କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ମାମଲା: ଭଦ୍ରକ କୋର୍ଟରେ ଝୁନା ଭୋଇର ଜାମିନ ଆବେଦନ ଉପରେ ଶୁଣାଣି, ରାୟ ସ୍ଥଗିତ

ଭଦ୍ରକ: ବହୁଚର୍ଚ୍ଚିତ ନୟାଗଡ଼ର କ୍ୟାମେରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଝୁନା ଭୁୟାଁର ଜାମିନ ଆବେଦନ ଉପରେ ଆଜି ଭଦ୍ରକ ଜିଲ୍ଲା ଅଦାଲତରେ ଶୁଣାଣି ହୋଇଛି। ଜିଲ୍ଲା ଜଜ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଦାଲତରେ ଶୁଣାଣି ପରେ ରାୟ ସ୍ଥଗିତ ରଖାଯାଇଛି।

ସୂଚନାଯୋଗ୍ୟ, ମାନସଙ୍କୁ ଚାନ୍ଦବାଲି ଅଞ୍ଚଳରୁ ଅପହରଣ କରାଯାଇ ଭୁବନେଶ୍ବରସ୍ଥିତ ଦୟାଲ ଆଶ୍ରମରେ ନିର୍ଯ୍ୟାତନା ଦିଆଯାଇ ହତ୍ୟା କରାଯିବା ପରେ ତାଙ୍କ ମୃତ ଶରୀରକୁ ନୟାଗଡ ନିକଟରୁ ମିଳିଥିଲା। ଚାନ୍ଦବାଲି ପୁଲିସ ମାମଲା ରୁଜୁ କରି ପ୍ରଥମେ ତଦନ୍ତ ଭାର ନେଇଥିଲେ ବି ପରେ ମାମଲାର ଗୁରୁତ୍ବ ଉପଲବ୍ଧି କରି ରାଜ୍ୟ ସରକାର ଗତ ମାର୍ଚ୍ଚ ମାସ ୨୩ ତାରିଖରେ ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ସଂପୂର୍ଣ୍ଣା ନ୍ୟୁଜର ମାଲିକାଣି ଶର୍ମିଷ୍ଠା ରାଉତକୁ ଗିରଫ କରିଥିଲା। ଏହା ପରେ ତାର ବୟାନ ଅନୁଯାୟୀ ସହଯୋଗୀ ଝୁନା ଭୋଇ ସମେତ କୃଷ୍ଣଚନ୍ଦ୍ର ନାୟକ, ନିରଞ୍ଜନ ସେଠୀ, ଭାଗ୍ୟଧର ନାୟକ, ରଂଜନ କୁମାର ନାୟାକଙ୍କୁ ଗିରଫ କରିଥିଲା।

କ୍ରାଇମବ୍ରାଞ୍ଚ ଇତି ମଧ୍ୟରେ ମାମଲାର ତଦନ୍ତ ଶେଷ କରି ଚୁଡାନ୍ତ ଚାର୍ଜସିଟ୍ ଚାନ୍ଦବାଲି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଦାଖଲ କରିବା ପରେ ଚଳିତ ମାସ ୮ ତାରିଖରେ ମାମଲାଟି ବିଚାର ପାଇଁ ଜିଲ୍ଲା ଜଜ୍ କୋର୍ଟକୁ ସ୍ଥାନାନ୍ତର ହୋଇ ଚାର୍ଜଫ୍ରେମ୍‌ ପାଇଁ ଆସନ୍ତା ମାସ ୧୦ ତାରିଖକୁ ତାରିଖ ଧାର୍ଯ୍ୟ କରାଯାଇଛି। ମାତ୍ର ଇତି ମଧ୍ୟରେ ଅନ୍ୟତମ ଅଭିଯୁକ୍ତ ପରମେଶ୍ବର ରାଉତକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଜାମିନରେ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିବାରୁ ଓ ଉକ୍ତ ଆଦେଶ ବଳରେ ସେ ଜେଲରୁ ମୁକୁଳି ସାରିଥିବାରୁ ଗତ ୮ ତାରିଖରେ ଝୁନା ଭୋଇ ମଧ୍ୟ ଜାମିନ ପାଇଁ ଦରଖାସ୍ତ କରିଥିଲେ।

ଆଜି ଶୁଣାଣି ସମୟରେ ଝୁନା ଭୋଇଙ୍କ ତରଫରୁ ମାନସ ହତ୍ୟାକାଣ୍ଡରେ ତାଙ୍କର କୌଣସି ସଂପୃକ୍ତି ନ ଥିବାରୁ ଓ ପୁଲିସ ଆଗରେ ମାନି ଥିବା ଦୋଷ ଆଇନ ଅନୁଯାୟୀ ଗ୍ରହଣୀୟ ନ ଥିବାର ତାଙ୍କର ଓକିଲ ଯୁକ୍ତି ଉପସ୍ଥାପନ କରି ତାଙ୍କୁ ଜାମିନ ପ୍ରଦାନ ପାଇଁ କହିଥିଲେ। କିନ୍ତୁ କ୍ରାଇନବ୍ରାଞ୍ଚ ତରଫରୁ ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ୍ତ କୁମାର ସାମଲ ମାନସଙ୍କ କ୍ୟାମେରା ଓ ମୋବାଇଲ ଚିପ ଝୁନା ପାଖରୁ ଜବତ ହୋଇ ଥିବାରୁ ସୁପରିକଳ୍ପିତ ହତ୍ୟାକାଣ୍ଡ ଓ ଷଡଯନ୍ତ୍ରରେ ତାଙ୍କର ସଂପୃକ୍ତି ରହିଛି ବୋଲି ଯୁକ୍ତି କରିଥିଲେ। ଏଣୁ ତାଙ୍କ ଜାମିନକୁ ଖାରଜ କରାଯାଉ ବୋଲି ସେ କହିଥିଲେ। ତେବେ ଜିଲ୍ଲା ଜଜ୍ ଆଜି ତାର ଜାମିନ ଶୁଣାଣି କରି ତାଙ୍କର ରାୟକୁ ସ୍ଥଗିତ ରଖିଛନ୍ତି।

ସମ୍ବନ୍ଧିତ ଖବର