ଥମୁନାହିଁ କୋଭିଡ ମୃତ୍ୟୁ : ସିଏଫ୍‌ଆର ୧% ଟପିଲା

କୋଭିଡ ସହାୟତା ରାଶି ପାଇଲେଣି ୧୨,୩୪୨; ଦିନକରେ ୯୨୫ ପଜିଟିଭ୍, ୨୨ ମୃତ

ଭୁବନେଶ୍ବର : ରାଜ୍ୟରେ କ‌ରୋନାର ଘାତକ ଡେଲ୍‌ଟା ପ୍ରଜାତିକୁ ଓମିକ୍ରନ୍ ପଛରେ ପକାଇସାରିଲାଣି। ନିକଟରେ ହୋଇଥିବା ଜିନୋମ ସିକ୍ବେନ୍ସିଂରେ ୯୮ ପ୍ରତିଶତ ପର୍ଯ୍ୟନ୍ତ ଓମିକ୍ରନ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାସହ ଦୈନିକ ସଂକ୍ରମଣ ହଜାର ତଳକୁ ଖସି ଆସିଲାଣି। ଓମିକ୍ରନ୍ ଆକ୍ରାନ୍ତଙ୍କ କ୍ଷେତ୍ରରେ କମ୍ ସଂଖ୍ୟକ ମୃତ୍ୟୁ ହେଉଥିଲେ ମଧ୍ୟ ରାଜ୍ୟରେ ଦୈନିକ କୋଭିଡ ମୃତ୍ୟୁ ଥମୁନାହିଁ। ଲଗାତାର ଭାବେ ଏହା ୨୦ ଉପରେ ରହିଛି। ଯାହାଫଳରେ କେବଳ ଫେବ୍ରୁଆରି ମାସର ୧୫ଦିନରେ ରାଜ୍ୟର କେସ୍ ଫାଟାଲିଟି ରେଟ୍‌ ବା ସିଏଫ୍‌ଆର ୧.୧୭ ପ୍ରତିଶତକୁ ବୃଦ୍ଧି ପାଇଛି। ଜାନୁଆରି ମାସରେ ଏହା ୦.୬୭ ପ୍ରତିଶତ ରହିଥିଲା।

ଦେଶରେ ଓଡ଼ିଶା ହେଉଛି ଏକ ରାଜ୍ୟ ଯେଉଁଠି କରୋନା ସଂକ୍ରମଣ କମିବା ପରେ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଥାଏ। କରୋନାର ଉଭୟ ପ୍ରଥମ ଓ ଦ୍ବିତୀୟ ଲହରରେ ମଧ୍ୟ ସମାନ ଢଙ୍ଗରେ ରାଜ୍ୟ ସରକାର କୋଭିଡ ମୃତ୍ୟୁର ଘୋଷଣା କରିଥିଲେ। ରାଜ୍ୟରେ ଡେଲ୍‌ଟା ପ୍ରଭାବରେ କୋଭିଡ ମୃତ୍ୟୁ ହେଉଥିବା ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ କହି ଆସୁଛନ୍ତି। ହେଲେ ଡେଲ୍‌ଟାକୁ ଓମିକ୍ରନ୍‌ ଅପସାରଣ କରି ସାରିଥିବା ବେଳେ ଏତେ ସଂଖ୍ୟକ ମୃତ୍ୟୁ କିଭଳି ହେଉଛି ତାହା ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି କଲାଣି। ଜାନୁଆରି ୧୯ତାରିଖରେ ରାଜ୍ୟରେ ସର୍ବାଧିକ ୧୧,୬୦୭ଜଣ ସଂକ୍ରମିତ ହୋଇଥିବା ବେଳେ ସେହିଦିନ ସରକାରଙ୍କ ପକ୍ଷରୁ ୧୯ଜଣଙ୍କ ମୃତ୍ୟୁ ଘୋଷଣା ହୋଇଥିଲା। ମାତ୍ର ଫେବ୍ରୁଆରି ୧୨ତାରିଖ ବେଳକୁ ସଂକ୍ରମିତଙ୍କ ସଂଖ୍ୟା ୧୫ଶହ ଥିବା ବେଳେ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ଏପରିକି ଏକାଥରକେ ବଳକା କୋଭିଡ ମୃତ୍ୟୁ କାହିଁକି ଘୋଷଣା କରାଯାଉ ନାହିଁ ଉତ୍ତରରେ ସମସ୍ତେ ଚୁପ୍ ରହୁଛନ୍ତି। ଏଭଳି ପରିସ୍ଥିତିରେ କରୋନାର କେଉଁ ପ୍ରଜାତି ପାଇଁ ରାଜ୍ୟରେ ଏତେ ସଂଖ୍ୟକ କୋଭିଡ ମୃତ୍ୟୁ ହେଲା ତାହା ମଧ୍ୟ ଅଜଣା ରହିଛି।

