ନାକେଦମ୍ କରିବ ଜୁନ୍‌! ଯୋଦ୍ଧାଙ୍କୁ ବିପଦ

ଏମ୍‌ସର ୪ ଡାକ୍ତର ପଜିଟିଭ୍‌, ସଙ୍ଗରୋଧରେ ୧୦
ଅଗ୍ନିଶମ ବାହିନୀର ୧୨ କର୍ମଚାରୀଙ୍କୁ କରୋନା
ପଶ୍ଚିମବଙ୍ଗ ଯାଇଥିବା ୬୧ ଯବାନ ସଂକ୍ରମିତ
ଦିନକରେ ୧୪୬ ପଜିଟିଭ୍, ସୁସ୍ଥ ହେଲେ ୧୪୦

ଭୁବନେଶ୍ବର : ଚଳିତ ଜୁନ୍‌ ମାସରେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା, ପ୍ରଥମ ସପ୍ତାହରୁ ହିଁ ତାହାର ସଂକେତ ମିଳି ସାରିଲାଣି। ଗତ କିଛି ଦିନ ହେଲା କ୍ରମାଗତ ଭାବେ ପ୍ରତିଦିନ ଶହେରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ପୁଣି ଏବେ ୨/୩ଦିନ ହେଲା ଆଗଧାଡ଼ିରେ ରହି କରୋନା ମୁକାବିଲା କରୁଥିବା ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବାହିନୀ ଯବାନମାନେ ବହୁ ସଂଖ୍ୟାରେ ଆକ୍ରାନ୍ତ ହେବା ଚିନ୍ତାର କାରଣ ପାଲଟିଛି। ‘ଅମ୍ଫାନ୍’ ମୁକାବିଲା ପାଇଁ ପଶ୍ଚିମବଂଗ ଯାଇଥିବା ଅଗ୍ନିଶମ ବାହିନୀର ୧୨ କର୍ମଚାରୀଙ୍କୁ ମିଶାଇ ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବାହିନୀର ମୋଟ ୬୧ ଯବାନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ‌ଅନ୍ୟପକ୍ଷରେ ଆଜି ପୁଣି ଭୁବନେଶ୍ବର ଏମ୍‌ସର ୪ ଜଣ ଡାକ୍ତରଙ୍କ ସ୍ବାବ୍‌ ନମୁନା ପଜିଟିଭ୍ ଆସିଛି। ଏହା ସହିତ ଦିନକୁ ଦିନ ରାଜ୍ୟରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଚିତ୍ର ଆସିବାରେ ଲାଗିଥିବାରୁ ଚଳିତ ଜୁନ୍‌ ଆସିବ ନାକେଦମ୍‌ କରିବ ବୋଲି ଆଶଙ୍କା କରାଯାଉଛି। ତେବେ ଆଶ୍ବାସନାର ବିଷୟ ହେଉଛି, ପ୍ରତିଦିନ ଅନୁରୂପ ଭାବେ ଅନେକ ଆକ୍ରାନ୍ତ ସୁସ୍ଥ ମଧ୍ୟ ହେବାରେ ଲାଗିଛନ୍ତି ଏବଂ ଏଯାଏ ୩୧୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇ ସାରିଥିଲେ ମଧ୍ୟ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯ରେ ସୀମିତ ରହିଛି।

ଗତ ୨୪ ଘଣ୍ଟାରେ ରାଜ୍ୟର ୧୭ଟି ଜିଲ୍ଲାରୁ ୧୪୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୧୪୬ଜଣଙ୍କ ମଧ୍ୟରୁ ୧୨୭ଜଣ ସଙ୍ଗରୋଧ କେନ୍ଦ୍ର ରହି ଆକ୍ରାନ୍ତ ହୋଇଥିବା ବେଳେ ଅବଶିଷ୍ଟ ୧୯ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦ରେ ପହଞ୍ଚିଛି।

