ଚନ୍ଦନେଶ୍ୱର: ଛେଳି ଚୋରି କରି ହୋଟେଲ୍ରେ ମାଂସ ତରକାରି ବିକ୍ରି ଅଭିଯୋଗରେ ହୋଟେଲ୍ ମାଲିକ କୋର୍ଟ ଚାଲାଣ ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ହୁଗୁଳି ପଞ୍ଚାୟତ ଅଧୀନ ବିନ୍ଧାପଦ୍ମପୁର ଗାଁ’ର ସେକ ମେହେରବାନ ସାହା ଛେଳି ଚାଷ କରି ଜୀବିକା ନିର୍ବାହ କରନ୍ତି। ୪ ମାସ ମଧ୍ୟରେ ତାଙ୍କର ୨୨ଟି ଛେଳି ଗାଏବ ହୋଇଯାଇଥିଲା। ତେବେ ଗତ ରବିବାର ଓ ସୋମବାର ତାଙ୍କର ଆଉ ୨ଟି ଛେଳି ମିଳି ନଥିଲା। ଫଳରେ ମଙ୍ଗଳବାର ସଂଦେହରେ ମେହେରବାନ ତାଳସାରୀ ବେଳାଭୂମିରେ ଥିବା ହୋଟେଲ୍ ମିନତୀର ରୋଷେଇ ଘରେ ପଶିଥିଲେ ଏବଂ ତରକାରି କରି ବିକ୍ରି ପାଇଁ ରଖାଯାଇଥିବା କଟା ମାଂସ ଦେଖିଥିଲେ।
ମେହେରବାନ ତାଳସାରୀ ମେରାଇନ୍ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବୁଧବାର ଥାନା ଅଧିକାରିଣୀ ସୁଜାତା ମଲ୍ଲିକ ଏବଂ ଏଏସ୍ଆଇ ଭଗବାନ ଦାସ ସଦଳବଳେ ହୋଟେଲ୍ରେ ପହଂଚି ତଦନ୍ତ କରିଥିଲେ। ଏହି ସମୟରେ ସେଠାରୁ ୫ କେଜି ମାଂସ ଜବତ କରାଯିବା ସହ ମାଲିକ, ୨ ଜଣ ଯୁବକ ଓ ସଂଦିଗ୍ଧ ୫ ଜଣ ଯୁବତୀଙ୍କୁ ଅଟକ ରଖାଯାଇଥିଲା। ସମସ୍ତଙ୍କୁ ଥାନା ନେଇ ପଚରାଉଚରା ଚାଲିଥିଲା। ଏନେଇ ଥାନାରେ ୭୧/୨୨ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଆଜି ହୋଟେଲ୍ ମାଲିକ ବାସୁଦେବ ପାଳଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେହିପରି ହୋଟେଲ୍ର ୩ ଜଣ କର୍ମଚାରୀ ଫେରାର୍ ଥିବା ଜଣାପଡ଼ିଛି।