ଅପର କ୍ଷରେ ରାଜ୍ୟରେ କୋଭିଡ ମୃତକଙ୍କ ଅନୁକମ୍ପା ସହାୟତା ରାଶି ୧୨ହଜାର ଟପିଲାଣି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ୧୪,୨୦୩ ଜଣଙ୍କୁ କୋଭିଡ ଅନୁକମ୍ପା ରାଶି ପ୍ରଦାନ କରିବା ଲାଗି ସରକାରୀ ଅନୁମୋଦନ ମିଳିଛି। ତହିଁରୁ ବର୍ତମାନ ସୁଦ୍ଧା ୧୨,୩୪୨ ମୃତକଙ୍କ ପରିବାରକୁ କୋଭିଡ ଅନୁକମ୍ପା ରାଶି ପ୍ରଦାନ କରାଗଲାଣି। କୋଭିଡ ସହାୟତା ପାଇବା ପାଇଁ ୧୫ହଜାର ଆବେଦନ ପଡ଼ିଥିବା ବେଳେ ୩୬୫ ଆବେଦନ ପତ୍ରକୁ ଖାରଜ କରି ଦିଆଯାଇଛି। ମାତ୍ର ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ୩ଟି ଲହରରେ ୮୯୨୬ କୋଭିଡ ମୃତ୍ୟୁକୁ ଘୋଷଣା କରିଛନ୍ତି। ଆହୁରି ପ୍ରାୟ ୧୦୦ କୋଭିଡ ମୃତ୍ୟୁ ଘୋଷଣା ଅପେକ୍ଷାରେ ରହିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ତହିଁରେ ସର୍ବାଧିକ ଭୁବନେଶ୍ବର ଓ କଟକରୁ ରହିଛି। ରାଜ୍ୟ ସରକାର ଯେଉଁଭଳି ଢଙ୍ଗରେ ମୃତକଙ୍କ ସଂଖ୍ୟା ଘୋଷଣା କରୁଛନ୍ତି ଏହି ସଂଖ୍ୟା ଶେଷ ହେବାକୁ ଆଉ କିଛିଦିନ ଲାଗିପାରେ ବୋଲି ଆଲୋଚନା ହେଉଛି।

ରାଜ୍ୟରେ ଗତ ୨୪ଘଣ୍ଟାରେ ଦୈନିକ ସଂକ୍ରମଣରେ ୭ ପ୍ରତିଶତ ବୃଦ୍ଧି ହୋଇଛି। ଦିନକରେ ରାଜ୍ୟରେ ୯୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୮ବର୍ଷରୁ କମ୍ ୨୦୩ ପିଲା ରହିଛନ୍ତି। ଖୋର୍ଧାରୁ ସର୍ବାଧିକ ୧୫୯, ସୁନ୍ଦରଗଡ଼ ୮୮, କଟକ ୫୨, ଜଗତସିଂହପୁର ୫୦, କୋରାପୁଟ ୪୬, ଗଜପତି ୩୮, ସମ୍ବଲପୁର ୨୯ ଓ ଷ୍ଟେଟ୍‌ ପୁଲରୁ ୨୪ ଆକ୍ରାନ୍ତ ବାହାରିଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୭୯ହଜାର ୪୬କୁ ବୃଦ୍ଧି ପାଇଛି। ଏହାସହ ଆଜି ୨୨ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ନେଇ ସରକାରୀ ଘୋଷଣା ହୋଇଛି।

ସମ୍ବନ୍ଧିତ ଖବର