ଅଦାଲତ ଅବମାନନା ମାମଲା : ହାଇକୋର୍ଟରେ ହାଜର ହେବେ ଉଚ୍ଚଶିକ୍ଷା ସଚିବ

କଟକ : ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା ପାଇଁ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ରଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ପୂର୍ବ ଆଦେଶ ପାଳନ କରି ଫେବ୍ରୁଆରି ୧୮ ତାରିଖ ଦିନ କଂପ୍ଲାଏନ୍ସ ରିପୋର୍ଟ ସହିତ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଉଚ୍ଚଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେବାଶିଷ ସାହୁଙ୍କୁ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ‌ଆବେଦନକାରୀଙ୍କ ବାପା ବିମ୍ବାଧର ସାହୁ ଇଂରାଜୀ ଅଧ୍ୟାପକ ଭାବେ ବାଲେଶ୍ବର ଜିଲ୍ଲାର ବାଲିଆପାଳସ୍ଥିତି ଲକ୍ଷ୍ମୀପ୍ରିୟା କନିଷ୍ଠ ମହିଳା ମହାବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ। ୨୦୧୪, ଫେବ୍ରୁଆରି ୩ରେ ବିମ୍ବାଧର ସାହୁଙ୍କ ପରଲୋକ ପରେ ଦେବାଶିଷ ଥଇଥାନ ଯୋଜନାରେ ବାପାଙ୍କ ସ୍ଥାନରେ ଚାକରି ପାଇଁ ଦରଖାସ୍ତ କରିଥିଲେ। ୨୦୧୬ରେ ସରକାର ଦେବାଶିଷଙ୍କ ଦରଖାସ୍ତ ଖାରଜ କରିବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ରୀତାଞ୍ଜଳି ଗିରି ମାମଲାର ରାୟ ଆଧାରରେ ଦେବାଶିଷଙ୍କ ଥଇଥାନ ଯୋଜନାରେ ନିଯୁକ୍ତ ପ୍ରସଂଗକୁ ବିଚାରକୁ ନେଇ ୪ ମାସ ଭିତରେ ନିଷ୍ପତ୍ତି ନେବାକୁ ଉଚ୍ଚଶିକ୍ଷା ବିଭାଗକୁ ହାଇକୋର୍ଟ ୨୦୧୯, ଏପ୍ରିଲ ୨୬ରେ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ୨୦୧୯, ଡିସେମ୍ବର ୨୩ରେ ହାଇକୋର୍ଟରେ ଦେବାଶିଷ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ୨୦୧୯, ଏପ୍ରିଲ ୨୬ର ଆଦେଶ ୧ ମାସ ଭିତରେ କାର୍ଯ୍ୟକାରୀ ପାଇଁ ଏହି ଅଦାଲତ ଅବମାନନା ମାମଲାର ଶୁଣାଣି କରି ହାଇକୋର୍ଟ ୨୦୨୦, ଫେବ୍ରୁଆରି ୭ରେ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଦେବାଶି‌ଷ ଦ୍ବିତୀୟ ଅଦାଲତ ଅବମାନନା ମାମଲା ୨୦୨୦, ସେପ୍ଟେମ୍ବର ୩୦ରେ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ରଙ୍କୁ ପକ୍ଷଭୁକ୍ତ କରି ରୁଜୁ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପୀନାଥ ସେଠୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର