ଅଦାଲତ ଅବମାନନା ମାମଲା : ଗଣଶକ୍ଷା ସଚିବଙ୍କୁ ବ୍ୟକ୍ତିଗତ ହାଜର ନିର୍ଦ୍ଦେଶ

କଟକ : ହାଇକୋର୍ଟ ଅଦାଲତ ଅବମାନନା ମାମଲାର ଶୁଣାଣି କରି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ବି.ଆର. ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟଙ୍କ ୨୦୧୫ର ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯିବାରେ ଅବହେଳା ଅଭିଯୋଗ ନେଇ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ, ହାଇକୋର୍ଟଙ୍କ ୨୦୧୫, ମେ’ ୪ର ଆଦେଶ ଏ ପର୍ଯ୍ୟନ୍ତ ଗଣଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଇ ନାହିଁ। ଏପରି ପରିସ୍ଥିତିରେ ତୁରନ୍ତ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଗଣଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଆବେଦନକାରୀ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କୁ ବେଆଇନ ଭାବେ ଶିକ୍ଷା ସହାୟକ ପଦରେ ନିଯୁକ୍ତିରୁ ବଞ୍ଚିତ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ଆବେଦନକାରୀ ୨୦୧୪ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏ ସଂପର୍କିତ ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ଶିକ୍ଷା ସହାୟକ ପଦରେ ନିଯୁକ୍ତି ଦେବା ପାଇଁ ହାଇକୋର୍ଟ ୨୦୧୫, ମେ’ ୪ରେ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଗଣଶିକ୍ଷା ବିଭାଗ କାର୍ଯ୍ୟକାରୀ କରିବାରେ ଅବହେଳା କରିବାରୁ ଆବେଦନକାରୀ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଅନ୍ୟପକ୍ଷରେ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ରାୟକୁ ଚାଲେଞ୍ଜ କରି ଗଣଶିକ୍ଷା ବିଭାଗ ହାଇକୋର୍ଟରେ ରିଟ୍ ଅପିଲ ଦାୟର କରିଥିଲା। ୨୦୧୯, ନଭେମ୍ବର ୯ରେ ସରକାରଙ୍କ ରିଟ୍ ଅପିଲକୁ ହାଇକୋର୍ଟ ଖାରଜ କରିବା ସହିତ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ୨୦୧୫, ମେ’ ୪ର ରାୟକୁ କାଏମ ରଖିଥିଲେ। ଏହାପରେ ମଧ୍ୟ ଗଣଶିକ୍ଷା ବିଭାଗ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରି ନଥିଲା। ଅଦାଲତ ଅବମାନନା ମାମଲାର ଶୁଣାଣି କରି ହାଇକୋର୍ଟ ଗଣଶିକ୍ଷା ବିଭାଗକୁ ପୂର୍ବ ଆଦେଶ କାର୍ଯ୍ୟକାରୀ ପାଇଁ ଶେଷ ସୁଯୋଗ ଦେଇଥିଲେ ମଧ୍ୟ ବିଭାଗ ପକ୍ଷରୁ କିଛି ପଦକ୍ଷେପ ନିଆଯାଇ ନଥିଲା।

ଆବେଦନକାରୀ ବିଶ୍ବଭୂଷଣ ରାୟଗୁରୁଙ୍କ ପକ୍ଷରୁ ଆଇନଜୀବୀ ଶୁଭାଶିଷ ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର