ଏକାଥରେ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକା ଦିଅ: ଧର୍ମେନ୍ଦ୍ର

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଗାଇଡ୍‌ଲାଇନ୍ ଆଧାରରେ ଓଡ଼ିଶାର ସବୁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ରାଜ୍ୟ ସରକାର ତୁରନ୍ତ କେନ୍ଦ୍ର ସରକାରଙ୍କୁ ଦିଅନ୍ତୁ। ଯେତେ ଶୀଘ୍ର ରାଜ୍ୟ ସରକାର ତାଲିକା ଦେବେ, ସେତେ ଶୀଘ୍ର ଓଡ଼ିଆ ଚାଷୀଙ୍କ ଆକାଉଣ୍ଟ୍‌ରେ ଟଙ୍କା ପଠାଇବେ। ହିତାଧିକାରୀଙ୍କ ତାଲିକାକୁ ଏକା ସଙ୍ଗେ ନ ଦେଇ ପ୍ରଥମ କିସ୍ତି, ଦ୍ବିତୀୟ କିସ୍ତି ନାଟକରୁ ରାଜ୍ୟ ସରକାର ବିରତ ରୁହନ୍ତୁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବରଗଡ଼ ସମାବେଶରେ ମୁଖ୍ୟମନ୍ତ୍ରୀ ଦେଇଥିବା ବୟାନ ଉପରେ ଶ୍ରୀ ପ୍ରଧାନ କହିଛନ୍ତି, ୧୯ ବର୍ଷର ସ୍ଥିର ସରକାର ସତ୍ତ୍ବେ ରାଜ୍ୟର ଚାଷୀମାନଙ୍କର ବିକାଶ କରିବାରେ ବିଫଳ ବିଜେଡି ସରକାରର ସ୍ଥାଣୁତା, ଅପାରଗତା ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀମାନଙ୍କୁ ବୋକା ବନାଇବାର ଚକ୍ରାନ୍ତ କରିଛନ୍ତି। ବରଗଡ଼ ଜିଲ୍ଲାରେ କାଳିଆ ଯୋଜନାରେ ଲୋକଦେଖାଣିଆ ଟଙ୍କା ବାଣ୍ଟିବାର ନାଟକ କରୁଛନ୍ତି। ମାତ୍ର ଶାସକ ଦଳର ମନ୍ତ୍ରୀ, ବିଧାୟକମାନଙ୍କ ଆକାଉଣ୍ଟ୍‌କୁ ଓଡ଼ିଆ ଲୋକଙ୍କ କଷ୍ଟଅର୍ଜିତ ଝାଳବୁହା ଟଙ୍କା କେମିତି ଯାଉଛି, ତାହାର ଉତ୍ତର ଦେଉ ନାହାନ୍ତି। ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ତାଲିକା ଦେବା ନେଇ ଅନିଶ୍ଚିତତା ଦେଖାଇବା ପରେ ଏବେ ଜନମତର ଚାପରେ ତାଲିକା ‌େଦବାକୁ ବାଧ୍ୟ ହୋଇଛନ୍ତି। କିନ୍ତୁ ସବୁ ହିତାଧିକାରୀଙ୍କ ତାଲିକା ଏକ ସଙ୍ଗେ ଦିଅନ୍ତୁ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଅତୀତରେ ବରଗଡ଼ ଜିଲ୍ଲାରେ ଚାଷୀମାନଙ୍କୁ ଧାନର ଏମ୍‌ଏସ୍‌ପି ଉପରେ ୧୦୦ ଟଙ୍କାର ବୋନସ୍ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ବୋନସ୍ ତ ଦେଲେ ନାହିଁ, ବରଂ କେନ୍ଦ୍ର ସରକାରଙ୍କ ୧୭୫୦ ଟଙ୍କା ଏମ୍‌ଏସ୍‌ପି ବଦଳରେ ୧୦୦୦ରୁ ୧୨୦୦ ଟଙ୍କାରେ ଧାନ ବିକିବାକୁ ବାଧ୍ୟ କରାଯାଉଛି। ଚାଷର ବିକାଶ ପାଇଁ ସରକାର ଆଦୌ ଧ୍ୟାନ ଦେଉ ନାହାନ୍ତି। ଚାଷୀ ନିଜର ଅଧିକାର ପାଇଁ ରାଜରାସ୍ତାକୁ ଆନ୍ଦୋଳନ କରିବାକୁ ଆସିଲେ ସରକାର ବଳପ୍ରୟୋଗ କରି ଚାଷୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ଛଡ଼ାଇ ନେଉଛନ୍ତି।

ସମ୍ବନ୍ଧିତ ଖବର