୧୧ ଜିଲ୍ଲାରେ ଜୁନ ମାସ ଶନିବାର ବନ୍ଦ ରହିବ ନିମ୍ନ ଅଦାଲତ

କଟକ : କରୋନା ଭୂତାଣୁ ସଂକ୍ରମଣ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ୧୧ଟି ଜିଲ୍ଲାରେ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଶନିବାର ଓ ରବିବାର ସଟ୍‌ଡାଉନ ଘୋଷଣା କରାଯାଇଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କ ଜୁନ ୧ ବିଜ୍ଞପ୍ତିକୁ ବିଚାରକୁ ନେଇ ହାଇକୋର୍ଟ ଆଜି ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଜୁନ୍ ମାସରେ ସମସ୍ତ କାର୍ଯ୍ୟ ଦିବସ ଥିବା ଶନିବାର ଦିନ ହାଇକୋର୍ଟ କାର୍ଯ୍ୟାଳୟ ବନ୍ଦ ରହିବ। ଏଥିସହିତ ବିଜ୍ଞପ୍ତିରେ ସ୍ଥାନ ପାଇଥିବା ୧୧ଟି ଜିଲ୍ଲାରେ ଜୁନ୍ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ ଦିବସ ଥିବା ଶନିବାରଗୁଡ଼ିକରେ ସବ୍‌ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ) ଓ କୋର୍ଟ କାର୍ଯ୍ୟାଳୟ ବନ୍ଦ ରହିବ। ଯଦି ସଟ୍‌ଡାଉନ ଘୋଷଣା ସଂପର୍କିତ ତାଲିକାରେ ଭବିଷ୍ୟତରେ ଆଉ କୌଣସି ଜିଲ୍ଲା ସ୍ଥାନ ପାଏ ତେବେ ସଂପୃକ୍ତ ଜିଲ୍ଲାରେ ମଧ୍ୟ ଜୁନ୍ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ ଦିବସ ଥିବା ଶନିବାର ସବ୍‌ଅର୍ଡିନେଟ୍ କୋର୍ଟ ଓ କୋର୍ଟ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଉଲ୍ଲେଖଯୋଗ୍ୟେ ରାଜ୍ୟ ସରକାର ଜୁନ୍ ୧ରେ ବିଜ୍ଞପ୍ତି ଜାରି କରି ଗଞ୍ଜାମ, ପୁରୀ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ବଲାଙ୍ଗୀରରେ ସପ୍ତାହର ପ୍ରତି ଶନିବାର ଓ ରବିବାର ସଂପୂର୍ଣ୍ଣ ଭାବେ ସଟ୍‌ଡାଉନ କରାଯିବ ବୋଲି ଘୋଷଣା କରିଥିଲେ। ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏଭଳି ନିୟମ ବଳବତ୍ତର ରହିବ।

ସମ୍ବନ୍ଧିତ ଖବର