କଟକ : ଆଜିଠୁ ରାଜ୍ୟର ୩୦ଟି ଜିଲ୍ଲାର ୩୪ଟି କୋର୍ଟ ପେପରଲେସ୍ ବା କାଗଜମୁକ୍ତ ହେଲା। ଦେଶରେ ଏହା ପ୍ରଥମ। ଏଭଳି ବ୍ୟବସ୍ଥା ଦ୍ବାରା ଏଣିକି ମହକିଲ କମ୍ ଖର୍ଚ୍ଚାନ୍ତ ହେବେ, ଆଇନଜୀବୀଙ୍କ ସମୟ ମଧ୍ୟ ବଞ୍ଚିବ। ଖୋଦ୍ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ଏହି ବ୍ୟବସ୍ଥାର ଉଦ୍ଘାଟନ କରିଛନ୍ତି। ଓଡ଼ିଶା ଜୁଡିସିଆଲ ଏକାଡେମିଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନ ବିଚାରପତି କହିଛନ୍ତି. ଓଡ଼ିଶା ହାଇକୋର୍ଟ ଦେଶର ବିଚାର ବ୍ୟବସ୍ଥାକୁ ନୂଆ ଦିଗ ଓ ଆଲୋକ ଦେଖାଇଲା।
Sambad is now on WhatsApp
Join and get latest news updates delivered to you via WhatsApp
ଜଷ୍ଟିସ ଲଳିତ କହିଥିଲେ ଯେ ପେପରଲେସ୍ କୋର୍ଟର ଅନେକ ଉପଯୋଗୀ ଦିଗ ରହିଛି। ଏଥିରେ ସ୍ବଚ୍ଛ ପରିବେଶ ଓ ଉତ୍ତମ ଯୋଗାଯୋଗ କୌଶଳ ସ୍ଥାପନ ହୋଇ ପାରିବ। ଏହି ବ୍ୟବସ୍ଥାରେ ଦେଶର ଦୂରସ୍ଥାନରେ ରହି ବି ସୁପ୍ରିମକୋର୍ଟରେ କୌଣସି କାଗଜ ସିଧାସଳଖ ଦାଖଲ କରାଯାଇ ପାରୁଛି। ବୈଷୟିକ ବିଦ୍ୟାର ସୁବିଧା ଯୋଗୁଁ ଏବେ ଏକ ସଂଗେ ଗୋଟିଏ ସ୍ଥାନରେ ରହି ବିଭିନ୍ନ ସ୍ଥାନରେ ଥିବା ବ୍ୟକ୍ତିଙ୍କ ସହିତ ବୈଠକ କରି ହେଉଛି। ବିଚାର ବିଭାଗରେ ରେକର୍ଡ ହେଉଛି ଗୁରୁତ୍ବପୂର୍ଣ୍ଣ। ବର୍ତ୍ତମାନ ସ୍ଥିତିରେ ଉତ୍କର୍ଷ ବୈଷୟିକ ଜ୍ଞାନକୌଶଳକୁ ନିଜ ଜୀବନ ଶୈଳୀରେ ବ୍ୟବହାର ଅପରିହାର୍ଯ୍ୟ। କରୋନା ମହାମାରୀ ଆମକୁ ପରିସ୍ଥିତି ସହ ଖାପ ଖୁଆଇ ଚଳିବା, ନିଜକୁ ପରିବର୍ତ୍ତନ କରିବା, ଆଧୁନିକୀକରଣ କରିବା ଓ ନିଜକୁ ନିୟନ୍ତ୍ରିତ କରିବାକୁ ଶିଖାଇଛି। ଏବେ କୋର୍ଟରେ ପେପରବିହୀନ କାର୍ଯ୍ୟର ଗୁରୁତ୍ବ ବୃଦ୍ଧି ପାଇଛି। କାଗଜପତ୍ରରେ କାର୍ଯ୍ୟକୁ ଅପସାରଣ କରିବାକୁ ନିଆଯାଇଥିବା ପଦକ୍ଷେପର ବହୁବିଧ ଲାଭ ବି ରହିଛି। ଏଥିରେ ସମୟ, ଶକ୍ତି, ଅର୍ଥ ବଞ୍ଚିବା ସହିତ କାମ କରିବା ସହଜ ତଥା ତ୍ବରାନ୍ବିତ ହେବ ବୋଲି ଜଷ୍ଟିସ ଲଳିତ ଆଶା ପ୍ରକାଶ କରିଥିଲେ। ଏହି ଅବସରରେ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ପାଇଁ ସ୍ବତନ୍ତ୍ର ପୋଷ୍ଟାଲ କଭର ଓ ଛବି ଥିବା ସ୍ବତନ୍ତ୍ର ପୋଷ୍ଟ କାର୍ଡକୁ ପ୍ରଧାନ ବିଚାରପତି ଦ୍ବାରା ଉଦ୍ଘାଟନ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ବିଚାରପତି