ସ୍ବାମୀ-ସ୍ତ୍ରୀଙ୍କୁ ୭ଦିନ ଏକାଠି ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ, ଭଡ଼ାଘର ଦେଖିବେ ଥାନା ଅଧିକାରୀ

ନ୍ୟାୟ ପାଇଁ ବୋହୂର ଧାରଣା

ବ୍ରହ୍ମପୁର: ନ୍ୟାୟ ପାଇଁ ବୋହୂ ତପସ୍ବିନୀ ଦାଶ ବ୍ରହ୍ମାନଗରସ୍ଥିତ ଶ୍ବଶୁର ଘର ଆଗରେ ଧାରଣା ଦେଇଥିଲେ। ତାଙ୍କ ଦ୍ବାରା କୋର୍ଟରେ ରୁଜୁ ହୋଇଥିବା ପିଟିସନ୍‌(ଏମ୍‌ସି ନମ୍ବର-୩୪୪/୨୧)ର ଶୁଣାଣି ପାଇଁ ଆଜି ଦିନ ଧାର୍ଯ୍ୟ କରାଯାଇଥିଲା। ଏସ୍‌ଡିଜେଏମ୍‌ ଏହି ପିଟିସନ୍‌ ଉପରେ ଶୁଣାଣି କରି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ୭ଦିନ ପର୍ଯ୍ୟନ୍ତ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବାମୀ ସୁମିତ ସାହୁ ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାମ କରୁଛନ୍ତି। ଏଣୁ ଆସିକାରେ ତାଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ପୁଲିସକୁ ଏସ୍‌ଡିଜେଏମ୍‌ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିପାଇଁ ଆସିକା ଥାନା ଅଧିକାରୀ ଏକ ଭଡ଼ାଘର ଦେଖିବେ। ୭ଦିନ ଏକାଠି ରହିବା ମଧ୍ୟରେ ଉଭୟ ପୁଅ କି ଝିଅର ପରିବାର ସେମାନଙ୍କୁ ଦେଖା କରି ପାରିବେ ନାହିଁ କି ଯୋଗାଯୋଗ କରିବ ପାରିବେ ନାହିଁ ବୋଲି ତପସ୍ବିନୀଙ୍କ ଓକିଲ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ତାରିଖ ଧାର୍ଯ୍ୟ ହେବା ପରେ ପୁଲିସ ଉଭୟଙ୍କୁ ପୁଣିଥରେ କୋର୍ଟରେ ହାଜର କରିବ। ଉଭୟ ସ୍ବାମୀ-ସ୍ତ୍ରୀ ନିଜ ନିଜର ପକ୍ଷ ରଖିବା ପରେ କୋର୍ଟ ତାଙ୍କର ଚୂଡ଼ାନ୍ତ ରାୟ ଦେବେ ବୋଲି ସୂଚନା ମିଳିଛି। ଏଥିପାଇଁ ଜଣେ ପ୍ରୋଟେକ୍ସନ୍‌ ଅଫିସର୍‌ଙ୍କୁ ନିଯୁକ୍ତି କରାଯିବ। ସମ୍ପୃକ୍ତ ଅଧିକାରୀଙ୍କ ତଦାରଖରେ ଉଭୟେ ରହିବେ ବୋଲି ନିର୍ଦ୍ଦେଶ ହୋଇଛି।

ପ୍ରକାଶ ଥାଉ କି ଛତ୍ରପୁରର ତପସ୍ବିନୀ ଓ ବ୍ରହ୍ମପୁରର ଜଣେ ଯୁବ ଡାକ୍ତର ସୁମିତଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟେ ଗତବର୍ଷ କୋର୍ଟରେ ବିବାହ କରିବା ସହ ଏକାଠି ରହିଥିଲେ। ଗତ କିଛି ମାସ ହେବ ସ୍ବାମୀ, ଶାଶୂ ଓ ଶ୍ବଶୁର ମିଶି ତାଙ୍କୁ ନିର୍ଯାତନା ଦେଇଥିବା ନେଇ ମହିଳା ଜଣଙ୍କ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ଡାକ୍ତରଙ୍କ ପରିବାର ଲୋକେ ମାମଲା ଉଠାଇବା ପାଇଁ ବୋହୂକୁ ମନାଇବା ସହ ବାହଘର କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଗତ ୨୨ତାରିଖରେ ବାହାଘର ଲଗ୍ନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶ୍ବଶୁର ଘର ଲୋକ କୌଣସି ଆୟୋଜନ କରି ନଥିବାରୁ ତପସ୍ବିନୀ ବଧୂ ବେଶରେ ସଜେଇ ହୋଇ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହାୟତାରେ ଶ୍ବଶୁର ଘର ଆଗରେ ଧାରଣା ଜାରି ରଖିଥିଲେ। ବିଭିନ୍ନ ସଙ୍ଗଠନ ତରଫରୁ ମଧ୍ୟ ତାଙ୍କୁ ସମର୍ଥନ ଦିଆଯାଇଛି। ନ୍ୟାୟ ନମିଳିବାରୁ ଶେଷରେ ତପସ୍ବିନୀ କୋର୍ଟରେ ଆଶ୍ରୟ ନେଇଥିଲେ। ସ୍ବାମୀଙ୍କ ସହିତ ରହିବା ପାଇଁ ନିର୍ଦ୍ଦେଶ ଦେବାକୁ ସେ ପିଟିସନ୍‌ରେ ଆବେଦନ କରିଥିଲେ। ଏହାର ଶୁଣାଣି ପାଇଁ ଆଜି ଉଭୟ ପକ୍ଷ କୋର୍ଟରେ ହାଜର ହୋଇଥିଲେ। ଏସ୍‌ଡିଜେଏମ୍‌ ଏହି ପିଟିସନ୍‌ ଉପରେ ଶୁଣାଣି କରି ସଂଧ୍ୟାରେ ତାଙ୍କର ରାୟ ଦେଇଛନ୍ତି।

ସମ୍ବନ୍ଧିତ ଖବର