ସମ୍ବଲପୁର: ଗତ ଡିସେମ୍ବର ୭ରୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ୨୭ ଦିନ ଧରି ସମ୍ବଲପୁର କୋର୍ଟରେ ଲାଗି ରହିଥିବା ଅଚଳାବସ୍ଥା ଦୂର ହୋଇଛି। ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଶତାଧିକ ଆଇନ୍ଜୀବୀ ଅଦାଲତି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଫଳରେ ମଙ୍ଗଳବାରଠାରୁ ସ୍ଥିତି ସ୍ବାଭାବିକ ହୋଇଛି। ଜେଲ୍ରେ ଥିବା ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତିଙ୍କ ଆହ୍ବାନକ୍ରମେ ସଦସ୍ୟମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି। କୋର୍ଟ ପରିସରରେ ପୁଣିଥରେ ଗହଳଚହଳ ଦେଖିବାକୁ ମିଳିଛି। ସମ୍ବଲପୁର ଜିଲ୍ଲା ଓକିଲ ସଂଘରେ ପ୍ରାୟ ୧୬୦୦ ସଦସ୍ୟ ଥିବାବେଳେ ମଙ୍ଗଳବାର ଶତାଧିକ ଆଇନ୍ଜୀବୀ କୋର୍ଟକୁ ଆସିଥିଲେ। ସବୁ କୋର୍ଟରେ ସୁରୁଖୁରୁରେ କାମ ଆରମ୍ଭ ହୋଇଥିଲା। ଅଚଳାବସ୍ଥା କାରଣରୁ ଅଟକି ରହିଥିବା ଅନେକ ଅଭିଯୁକ୍ତଙ୍କ ଜାମିନ ପାଇଁ ଓକିଲମାନେ ଏସ୍ଡିଜେଏମ୍ଙ୍କ କୋର୍ଟରେ ଆବେଦନ କରିଥିଲେ। ଏସ୍ଡିଜେଏମ୍ଙ୍କ କୋର୍ଟରେ ଖାରଜ ହୋଇଥିବା ଜାମିନ ପାଇଁ ଉପର କୋର୍ଟ ଗୁଡ଼ିକରେ ଆବେଦନ କରା ଯାଇଥିଲା। ଜିଲ୍ଲା ଦୌରା ଜଜ୍ଙ୍କ କୋର୍ଟରେ ବି ସ୍ବାଭାବିକଭାବେ କାର୍ଯ୍ୟ ଚାଲିଥିଲା।
କଚେରି ଅଞ୍ଚଳର ସମସ୍ତ ଦୋକାନବଜାର ଖୋଲିଥିଲା। ଗତ ୧୨ ତାରିଖର ଘଟଣା ପରେପରେ କିଛିକିଛି ଓକିଲ କୋର୍ଟକୁ ଆସୁଥିଲେ ବି କୌଣସି କାର୍ଯ୍ୟ କରୁ ନଥିଲେ। କେବଳ ସରକାରୀ ଓକିଲମାନେ ତାଙ୍କ କାମ କରୁଥିଲେ। ସୋମବାର ପ୍ରଥମ କରି ବୁର୍ଲାର ୩ ଜଣ ଆଇନ୍ଜୀବୀ କାର୍ଯ୍ୟରେ ଯୋଗଦେଇ ଜାମିନ ଆବେଦନ କରିଥିଲେ। ମଙ୍ଗଳବାର ଅନ୍ୟମାନେ ଯୋଗ ଦେଇଥିଲେ ବି ନିୟମିତ ଦିନ ଗୁଡ଼ିକ ଅପେକ୍ଷା ଉପସ୍ଥାନ କମ୍ ରହିଥିଲା। କଚେରି ଅଞ୍ଚଳରେ ଭିଡ଼ ଅପେକ୍ଷାକୃତ ପତଳା ରହିଥିଲା। କଚେରି ଛକରେ ୨୨ ଦିନ ଧରି ପୁଲିସ୍ ଲଗାଇଥିବା ବ୍ୟାରିକେଡ୍ ସୋମବାରଠାରୁ ଉଠାଇ ନେଇଥିଲା। ହେଲେ ପୁଲିସ୍ କର୍ମୀ ଏବେ ବି କୋର୍ଟ ପରିସରରେ ମୁତୟନ ଅଛନ୍ତି। କୌଣସି ଅପ୍ରୀତିକର ପରିସ୍ଥିତି ଯେମିତି ସୃଷ୍ଟି ନହୁଏ ସେଥି ପାଇଁ ସତର୍କ ରହିଛନ୍ତି। କମ୍ ସଂଖ୍ୟାରେ ହେଲେ ବି ମହକିଲ ଓ ସାଧାରଣ ଲୋକ ମଙ୍ଗଳବାର କଚେରି ଆସି ନିଜ କାମ କରାଇଛନ୍ତି। କୋର୍ଟ ବନ୍ଦ କାରଣରୁ କାମ ଅଟକି ରହିଥିବା ଲୋକଙ୍କ ମନରେ ଆଜି ଖୁସି ବାରି ହେଉଥିଲା।
ଖାସ୍ କରି ଜାମିନ୍ଯୁକ୍ତ ମାମଲା ସତ୍ତ୍ବେ ଓକିଲ ଆନ୍ଦୋଳନ କାରଣରୁ ଜେଲ୍ରୁ ବାହାରି ପାରୁ ନଥିବା ଅଭିଯୁକ୍ତଙ୍କ ସଂପର୍କୀୟମାନେ ବେଶ ଆନନ୍ଦିତ ଥିଲେ। ଓକିଲମାନେ ବି ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ। ହେଲେ କାର୍ଯ୍ୟରେ ଯୋଗ ଦେଇଥିଲେ ବି ଓକିଲଙ୍କ ମନରେ ଖୁସି ବା ଉତ୍ସାହ ନଥିଲା। ସତେ ଯେମିତି କୌଣସି ଅଜଣା ଆଶଂକା ଓ ନୈରାଶ୍ୟ ସମସ୍ତଙ୍କୁ ଭିତରୁ କଷ୍ଟ ଦେଉଥିଲା। ବିଶେଷ କରି ବୃତ୍ତି ଆରମ୍ଭ କରିବା ଦିନଠୁ ସେମାନେ ଦାବି କରି ଆସୁଥିବା ହାଇକୋର୍ଟ ସ୍ଥାୟୀ ବେଞ୍ଚ ଆଉ ହୋଇପାରିବ ନା’ ନାହିଁ, ଏମିତି ଆଶଂକାର ଛାପ ଓକିଲମାନଙ୍କ ମନରେ ସ୍ପଷ୍ଟ ବାରି ହେଉଥିଲା। ନିଜର ୩୦ ଜଣ ସାଥୀ ଓ ମୁରବୀ ଶ୍ରେଣୀୟ ଆଇନ୍ଜୀବୀ ଜେଲ୍େର ଥିବାରୁ କାହାରି ମୁହଁରେ ହସ ଫୁଟୁ ନଥିଲା।