ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୨ ହଜାର ଟପିଲା

ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ପଜିଟିଭ୍ ଓ ସୁସ୍ଥ

୭ ଜିଲ୍ଲାରେ ଶହେରୁ ଅଧିକ ସଂକ୍ରମିତ
ପ୍ରତି ୭୪ ନମୁନାରୁ ବାହାରୁଛି ଗୋଟିଏ ପଜିଟିଭ୍

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର ଟପିଛି। ଆଜି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୫୬ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ରାଜ୍ୟରେ ଏହି ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟି ୨୧୦୪ରେ ପହଞ୍ଚିଛି। ରାଜ୍ୟର ୭ଟି ଜିଲ୍ଲା‌ରେ ଶହେରୁ ଅଧିକ ପଜିଟିଭ୍‌ ରହିଥିବା ବେଳେ ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ କରୋନା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏବେ ରାଜ୍ୟରେ ମାତ୍ର ୭୪ଟି ନମୁନାରୁ ଜଣେ ପଜିଟିଭ୍‌ ଚିହ୍ନଟ କରାଯାଉଥିବା ଜଣାପଡ଼ିଛି।

ଗତ ୨୪ ଘଣ୍ଟାରେ ୧୯ଟି ଜିଲ୍ଲାରୁ ୧୫୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡ଼ାରେ ସର୍ବାଧିକ ୫୦, କଟକରେ ୨୦, ଗଞ୍ଜାମ ୧୭, ଜଗତସିଂହପୁର ୧୪, ଯାଜପୁର ୧୧, କନ୍ଧମାଳ ୯, ଭଦ୍ରକ ୭, ଖୋର୍ଧା, ନୟାଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ମୟୂରଭଞ୍ଜ, ବରଗଡ଼ ଓ ସୋନପୁରରୁ ୩ଜଣ ଲେଖାଏଁ, ସମ୍ବଲପୁର, ବଲାଙ୍ଗୀରରୁ ୨ଜଣ ଲେଖାଏଁ, ମାଲକାନଗିରି, ବୌଦ୍ଧ ଓ କେନ୍ଦୁଝରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ୧୫୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୩ଜଣ ସଙ୍ଗରୋଧ କେନ୍ଦ୍ର ଓ ୩ଜଣ ସ୍ଥାନୀୟ ଆକ୍ରାନ୍ତ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଶହେରୁ ଅଧିକ ସଂକ୍ରମିତ ଥିବା ୭ଟି ଜିଲ୍ଲା ରହିଛି। ଗଞ୍ଜାମରେ ସର୍ବାଧିକ ୪୩୧, ଯାଜପୁର ୨୮୦, ବାଲେଶ୍ବର ୧୫୨, ଖୋର୍ଧା ୧୪୧, କେନ୍ଦ୍ରାପଡ଼ା ୧୩୯, ଭଦ୍ରକ ଓ କଟକ ୧୨୦ ଲେଖାଏଁ ରହିଛି। ଶହେର ନିକଟତର ଥିବା ଜିଲ୍ଲା ମଧ୍ୟରେ ପୁରୀ ୯୧, ବଲାଙ୍ଗୀର(୮୨), ଜଗତସିଂହପୁର (୮୨) ରହିଛି। ରାଜ୍ୟର ମୋଟ ୨୯ଟି ଜିଲ୍ଲାରେ ଏବେ ସକ୍ରିୟ କରୋନା ରୋଗୀ ରହିଛନ୍ତି।

ଅପରପକ୍ଷରେ ଆଜି ରାଜ୍ୟରେ ରେକର୍ଡ ସଂଖ୍ୟ ୧୧୯ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଯାଜପୁରରେ ସର୍ବାଧିକ ୬୦, କଟକରେ ୧୩, କେନ୍ଦ୍ରାପଡ଼ା ୧୨, ୯ ଗଜପତି, ୬ ନୟାଗଡ଼ା, ୫ ସୁନ୍ଦରଗଡ଼, ବାଲେଶ୍ବର, ପୁରୀ ଓ ଖୋର୍ଧାରୁ ୩ ଲେଖାଏଁ, ଗଞ୍ଜାମ ଓ ବଲାଙ୍ଗୀରରୁ ୨ଜଣ ଲେଖାଏଁ ଓ ସମ୍ବଲପୁରରୁ ଜଣେ ରହିଛନ୍ତି। ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୨୪୫ରେ ପହଞ୍ଚିଛି। ୮୫୦ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି। ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ହାର ୫୯ ପ୍ରତିଶତ ରହିଛି।

ତେବେ ରାଜ୍ୟରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ କମ୍ କୋଭିଡ୍‌ ନମୁନାରେ ପଜିଟିଭ୍‌ ସଂଖ୍ୟାରେ ବୃଦ୍ଧି ଘଟିବା ଚିନ୍ତାର ବିଷୟ ପାଲଟିଛି। ଦେଢ଼ ମାସ ତଳେ ରାଜ୍ୟରେ ୨ଶହ ‌ନମୁନାରୁ ଗୋଟିଏ ପଜିଟିଭ୍ ବାହାରୁଥିବା ବେଳେ ଏବେ ୭୪ଟି ନମୁନାରୁ ଗୋଟିଏ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଝାରଖଣ୍ଡରେ ୧୦୪ ନମୁନା, ଆନ୍ଧ୍ରରେ ୧୦୧, କର୍ଣ୍ଣାଟକରେ ୯୧, ଆସାମରେ ୮୦ ନମୁନାରୁ ଗୋଟିଏ ପଜିଟିଭ୍ ବାହାରୁଥିବା ବେଳେ ରାଜ୍ୟରେ ଏହା ଖସି ଆସିଛି। ତେବେ ମହାରାଷ୍ଟ୍ର, ଗୁଜରାଟ, ବିହାର, ମଧ୍ୟପ୍ରଦେଶ ଓ ତାମିଲନାଡ଼ୁ‌‌ରେ ୭ରୁ ୨୨ଟି ନମୁନା ମଧ୍ୟରୁ ଗୋଟିଏ ପଜିଟିଭ୍ ବାହାରୁଛି।

ସମ୍ବନ୍ଧିତ ଖବର