The Pioneer

ବାତ୍ୟା ଅମ୍ଫାନ ଦ୍ୱାରା କ୍ଷତିଗ୍ରସ୍ତ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ପୁନରୁଦ୍ଧାର କାମ କରି ଫେରିବା ପରେ ଗତକାଲି ୪୯ ଏନ୍‌ଡିଆର୍‌ଏଫ୍‌ ଯବାନ ପଜିଟିଭ୍‌ ଜଣାପଡ଼ିବା ପରେ ଆଜି ଅଗ୍ନିଶମ ବିଭାଗର ଆଉ ୧୨ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ଆସିଛି। ଏ ନେଇ ମଙ୍ଗଳବାର ଟ୍ୱିଟ୍ ଜରିଆରେ ଅଗ୍ନିଶମ ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଏମ୍‌ସର ୪ଜଣ ଡାକ୍ତର ଆଜି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତହିଁରେ ଜଣେ ଜୁନିଅର ମହିଳା ଡାକ୍ତର ରହିଥିବା ବେଳେ ଅନ୍ୟ ୩ଜଣ ବରିଷ୍ଠ ପୁରୁଷ ଡାକ୍ତର ରହିଛନ୍ତି।‌ ସେମାନଙ୍କୁ ଏମ୍‌ସ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଛି। ଏହା ପୂର୍ବରୁ ଜଣେ ମହିଳା ଡାକ୍ତର ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଅପରପକ୍ଷରେ ସଂପୃକ୍ତ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ୧୦ଜଣ ଡାକ୍ତରଙ୍କୁ ସଙ୍ଗରୋଧରେ ରହିବା ଲାଗି କୁହାଯାଇଛି। ପଜିଟିଭ୍ ଚିହ୍ନଟ ହୋଇଥିବା ୩ ପୁରୁଷ ଡାକ୍ତର ଭୁବନେଶ୍ୱରର ଆଇଗିଣିଆ ଅଞ୍ଚଳରେ ଶ୍ରୀକ୍ଷେତ୍ର ରେସିଡେନ୍‌ସିରେ ରହୁଥିଲେ। ସେହି ଅଞ୍ଚଳରେ ପୂର୍ବରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ସଂପୃକ୍ତ ଅଞ୍ଚଳକୁ ସଂକ୍ରମଣ ଅବରୋଧ ଅଞ୍ଚଳ ଭାବେ ‌ଘୋଷଣା କରାଯାଇଥିଲା। ତେବେ ଡର୍ମାଟୋଲୋଜି ବିଭାଗରୁ ଚିହ୍ନଟ ମହିଳା ଡାକ୍ତରଙ୍କ କୋଭିଡ ଡ୍ୟୁଟିରେ ନିୟୋଜିତ ହୋଇ ନଥିଲେ। ତେଣୁ ସେ କିଭଳି ସଂକ୍ରମିତ ହୋଇଛନ୍ତି, ତାହା ସ୍ପଷ୍ଟ ହୋଇ ହୋଇପାରିନାହିଁ।

Image Source–ndtv

ଇତିମଧ୍ୟରେ ରାଜ୍ୟରେ କେବଳ ୧୪ ଜଣ ଡାକ୍ତର ଆକ୍ରାନ୍ତ ହୋଇ ସାରିଲେଣି। ସେଥିରେ ଆରଜିଏଚ୍‌ର ୨ଜଣ ଡାକ୍ତର, କଟକ ସିଟି ହସ୍ପିଟାଲ, ଅନୁଗୁଳ, ଏମ୍‌ସର ଜୁନିଅର ମହିଳା ଡାକ୍ତର, ଏମ୍‌କେସିଜିର ୪ଜଣ ଡାକ୍ତର ଓ ୬ଜଣ ଷ୍ଟାଫ ନର୍ସ ଓ ନୟାଗଡ଼ରେ ଜଣେ ଡାକ୍ତର ଓ ଷ୍ଟାଫ ନର୍ସ ରହିଛନ୍ତି।

ଗତ ୨୪ ଘଣ୍ଟାରେ ଚିହ୍ନଟ ୧୪୬ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଧା ଜିଲ୍ଲାରୁ ୧୯ଜଣ ରହିଛନ୍ତି। ତହିଁରୁ ‌କେବଳ ଭୁବନେଶ୍ବରର ୪ଜଣ ବୋଲି ଜଣାପଡ଼ିଛି। ଏହାବାଦ୍ ଗଞ୍ଜାମ ୧୮, ଜଗତ୍‌ସିଂହପୁର ୮, ବାଲେଶ୍ବର ଓ ସୁନ୍ଦରଗଡ଼ ୭, ଦେବଗଡ଼ ୫, କଳାହାଣ୍ଡି, ମୟୂରଭଞ୍ଜ ଓ ନୟାଗଡ଼ରୁ ୩ଜଣ ଲେଖାଏଁ, କଟକ, କେନ୍ଦ୍ରାପଡ଼ା, କନ୍ଧମାଳ, କେନ୍ଦୁଝରରୁ ୨ଜଣ ଲେଖାଏଁ, ମାଲକାନଗିରି, ଢେଙ୍କାନାଳ, ବଲାଙ୍ଗୀର, ଯାଜପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ଆଜି ୧୪୦ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଏଥିରେ କଟକ ସର୍ବାଧିକ ୨୪ଜଣ ରହିଥିବା ବେଳେ ଗଞ୍ଜାମ ୨୨, ନୂଆପଡ଼ା ୨୧, ଯାଜପୁର, ଖୋର୍ଧା ଓ ଜଗତ୍‌ସିଂହପୁରରୁ ୧୧ଜଣ ଲେଖାଏଁ, ୮ ସୁନ୍ଦରଗଡ଼, ବଲାଙ୍ଗୀର ଓ ଭଦ୍ରକରୁ ୭ଜଣ ଲେଖାଏଁ, ଢେଙ୍କାନାଳ ୫, ବରଗଡ଼, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ ୩ଜଣ ଲେଖାଏଁ, ବାଲେଶ୍ବର ଓ ପୁରୀ ୨ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛି। ଫଳରେ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୨୧୩୩ରେ ପହଞ୍ଚିଛି। ରାଜ୍ୟରେ ଏବେ ୯୯୬ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି। ୯ଜଣ ବ୍ୟକ୍ତି କରୋନାରେ ପ୍ରାଣ ହରାଇଥିବା ବେଳେ ୨ଜଣ ଅନ୍ୟ ରୋଗରେ ପ୍ରାଣ ହରାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର