କଟକ : ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା ଅଭିଯୋଗ ସଂପର୍କିତ ମାମଲାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟର ରିଟ୍ ଅପିଲର ଶୁଣାଣି ସମୟରେ ପ୍ରତିପକ୍ଷ ଦର୍ଶାଇଥିଲେ ଯେ ଗତ ଅଗଷ୍ଟ ୨୦ ତାରିଖର ନିର୍ଦ୍ଦେଶ ଜିଲ୍ଲାପାଳ ଏ ପର୍ଯ୍ୟନ୍ତ ପାଳନ କରି ନାହାନ୍ତି। ଏ ନେଇ ପ୍ରତିପକ୍ଷ ପରିମଳ ଧରା ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ସତ୍ୟପା‌ଠ ଦାଖଲ କରିଥିଲେ। ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇ ନ ଥିବା ଦୃଷ୍ଟିରୁ ପରବର୍ତ୍ତୀ ଶୁଣାଣି ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ହାଜର ହେବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୨କୁ ଧାର୍ଯ୍ୟ କରାଯାଇଛି। ଯଦି ଅଗଷ୍ଟ ୨୦ର ନିର୍ଦ୍ଦେଶ ଏହି ସମୟ ମଧ୍ୟରେ କାର୍ଯ୍ୟକାରୀ ନ କରାଯାଏ ତେବେ ଜିଲ୍ଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି।