୨୦୨୨ ଜୁନ୍ ସୁଦ୍ଧା ଭୁବନେଶ୍ବରରେ କୋଭାକ୍ସିନ୍ ଉତ୍ପାଦନ ହେବ

ଅନ୍ଧାରୁଆରେ ଟିକା ଉତ୍ପାଦନ ୟୁନିଟ୍‌ର ନିର୍ମାଣ ଆରମ୍ଭ
ବାୟୋଟେକ୍ନୋଲୋଜି ଇନ୍‌କ୍ୟୁବେସନ୍ ପ୍ରୋତ୍ସାହନ ପାଇଁ ୧୫ କୋଟି

ଭୁବନେଶ୍ବର : ଭୁବନେଶ୍ବରର ଅନ୍ଧାରୁଆରେ ଟିକା ଉତ୍ପାଦନ ଶିଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ଆଇନଗତ ଓ ବୈଧାନିକ ଅନୁମତି ଦିଆସରିଛି। ୨୦୨୨ ଜୁନ୍ ମାସ ସୁଦ୍ଧା ଏହି ୟୁନିଟ୍‌ରୁ କୋଭାକ୍ସିନ୍ ଟିକା ଉତ୍ପାଦନ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବାୟୋଟେକ୍‌ କାର୍ଯ୍ୟାନ୍ବୟନ କମିଟି ବୈଠକରୁ ଏହି ସୂଚନା ମିଳିଛି।

ଏହି ଟିକା ଉତ୍ପାଦନ ୟୁନିଟ୍‌ ଭାରତ ବା‌ୟୋଟେକ୍ ଇଣ୍ଟର୍‌ନ୍ୟାସ୍‌ନାଲ୍‌ କମ୍ପାନି ଦ୍ବାରା ପ୍ରତିଷ୍ଠା କରାଯାଉଛି। କମ୍ପାନିର ରୋଟାଭାଇରସ୍‌, ଡାଇରିଆ, ମ୍ୟାଲେରିଆ, ଜାପାନୀ ଜ୍ବର, ରାବିସ୍‌, ମହାମାରୀ ଇନ୍‌ଫ୍ଲୁଏଞ୍ଜା ଆଦି ବିଭିନ୍ନ ପ୍ରକାର ଆଧୁନିକ ଟିକା ଉତ୍ପାଦନ କ୍ଷେତ୍ରରେ ଅଭିଜ୍ଞତା ରହିଛି। ଅନ୍ଧାରୁଆ ଠାରେ ହେଉଥିବା ୟୁନିଟ୍‌ରେ କରୋନା ଓ ମ୍ୟାଲେରିଆ ଟିକା ସମେତ ପ୍ରାୟ ୧୦ ପ୍ରକାର ଟିକା ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ଶ୍ରୀ ମହାପାତ୍ର ଟିକା ଉତ୍ପାଦନ ୟୁନିଟ୍‌ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣ ତ୍ବରାନ୍ବିତ କରିବା ନିମନ୍ତେ ଭାରତ ବା‌ୟୋଟେକ୍ ଇଣ୍ଟର୍‌ନ୍ୟାସ୍‌ନାଲ୍‌ କମ୍ପାନି ଓ ଅନ୍ଧାରୁଆ ବାୟୋଟେକ୍ ପାର୍କ ପାଇଁ ଗଠିତ ସ୍ବତନ୍ତ୍ର ଏସ୍‌ପିଭିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାୟୋଟେକ୍‌ରେ ନୂଆ ପରୀକ୍ଷାନିରୀକ୍ଷା ଓ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠାକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ଏକ ବୃତ୍ତିଗତ ନିର୍ଦ୍ଦେଶାଳୟ ପ୍ରତିଷ୍ଠା କରବାକୁ ସେ ମତ ଦେଇଥିଲେ। ଏହି ନି‌ର୍ଦ୍ଦେଶାଳୟ ଗଠନ ହେବା ପର୍ଯ୍ୟନ୍ତ ଇପିକଲ୍‌ ଓ ଶିଳ୍ପ ବିଭାଗର ଆନୁଷ୍ଠାନିକ ବ୍ୟବସ୍ଥା ମାଧ୍ୟମରେ ବାୟୋଟେକ୍‌ ୟୁନିଟ୍‌ଗୁଡ଼ିକର ପ୍ରୋତ୍ସାହନ ଜାରି ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ବାୟୋଟେକ୍‌ ଇନ୍‌କ୍ୟୁବେଟର୍‌ମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ନିମନ୍ତେ ଏମ୍‌ଏସ୍‌ଏମ୍‌ଇ ବିଭାଗର ଫଣ୍ଡ୍‌ ଅଫ୍‌ ପଣ୍ଡ୍‌ସରେ ୧୫ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିଲା।

ବିଜ୍ଞାନ ଓ କାରିଗରୀ ବିଭାଗର ଶାସନ ସଚିବ ମନୋଜ ମିଶ୍ର ଜଣାଇଥିଲେ ଯେ ଓଡ଼ିଶା ବାୟୋଟେକ୍ ନିୟାମକ-୨୦୧୮ ଅନୁସାରେ ବାୟୋଟେକ୍‌ରେ କାମ କରୁଥିବା ଇନ୍‌କ୍ୟୁବେଟର୍‌ ଓ ଷ୍ଟାର୍ଟଅପ୍‌ମାନଙ୍କୁ ଜମି, ଜମିର କିସମ ପରିବର୍ତ୍ତନ, ଷ୍ଟାମ୍ପ ଡ୍ୟୁଟି, ତାଲିମ, ପୁଞ୍ଜିନିବେଶ, ବ୍ୟାଙ୍କ ଋଣ ଉପରେ ସୁଧ ଆଦି ବିଷୟରେ ବିଭିନ୍ନ ପ୍ରକାର ରିହାତି ଦିଆଯାଉଛି। ଇଡ୍‌କୋ ସିଏମ୍‌ଡି ସଞ୍ଜୟ କୁମାର ସିଂହ ସୂଚନା ଦେଇଥିଲେ ଯେ ଇନ୍‌ଫୋସିଟି ନିକଟରେ ଇଡ୍‌କୋ ଦ୍ବାରା ଏକ ଆଧୁନିକ ଜିରୋ-ହବ୍‌ ଇନ୍‌କ୍ୟୁବେସନ୍ ଭବନ ନିର୍ମାଣ କରାଯାଇଛି। ବର୍ତ୍ତମାନ ଇନ୍‌କ୍ୟୁବେସନ୍ ୟୁନିଟ୍‌ ନିମନ୍ତେ ଏହି ଜିରୋ-ହବ୍‌ ଭବନରୁ ୨୮ ହଜାର ବର୍ଗଫୁଟ ଜାଗା ଦିଆଯାଇପାରିବ। ଏହି ଭବନରେ ଆଧୁନିକ ସୁବିଧା ସୁଯୋଗ ସୃଷ୍ଟି କରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ ବାୟୋଟେକ୍ ଆଦି କ୍ଷେତ୍ରରେ କାମ କରୁଥିବା ଇନ୍‌କ୍ୟୁବେଟର୍‌ମାନଙ୍କୁ ଏଥିରେ ସ୍ଥାନ ଦେବା ପାଇଁ ବୈଠକରେ ସ୍ଥିର ହୋଇଥିଲା। ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ ପ୍ରାୟ ୭୮୦ଟି ଇନ୍‌କ୍ୟୁବେଟ୍‌ ୟୁନିଟ୍‌ କାର୍ଯ୍ୟ କରୁଛି। ଏହା ମଧ୍ୟରେ ୭୫ ଜଣ ବାୟୋଟେକ୍‌ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ବୋଲି ବୈଠକରେ ସୂଚନା ଦିଆଯାଇଥିଲା।

ବୈଠକରେ ଉନ୍ନୟନ କମିସନର୍‌ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର