ଅଦାଲତ ଅବମାନନା ମାମଲା: ହାଇକୋର୍ଟରେ ଉଚ୍ଚଶିକ୍ଷା ସଚିବ ବ୍ୟକ୍ତିଗତ ହାଜର

କଟକ: ଅଦାଲତ ଅବମାନନା ମାମଲାର ଶୁଣାଣି ସମୟରେ ହାଇକୋର୍ଟରେ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇଛି ବୋଲି ସଚିବ ଦର୍ଶାଇଥିଲେ। ଅନ୍ୟପକ୍ଷରେ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯାଇ ନାହିଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ୧୯୯୪ ବଦଳରେ ୨୦୧୭ରୁ ଆବେଦନକାରୀଙ୍କୁ ଅନୁଦାନ ପ୍ରଦାନ କରାଯିବା ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶର ଉଲ୍ଲଂଘନ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଦାଲତ ଅବମାନନା ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ସହିତ କଂପ୍ଲାଏନ୍ସ ରିପୋର୍ଟ ଦାଖଲ ପାଇଁ ଉଚ୍ଚଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୫କୁ ଧାର୍ଯ୍ୟ କରାଯାଇଛି। ଜୟପାଟଣାର ଇନ୍ଦ୍ରାବତୀ ମହାବିଦ୍ୟାଳୟ ଓ ନବରଙ୍ଗପୁରର ଇନ୍ଦ୍ରାବତୀ ପ୍ରୋଜେକ୍ଟ କଲେଜର ଅଧ୍ୟାପକ ଓ କର୍ମଚାରୀଙ୍କ ପକ୍ଷରୁ ଅଗତ ଅଦାଲତ ଅବମାନନା ମାମଲାର ଶୁଣାଣି କରି ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୯୪ ଗ୍ରାଣ୍ଟ୍-ଇନ୍-ଏଡ୍ ଅନୁସାରେ ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ପ୍ରଦାନ ପ୍ରସଂଗକୁ ନେଇ ୨୦୧୦ରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୫, ଏପ୍ରିଲ ୧୬ରେ ହାଇକୋର୍ଟ ମାମଲାର ଶୁଣାଣି କରି ଆବେଦନକାରୀଙ୍କ ଦାବି ପ୍ରସଂଗରେ ବିଚାର କରି ନିଷ୍ପତ୍ତି ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଆବେଦନକାରୀ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ। ଏହି ପ୍ରସଂଗରେ ଅଦାଲତଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା ଅଭିଯୋଗରେ ଉଚ୍ଚଶିକ୍ଷା ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ କାରଣ ଦର୍ଶାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବାରମ୍ବାର ନିର୍ଦ୍ଦେଶ ସତ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଉ ନଥିବାରୁ ଅଦାଲତ ଅବମାନନା ମାମଲାର ଶୁଣାଣି ସମୟରେ ଖଣ୍ଡପୀଠ ଅସନ୍ତୋଷବ୍ୟକ୍ତ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର