ରାଜଧାନୀରେ କୋଭାକ୍ସିନ୍ ଅଭାବ, ଆଜିଠୁ ଯୁବବର୍ଗଙ୍କୁ ପ୍ରଥମ ଡୋଜ୍‌ ବନ୍ଦ

୪ କେନ୍ଦ୍ରରେ ଦିନକୁ ୪୦୦ ଟିକା ଦିଆଯିବ, ଯୁବବର୍ଗଙ୍କୁ ଏବେ କେବଳ ଦ୍ବିତୀୟ ଡୋଜ୍ ଟିକା

ଭୁବନେଶ୍ବର: ସାରା ରାଜ୍ୟରେ କୋଭିସିଲ୍‌ଡ ଟିକା ଅଭାବରୁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା, ଭୁବନେଶ୍ବରରେ ଏବେ କୋଭାକ୍ସିନ୍ ଅଭାବରୁ ସେହି ପରିସ୍ଥିତି ସୃଷ୍ଟି ହୋଇଛି। ଟିକା ନଥିବାରୁ ବୁଧବାରଠାରୁ ୧୮ରୁ ୪୪ବର୍ଷ ବୟସ୍କଙ୍କର ପ୍ରଥମ ଡୋଜ୍‌ ଟିକାକରଣ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ କରାଯାଇଛି। ଏବେ କେବଳ ଏହି ବର୍ଗରେ ଦ୍ବିତୀୟ ଡୋଜ୍‌ ଟିକାକରଣ ହେବ ବୋଲି ନିଷ୍ପତ୍ତି ହୋଇଛି। ସୂଚନା ଅନୁଯାୟୀ ଏବେ ବିଏମ୍‌ସି ପାଖରେ କୋଭାକ୍ସିନ୍ ନାହିଁ। ଯେତିକି ଅଛି ସେଥିରେ ପ୍ରଥମ ଡୋଜ୍‌ ଦେଲେ ବହୁ ଲୋକଙ୍କର ଦ୍ବିତୀୟ ଡୋଜ୍‌ ନେବାର ଅବଧି ଶେଷ ହୋଇଯିବ। ତେଣୁ ବିଏମ୍‌ସି ପକ୍ଷରୁ ବୁଧବାରଠାରୁ ପ୍ରଥମ ଡୋଜ୍‌ ଟିକାକରଣ ବନ୍ଦ କରାଯାଇଛି। ଯେଉଁମାନେ ପୂର୍ବରୁ ପ୍ରଥମ ଡୋଜ୍‌ ନେଇଥିଲେ ସେଥିରୁ କିଛି ଲୋକଙ୍କୁ ଦ୍ବିତୀୟ ଡୋଜ୍‌ ଦେବାକୁ ଆଜି ସ୍ଲଟ୍ ଆବଣ୍ଟନ ହୋଇଛି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ ଏବେ ୪ଦିନ ଅର୍ଥାତ୍ ୨ରୁ ୫ତାରିଖ ପର୍ଯ୍ୟନ୍ତ ୪ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ୧୮ରୁ ୪୪ବର୍ଷ ବୟସ୍କଙ୍କୁ ଦ୍ବିତୀୟ ଡୋଜ୍‌ ଟିକା ଦିଆଯିବ। ୟୁନିଟ-୩ , ଘାଟିକିଆ, ପୋଖରୀପୁଟ ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମେତ କ୍ୟାପିଟାଲ ହସ୍ପିଟାଲରେ ପୂର୍ବାହ୍ନ ୮ଟା ୩୦ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଟିକାକରଣ ହେବ। ଏଥିରେ ପ୍ରତି କେନ୍ଦ୍ରରେ ଦିନକୁ ୧୦୦ଜଣଙ୍କୁ ଟିକା ଦିଆଯିବ। ଦୈନିକ ମୋଟ୍ ୪୦୦ଜଣଙ୍କୁ ହିସାବରେ ୪ଦିନରେ ୧୬୦୦ଜଣଙ୍କୁ ଦ୍ବିତୀୟ ଡୋଜ୍‌ ଟିକା ଦେବାକୁ ନିଷ୍ପତ୍ତି ହୋଇଛି। ଏହାପରେ ଯୁବବର୍ଗଙ୍କ ପାଇଁ ଟିକା ଶେଷ ହୋଇଯିବ। ଆସନ୍ତା ୭ତାରିଖରେ ୨୬ହଜାର ଡୋଜ୍‌ ମିଳିବ ବୋଲି ଜଣାପଡ଼ିଛି। ଏହି ଟିକା ମିଳିଲେ ବି ପ୍ରଥମ ଡୋଜ୍‌ ଟିକାକରଣ ଏବେ ଆରମ୍ଭ କରିବନି ବିଏମ୍‌ସି। ଏହି ଟିକା କେବଳ ଦ୍ବିତୀୟ ଡୋଜ୍‌ ନେବାକୁ ଥିବା ଲୋକଙ୍କୁ ଦିଆଯିବ। ‌୨୮ରୁ ୪୨ଦିନ ଭିତରେ ଦ୍ବିତୀୟ ଡୋଜ୍‌ ଟିକା ନେବା ଆବଶ୍ୟକ ଥିବାରୁ ଆମେ ସେହି ଅନୁଯାୟୀ ବ୍ୟବସ୍ଥା କରୁଛୁ ବୋଲି ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି।

ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ଆମ ପାଖରେ ୪୫ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଦେବା ପାଇଁ ୧ଲକ୍ଷ ୨୦ହଜାର ଡୋଜ୍‌ ଅଛି। ତେଣୁ ଆମେ ଅଧିକରୁ ଅଧିକ ଶିବିର କରି ଟିକାକରଣ ବ୍ୟବସ୍ଥା କରୁଛୁ। ସମସ୍ତ ଟିକାଦାନ କେନ୍ଦ୍ର ସମେତ ୭ଟି ଯାକ ଡ୍ରାଇଭ୍ ଇନ୍ ଟିକା କେନ୍ଦ୍ର ଏବଂ ବିଭିନ୍ନ ଆପାର୍ଟମେଣ୍ଟରେ ଟିକା ଦିଆଯାଉଛି। ୪୫ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ଟିକା ଅଭାବ ନାହିଁ। ‌ସେମାନଙ୍କ ପାଇଁ ପ୍ରଥମ ଓ ଦ୍ବିତୀୟ ଡୋଜ୍‌ ଟିକା ଅଛି। ଆଜି ବି ୫୦ହଜାର ଡୋଜ୍‌ ମିଳିଛି। ଯଦି କେନ୍ଦ୍ର ସରକାର ୪୫ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଆସିଥିବା ଟିକାକୁ ଆମକୁ ଉଧାର ଦିଅନ୍ତେ ତେବେ ଆମେ ଏହାକୁ ୧୮ରୁ ୪୪ବର୍ଷ ବୟସ୍କଙ୍କ ପାଇଁ ବ୍ୟବହାର କରିପାରନ୍ତୁ। ପରେ ଟିକା ମିଳିଲେ ଆମେ ଏହାକୁ ଦେଇଦିଅନ୍ତୁ। ଏ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିଥିଲେ ହେଁ କିଛି ଉତ୍ତର ମିଳନଥିବାରୁ ଆମେ କିଛି ପଦକ୍ଷେପ ନେଇପାରୁନୁ। ଯଦି ଟିକା ଉଧାର ମିଳିବା ଫର୍ମୁଲା ଲାଗୁ ହୋଇପାରନ୍ତା ତେବେ ଟିକାକରଣ ଜନିତ ସମସ୍ୟା ବହୁ ମାତ୍ରାରେ ଦୂର ହୋଇପାରନ୍ତା।

ସମ୍ବନ୍ଧିତ ଖବର