୬ ପୁଲିସ ଜିଲ୍ଲାକୁ ଛୁଇଁଲାଣି କରୋନା : ପୁଲିସ୍‌କୁ ବିପଦ ପାଟ୍ରୋଲିଂ, ଗିରଫଦାରୀ

ସଂକ୍ରମିତଙ୍କ ସଂଖ୍ୟା ୨୩ରୁ ଅଧିକ

କଟକ : ସାଧାରଣ ଜନତାଙ୍କୁ ସୁରକ୍ଷା ଯୋଗାