କଟକ : ଅଦାଲତ ଅବମାନନା ମାମଲାର ଶୁଣାଣି ସମୟରେ ହାଇକୋର୍ଟରେ ସମବାୟ ବିଭାଗ ସଚିବ ଭି.ଭି. ଯାଦବ ଓ କୋଅପରେଟିଭ୍ ସୋସାଇଟିଜ୍ ରେଜିଷ୍ଟ୍ରାର ସୁଶାନ୍ତ କୁମାର ବାରିକ ବ୍ୟକ୍ତିଗତଭାବେ ହାଜର ହୋଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ବାରମ୍ବାର ସୁଯୋଗ ଦେବା ସତ୍ତ୍ବେ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଉ ନ ଥିବାରୁ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ହାଇକୋର୍ଟ ଦୁଇ ଅଧିକାରୀଙ୍କୁ ଶେଷ ସୁଯୋଗ ଦେଇଛନ୍ତି। ଏକ ସପ୍ତାହ ଭିତରେ ୨୦୨୦ ଫେବ୍ରୁଆରି ୨୫ର ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଦୁଇ ଅଧିକାରୀଙ୍କୁ କହିଛନ୍ତି। ଜଷ୍ଟିସ୍ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶ ଯେ ସମବାୟ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଆବେଦନକାରୀଙ୍କ ଚାକିରି ସଂପର୍କିତ ମାମଲାରେ ଓଡ଼ିଶା ପ୍ରାଶାସନିକ ଟ୍ରିବ୍ୟୁନାଲ୍ (ସ୍ୟାଟ୍) ରାୟ ଦେଇଥିଲେ। ସ୍ୟାଟ୍ଙ୍କ ନିର୍ଦ୍ଦେଶ ଏକ ମାସ ଭିତରେ କାର୍ଯ୍ୟକାରୀ କରିବାକୁ ହାଇକୋର୍ଟ ୨୦୨୦ ଫେବ୍ରୁଆରି ୨୫ରେ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଆବେଦନକାରୀ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ହାଇକୋର୍ଟ ପୂର୍ବ ନିର୍ଦ୍ଦେଶ ୩ ମାସ ଭିତରେ କାର୍ଯ୍ୟକାରୀ କରିବା ପାଇଁ ସଚିବ ଓ ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସତ୍ତ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ହାଇକୋର୍ଟ ଏପ୍ରିଲ ୬ରେ ନିଜ ଆଡୁ ଅଦାଲତ ଅବମାନନା ପ୍ରକ୍ରିୟା ଆରମ୍ଭ କରିଥିଲେ।