କୋଭିଡ୍‌-୧୯ ଲଢ଼େଇ ପାଇଁ ଗୋଷ୍ଠୀ ସଚେତନତା ଅସ୍ତ୍ର; ଗାଁ, ସହରରେ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରାଯିବ

ଭୁବନେଶ୍ବର : ରାଜ୍ୟରେ ଜୀବିକା ପାଇଁ ଅର୍ଥନୈତିକ କାର୍ଯ୍ୟକଳାପ ସହ କୋଭିଡ୍‌ ଲଢ଼େଇକୁ ଅଧିକ ଜୋର୍‌ଦାର ଓ ପ୍ରତିରୋଧାତ୍ମକ କରାଯିବ। ଏଥି ପାଇଁ ରାଜ୍ୟର ସମସ୍ତ ସହର ଓ ଗ୍ରାମାଞ୍ଚଳରେ ସୂଚନା ଓ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ଉପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗୁରୁତ୍ବାରୋପ କରିଛନ୍ତି। ଆଜି ଲୋକସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍‌ ସଚେତନତା ସମ୍ବନ୍ଧୀୟ କାର୍ଯ୍ୟର ଅଗ୍ରଗତିକୁ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଥିଲେ। ଲୋକମାନଙ୍କୁ ସର୍ବଦା ସଚେତନ ଓ ସତର୍କ ରଖିବା ପାଇଁ ଉଭୟ ଗ୍ରାମ ଓ ସହରାଞ୍ଚଳରେ ସଚେତନତା ଅଭିଯାନ ବ୍ୟାପକ କରିବା ନିମନ୍ତେ ସେ ସୂଚନା ଓ ଲୋକସମ୍ପର୍କ ବିଭାଗ, ପଞ୍ଚାୟତିରାଜ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ସପ୍ତାହକ ମଧ୍ୟରେ ଉଭୟ ଗ୍ରାମ ଓ ସହରାଞ୍ଚଳରେ ୱାର୍ଡସ୍ତରୀୟ କୋଭିଡ୍‌ କମିଟି ବୈଠକ ଆୟୋଜନ କରାଯିବ। ସଚେତନତା ପାଇଁ ମାଇକ୍ ପ୍ରଚାର, ସୋସିଆଲ ମିଡିଆ, ପୋଷ୍ଟର୍‌, ଟିଭି, ଖବରକାଗଜ, କମ୍ୟୁନିଟି ରେଡିଓ ଓ କାର୍ଟୁନ ସୋ’ ଆଦିର ବ୍ୟାପକ ବ୍ୟବହାର କରାଯିବ। ଏହି ସବୁ କାର୍ଯ୍ୟକ୍ରମରେ ସ୍ବୟଂ ସହାୟକ ଗୋଷ୍ଠୀ, ପଞ୍ଚାୟତ ପ୍ରତିନିଧି, କୃଷକ ଓ ଉତ୍ପାଦକ ସଂଘ, ବନ ସୁରକ୍ଷା‌ ସମିତି, ବିଦ୍ୟାଳୟ କମିଟି ଆଦିକୁ ସକ୍ରିୟ ଭାବେ ସଂପୃକ୍ତ କରାଯିବ। ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍ କମିସନର୍‌ ପ୍ରଦୀପ୍ତ କୁମାର ଜେନା, ମହିଳା ଓ ଶିଶୁ ବିକାଶ କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ କୁମାର ସିଂହ, ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଓ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର