁ ହୋଇନଥିବା, ଅଭିଯୁକ୍ତକୁ ଗିରଫ କରିବାରେ ପୁଲିସ୍ର ନିଷ୍କ୍ରିୟତା, ତଦନ୍ତରେ ବିଳମ୍ବ, ଜାମିନ୍ ବିହୀନ ଗିରଫ ପରଓ୍ଵାନାକୁ କାର୍ଯ୍ୟକାରୀ ନକରାଇବା ଇତ୍ୟାଦି ଅଭିଯୋଗରେ ଏକାଧିକ କ୍ରିମିନାଲ୍ ମିସ୍କେସ୍ ଫାଇଲ୍ ହୋଇଛି। ଆଡ୍ଭୋକେଟ୍ ଜେନେରାଲ୍ଙ୍କ ପକ୍ଷରୁ ବାରମ୍ବାର ରିମାଇଣ୍ଡର ଦିଆଯିବା ପରେ ବି ସଂପୃକ୍ତ ଏସ୍ପି କିମ୍ବା ଇନ୍ସପେକ୍ଟରମାନେ କୌଣସି ଜବାବ ଦେଉନଥିବା ଅଭିଯୋଗ ଆସିଛି। ଏହା ଉପରେ ପୂର୍ବରୁ ମଧ୍ୟ ଏକାଧିକ ପୁଲିସ୍ ସର୍କୁଲାର ମାଧ୍ୟମରେ ନିର୍ଦ୍ଦେଶନାମା ଜାରି ହୋଇଥିଲେ ବି କୋର୍ଟ ମାମଲାଗୁଡ଼ିକର ମହତ୍ୱ ଓ ଗୁରୁତ୍ୱକୁ ତଦନ୍ତକାରୀ ଅଧିକାରୀମାନେ ବୁଝିବାକୁ ଚେଷ୍ଟା କରୁନଥିବାରୁ ପୁଲିସ୍ ମହାନିର୍ଦ୍ଦେଶକ ଉଦ୍ବେଗ ପ୍ରକାଶ କରିଛନ୍ତି। ତେଣୁ ଏହାକୁ ଗୁରୁତର ଭାବେ ଗ୍ରହଣ କରିବାକୁ କୁହାଯାଇଥିଲାବେଳେ ଅବହେଳା ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଚେତାବନୀ ଦିଆଯାଇଛି।