ତଥା ଇ-କମିଟି ଅଧ୍ୟକ୍ଷ ଡକ୍ଟର ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ ଯୋଗ ଦେଇ କହିଥିଲେ ଯେ ପେପରଲେସ୍ କୋର୍ଟ ବ୍ୟବସ୍ଥା ଦ୍ବାରା ମହକିଲ କମ୍ ଖର୍ଚ୍ଚାନ୍ତ ହେବେ, ଆଇନଜୀବୀଙ୍କ ସମୟ ବଞ୍ଚିବ ତା ନୁହେଁ, ସ୍ଥାନ କମ୍ ଦରକାର ହେବ, ମାମଲା ସଂପର୍କିତ ସୂଚନା ସହଜ ସୁଗମ ହେବ ଏବଂ ଆଙ୍ଗୁଳି ଟିପରେ ସୂଚନା ମିଳିବ। କାର୍ଯ୍ୟକ୍ରମରେ ଯୋଗ ଦେଇ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏମ.ଆର.ଶାହା ପେପରଲେସ୍ କୋର୍ଟ ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। କୋର୍ଟ ରୁମ୍ ବୈଷୟିକ ଜ୍ଞାନକୌଶଳର ବିକାଶ ଉପରେ ଉପରେ ସେ ଗୁରୁତ୍ବାରୋପ କରିଥିଲେ।
ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ସ୍ବାଗତ ଭାଷଣ ପ୍ରଦାନ କରି କୋର୍ଟ କାର୍ଯ୍ୟରେ ପ୍ରଯୁକ୍ତି ବିଜ୍ଞାନର ବ୍ୟବହାର ଉପରେ ଆଲୋକପାତ କରିଥିଲେ। ପେପରଲେସ୍ ବ୍ୟବସ୍ଥାରେ କାର୍ଯ୍ୟ କରିବା ପାଇଁ ରାଜ୍ୟର ସମସ୍ତ ବିଚାରବିଭାଗୀୟ ଅଧିକାରୀଙ୍କୁ ଖୁବ୍ ଶୀଘ୍ର ଟଚ୍ ସ୍କ୍ରିନ୍ ଲାପଟପ୍ ପ୍ରଦାନ କରାଯିବ ବୋଲି ସେ ଏହି ଅବସରରେ ସୂଚନା ଦେଇଥିଲେ। ଚିଫ ପୋଷ୍ଟ ମାଷ୍ଟର ଜେନେରାଲ ଶୁଭେନ୍ଦୁ କୁମାର ସ୍ବାଇଁ ନିଜ ବକ୍ତବ୍ୟରେ ଓଡ଼ିଶା ହାଇକୋର୍ଟଙ୍କୁ ଧନ୍ୟବାଦ ଜଣାଇଥିଲେ। ଓଡ଼ିଶା ହାଇକୋର୍ଟର ବିଚାରପତି ତଥା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଣ୍ଡ ଇନଫରମେସନ୍ ଟେକେନାଲୋଜି କମିଟି ଅଧ୍ୟକ୍ଷ ଜଷ୍ଟିସ ଏସ.ତାଳପତ୍ର ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ବିଚାରପତିମାନଙ୍କ ସହିତ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ ଅଫ୍ ଇଣ୍ଡିଆ ପ୍ରସନ୍ନ କୁମାର ପାଢୀ, ହାଇକୋର୍ଟ ବାର୍ ଆସୋସିଏସନ୍ କର୍ମକର୍ତ୍ତା, ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗ ପ୍ରମୁଖ ସଚିବ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ସଚିବ, ଓକାକ ସିଇଓ, ପୁଲିସ ଡିଜି, ଡାକ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ଜିଲ୍ଲାରେ ପେପରଲେସ୍ କୋର୍ଟ କାର୍ଯ୍ୟର ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା।