ଅଦାଲତ ଅବମାନନା ମାମଲା: ଉଚ୍ଚଶିକ୍ଷା ନିର୍ଦ୍ଦେଶକ, କଲେଜ ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ

କଟକ : ପୂର୍ବ ନି‌ର୍ଦ୍ଦେଶ ପାଳନରେ ଅବହେଳା ଓ ଅଦାଲତ ଅବମାନନା ମାମଲାରେ ଭୁଲ ତଥ୍ୟ ଦାଖଲ ଅଭିଯୋଗ ସଂପର୍କିତ ମାମଲାରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଓ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାସ୍ଥିତ ଆଦିବାସୀ କଲେଜ ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାଣିଶୁଣି ଅଦାଲତଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରିଥିବାରୁ କାହିଁକି ସେମାନଙ୍କୁ ଅଦାଲତ ଅବମାନନା ଆଇନ ଅନୁସାରେ ଦଣ୍ଡିତ କରା ନ ଯିବ, ସେ ନେଇ ବ୍ୟକ୍ତିଗତ ଭାବେ ହାଜର ହୋଇ କାରଣ ଦର୍ଶାଇବାକୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଓ ଆଦିବାସୀ କଲେଜ ଅଧ୍ୟକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୧୭ ତାରିଖ ଦିନ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଓ ଅଧ୍ୟକ୍ଷ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହେବେ। ଅଦାଲତ ଅବମାନନା ମାମଲା ବିଚାରାଧୀନ ଥିବାବେଳେ ପୂର୍ବ ନିର୍ଦ୍ଦେଶ ପାଳନ କରାଯାଇ ପାରିବ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଛି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଦିବାସୀ କଲେଜର ପୂର୍ବତନ ଇଂରାଜୀ ଅଧ୍ୟାପକ ବିଦ୍ୟୁତାନନ୍ଦ ବସ୍ତିଆଙ୍କ ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ତ୍ରିଲୋଚନ ବାରିକ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର