କଟକ: ‘କରୋନା’ ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ୪ ତାରିଖରୁ ଆଉ ୨ ସପ୍ତାହ ଲକ୍ଡାଉନ ଅବଧି ବୃଦ୍ଧି ନେଇ କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତିକୁ ବିଚାରକୁ ନେଇ ହାଇକୋର୍ଟଙ୍କ ପକ୍ଷରୁ ରାଜ୍ୟର କୋର୍ଟ କାର୍ଯ୍ୟ ପ୍ରସଂଗରେ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି। ମେ’ ୧୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟଙ୍କ ସମେତ ରାଜ୍ୟର ସମସ୍ତ ସବ୍-ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ)ରେ ସ୍ବାଭାବିକ କାର୍ଯ୍ୟ ସାମୟିକ ଭାବେ ସ୍ଥଗିତ (ସସ୍ପେଣ୍ଡ) ରହିବ। ତେବେ, ଲକ୍ଡାଉନ ଅବଧି ମଧ୍ୟରେ ହାଇକୋର୍ଟ ସପ୍ତାହର ସମସ୍ତ ପାଞ୍ଚଟି କାର୍ଯ୍ୟ ଦିବସରେ ବସିବ। ପ୍ରତି କାର୍ଯ୍ୟ ଦିବସରେ ପାଞ୍ଚଟି ଜଣିକିଆ ଖଣ୍ଡପୀଠ (ସିଙ୍ଗିଲ ବେଞ୍ଚ) ବସି ମାମଲା ଶୁଣାଣି କରିବେ। ସେହିଭଳି ଭାବେ ମଙ୍ଗଳବାର ଓ ଗୁରୁବାର ଦିନ ଦୁଇ ଜଣିଆ ଖଣ୍ଡପୀଠ (ଡିଭିଜନ୍ ବେଞ୍ଚ) ବସି ମାମଲାର ଶୁଣାଣି କରିବେ। ଡିଭିଜନ ବେଞ୍ଚରେ ମାମଲା ଶୁଣାଣି ଶେଷ କରିବା ପରେ ବିଚାରପତି ଜଣିକିଆ ଖଣ୍ଡପୀଠରେ ବସି ମାମଲା ଶୁଣାଣି କରିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ସବୁ କାର୍ଯ୍ୟ ଦିବସରେ ଫାଇଲିଂ କାଉଣ୍ଟର ଦିନ ୧୦ଟା ୩୦ରୁ ୧ଟା ପର୍ଯ୍ୟନ୍ତ ଖୋଲା ରହିବ। ଫାଇଲିଂ କାଉଣ୍ଟରକୁ ଆସୁଥିବା ଆଇନଜୀବୀ ଓ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ରକ୍ଷା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।
ସେହିଭଳି ଭାବେ ଲକ୍ଡାଉନ ବେଳେ ସବ୍-ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ) ଗୁଡିକ କିଭଳି ଭାବେ କାର୍ଯ୍ୟ କରିବ ସେ ନେଇ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ରେଡ୍ ଜୋନ୍ ଅଞ୍ଚଳରେ ଥିବା ନିମ୍ନ ଅଦାଲତ ଗୁଡିକରେ ଏକ ଘଣ୍ଟା ପାଇଁ ଅଦାଲତ କାର୍ଯ୍ୟ ହେବ। ପୂର୍ବ ନିର୍ଦ୍ଦେଶ ଅନୁସାରେ ଅଦାଲତ ଓ ଏହାର କାର୍ଯ୍ୟାଳୟ ଏକ ଘଣ୍ଟା ପାଇଁ କାର୍ଯ୍ୟ କରିବ। କେବଳ ଅତି ଜରୁରୀ ଅପରାଧିକ ଓ ଦେୱାନୀ ମାମଲାର ଶୁଣାଣି କରାଯିବ। ସେହିଭଳି ଭାବେ ଅରେଞ୍ଜ ଜୋନ୍ରେ ଅଞ୍ଚଳରେ ଥିବା ଅଦାଲତ ଦୁଇ ଘଣ୍ଟା ପାଇଁ କାର୍ଯ୍ୟ କରିବ। ଯେଉଁ ସ୍ଥାନରେ ସକାଳୁଆ ଅଦାଲତ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି ସେଠାରେ ଅଦାଲତ ଓ ଏହାର କାର୍ଯ୍ୟାଳୟ ଦିନ ୯ଟାରୁ ୧୧ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ସେହିଭଳି ଭାବେ ଯେଉଁ ସ୍ଥାନରେ ସକାଳୁଆ ଅଦାଲତ ନାହିଁ ସେଠାରେ ଅଦାଲତ ଓ ଅଦାଲତ କାର୍ଯ୍ୟାଳୟ ଦିନ ୧୧ଟାରୁ ୧ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଗ୍ରିନ୍ ଜୋନ୍ ଅଞ୍ଚଳରେ ଅଦାଲତ ଓ ଏହାର କାର୍ଯ୍ୟାଳୟ ନିୟମିତ କାର୍ଯ୍ୟ ସମୟରୁ ଆରମ୍ଭ ହୋଇ ଲଞ୍ଚ ବ୍ରେକ୍ ପର୍ଯ୍ୟନ୍ତ ଅଢେଇ ଘଣ୍ଟା ଖୋଲା ରହିବ। ଯଦି କୌଣସି ଅଦାଲତ ପରିସର କଣ୍ଟେନମେଣ୍ଟ ଅଞ୍ଚଳ ଭିତରେ ଆସେ ତେବେ କଣ୍ଟେନମେଣ୍ଟ ଅବଧି ଶେଷ ପର୍ଯ୍ୟନ୍ତ ଅଦାଲତ ବନ୍ଦ (ସଟ୍ ଡାଉନ) ପାଇଁ ସଂପୃକ୍ତ ଜିଲ୍ଲା ଜଜ୍ଙ୍କ କ୍ଷମତା ରହିଛି। ଏ ନେଇ ହାଇକୋର୍ଟଙ୍କୁ ଅବଗତ କରି ଜିଲ୍ଲା ଜଜ୍ ପଦକ୍ଷେପ ଗ୍ରହଣ କରି ପାରିବେ।
ହାଇକୋର୍ଟ ଓ ସବ୍-ଅର୍ଡିନେଟ୍ କୋର୍ଟର ଅଧିକାରୀ ଓ କର୍ମଚାରୀମାନେ ସେମାନଙ୍କ କର୍ମକ୍ଷେତ୍ରରେ କେତେକ ପ୍ରତିଷେଧକ ବ୍ୟବସ୍ଥା ସଂପର୍କିତ ନିୟମ କଡାକଡି ପାଳନ କରିବେ। ଅଦାଲତ ପରିସର ଭିତରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଥିବା ବେଳେ ସାମାଜିକ ଦୂରତ୍ବ ବାଜୟ ରଖାଯିବ। କୋର୍ଟ ହଲ୍ ଭିତରେ କୌଣସି ପ୍ରକାର ଭିଡ ଉପରେ ଅଙ୍କୁଶ ଜାରି କରାଯାଇଛି। ଥର୍ମାଲ ସ୍କାନିଂ, ହ୍ୟାଣ୍ଡ ୱାସ୍, ସାନିଟାଇଜେସନ୍ ପାଇଁ ଆବଶ୍ୟକ ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରାଯାଇଛି। ଏଥି ସହିତ ଅଦାଲତ ପରିସରର ପ୍ରବେଶ ଓ ପ୍ରସ୍ଥାନ ପଥ ନିକଟରେ ସ୍ପର୍ଶ ରହିତ ବ୍ୟବସ୍ଥା ଉପଲବ୍ଧ କରାଯିବ। ଅଦାଲତ ପରିସର, ଅଦାଲତ କାର୍ଯ୍ୟାଳୟ, ସାଧାରଣ ସୁବିଧା ଥିବା ସ୍ଥାନ, ଜନିଷିପତ୍ର ଯଥା ଟେବୁଲ, ଚୌକି, ନବ୍, ହ୍ୟାଣ୍ଡ୍ ରେଲିଂ ନିୟମିତ ବ୍ୟବଧାନରେ ସାନିଟାଇଜ କରାଯିବ। ସବୁ ଅଧିକାରୀ ଓ କର୍ମଚାରୀ ଆରୋଗ୍ୟ ସେତୁ ଆପ୍ ନିଜ ମୋବାଇଲ ଫୋନରେ ଇନଷ୍ଟଲ୍ କରିବେ। କୋଭିଡ-୧୯ ପାଇଁ ପୂର୍ବରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ସହିତ ଏହି ସାନି ନିର୍ଦ୍ଦେଶନାମା ପାଳନ କରାଯିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପୂର୍ବରୁ ନିମ୍ନ ଅଦାଲତ ପାଇଁ ଜାରି କରାଯାଇଥିବା ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଥିଲା ଯେ ଜନସମାଗମକୁ ଏଡ଼ାଇବା ଲାଗି କୋର୍ଟ ପରିସରକୁ ମହକିଲ ଓ ଜନସାଧାରଣଙ୍କ ପ୍ରବେଶ ନିୟନ୍ତ୍ରିତ କରିବା ପ୍ରସଂଗରେ ସରକାର ଜାରି କରିଥିବା ନିୟମାବଳୀ ଆଧାରରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ। କୋର୍ଟ କଂପ୍ଲେକ୍ସରେ ଜନଗହଳି ଉପରେ ଅଙ୍କୁଶ ପାଇଁ ସଂପୃକ୍ତ ଜିଲ୍ଲା କୋର୍ଟ ବାର୍ ଆସୋସିଏସନ୍ ଗୁଡ଼ିକୁ ଅନୁରୋଧ କରାଯାଇଥିଲା। ପକ୍ଷଙ୍କ ବ୍ୟକ୍ତିଗତ ହାଜିରା ଯଦି ଅନିବାର୍ଯ୍ୟ ନଥିବ ତେବେ ଏଥି ପାଇଁ ବାଧ୍ୟ କରାଯିବ ନାହିଁ। ଜେଲରୁ ବିଚାରାଧୀନ ବନ୍ଦୀଙ୍କ ହାଜିରା ପାଇଁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ଅଧିକାଂଶ କ୍ଷେତ୍ରରେ ବ୍ୟବହାର କରାଯିବ। ଲକ୍-ଅପ୍ (ହାଜତ) ଗୁଡିକ ନିୟମିତ ଭାବେ ସାନିଟାଇଜ୍ କରାଯିବା ସହିତ ହାଜତରେ ଭିଡକୁ ଏଡାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ।