କିରାଣିଙ୍କ ଭୁଲ୍‌, ସଚିବ ହାଜର ହେବେ କୋର୍ଟରେ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୁପ୍ରିମ୍‌କୋର୍ଟଙ୍କ ରାୟ ଏବଂ ସ୍ୟାଟ୍‌ଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନ କରିବା ଫଳରେ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ୧୦ ବର୍ଷ ଧରି ତାଙ୍କର ଅବସରକାଳୀନ ପ୍ରାପ୍ୟ ପାଇପାରୁନାହାନ୍ତି। ଏ ପ୍ରସଙ୍ଗରେ ରାଜ୍ୟ ସରକାର ଯେଉଁ ଆଦେଶନାମା ଜାରି କରିଛନ୍ତି ତାହାକୁ ବି ବିଭାଗ ପାଳନ କରୁନାହିଁ। ଏଥିରେ ବିସ୍ମୟ ପ୍ରକାଶ କରି ସ୍ୟାଟ୍‌ ବିଭାଗୀୟ ଶାସନ ସଚିବଙ୍କୁ ଚଳିତମାସ ୨୦ ତାରିଖରେ ବ୍ୟକ୍ତିଗତ ଭାବେ ଅଦାଲତରେ ହାଜର ହୋଇ ଅଦାଲତ ଅବମାନନା ମାମଲାର ଚାର୍ଜସିଟ୍‌ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଏବେ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଜେନାଙ୍କ ସମେତ ୩୯୦ ଜଣ ଶିକ୍ଷକଙ୍କ ସମ୍ପର୍କରେ ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ତଦନୁଯାୟୀ ୩୯୦ଟି ଜୁନିଅର୍‌ ଏସ୍‌ଇଏସ୍‌ ପଦବି ସୃଷ୍ଟି କରାଯାଇଥିଲା। ଇତିମଧ୍ୟରେ ଶ୍ରୀ ଜେନାଙ୍କ ବ୍ୟତୀତ ଅନ୍ୟ ୩୮୯ ଜଣ ଶିକ୍ଷକ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ସୁବିଧା ସୁଯୋଗ ଓ ବର୍ଦ୍ଧିତ ଦରମା ପାଇସାରିଛନ୍ତି। ତେବେ ଶ୍ରୀ ଜେନା ୧୯୭୫ ସେପ୍ଟେମ୍ବର ପହିଲାରେ ବିଶ୍ୱବିଦ୍ୟାଳୟରୁ ବି.ଏଡ୍‌ ପାସ୍‌ କରିଥିଲେ ମଧ୍ୟ ଭୁଲ୍‌ ବଶତଃ ତାହାକୁ ୧୯୭୫ ମସିହା ଡିସେମ୍ବର ୬ ତାରିଖ ବୋଲି ଦର୍ଶାଯାଇଥିଲା। ଏଥିଯୋଗୁ ଶ୍ରୀ ଜେନାଙ୍କୁ ବର୍ଦ୍ଧିତ ଦରମା ଦିଆଯାଇନଥିଲା। ଏହା ତ୍ରୁଟିପୂର୍ଣ୍ଣ ବୋଲି ସ୍କୁଲ ଇନ୍ସପେକ୍ଟରଙ୍କ ଠାରୁ ଆରମ୍ଭ କରି ନିର୍ଦ୍ଦେଶକ, ଏମିତିକି ବିଭାଗୀୟ ଶାସନ ସଚିବ ମଧ୍ୟ ସ୍ୱୀକାର କରିଥିଲେ। ତେବେ ପ୍ରଶାସନିକ ବ୍ୟବସ୍ଥାରେ ଏହି ତ୍ରୁଟି ସଂଶୋଧନ ଲାଗି ପ୍ରାୟ ୩୦ ବର୍ଷ ସମୟ ଲାଗିଯାଇଥିଲା।

ସ୍ୟାଟ୍‌ଙ୍କ ନିର୍ଦ୍ଦେଶ ପରେ ସରକାର ୨୦୦୮ ଜୁଲାଇ ମାସରେ ତ୍ରୁଟି ସଂଶୋଧନ କରିଥିଲେ। ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିବା ସଙ୍ଗେ ସଙ୍ଗେ ଶ୍ରୀ ଜେନା ୨୦୦୭ ମସିହାରୁ ଅବସର ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ସଂଶୋଧନ ମୁତାବକ ତାଙ୍କର ସମସ୍ତ ପ୍ରାପ୍ୟ ଦେଇଦେବା ଲାଗି ଖୋଦ୍‌ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏହାର ଅନୁପାଳନ କରି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସଂଶୋଧିତ ଦସ୍ତାବିଜ୍‌ ସହିତ ଶ୍ରୀ ଜେନାଙ୍କୁ ତାଙ୍କର ପ୍ରାପ୍ୟ ପ୍ରଦାନ ଲାଗି ୨୦୧୦ ମସିହାରୁ ସରକାରଙ୍କୁ ପ୍ରସ୍ତାବ ଦେଲେଣି। ଇତିମଧ୍ୟରେ ସ୍ୟାଟ୍‌ ବି ୭ ବର୍ଷ ତଳୁ ଏହି ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ସମସ୍ତ ପ୍ରାପ୍ୟ ତିନିମାସ ମଧ୍ୟରେ ଚୂଡ଼ାନ୍ତ କରି ଦେଇଦେବା ଲାଗି ସରକାରଙ୍କୁ କହିଛନ୍ତି। ଏଥିସହ ୩ ଜଣ ଶାସନ ସଚିବ ଓ ୫ ଜଣ ନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ଭାବେ ଭେଟି ପ୍ରାପ୍ୟ ପ୍ରଦାନ ଲାଗି ଶ୍ରୀ ଜେନା ଅନୁରୋଧ କରିଥିଲେ ମଧ୍ୟ କିଛି ଫଳ ମିଳିନାହିଁ।

ଇତିମଧ୍ୟରେ ବିଭାଗୀୟ ନିର୍ଦ୍ଦେଶକ ସ୍ୟାଟ୍‌ରେ ସତ୍ୟପାଠ ଦାଖଲ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପରକୁ ଦୋଷ ଠେଲିଛନ୍ତି। ଏ ସଂକ୍ରାନ୍ତ ଅଦାଲତ ଅବମାନନା ମାମଲା ୬ ବର୍ଷ ଧରି ଗଡ଼ିଚାଲିଛି। ଆବେଦନକାରୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପକ୍ଷରୁ ଆଇନଜୀବୀ ଶିବପ୍ରସାଦ ପତି ମାମଲା ଲଢ଼ୁଛନ୍ତି।

ସମ୍ବନ୍ଧିତ ଖବର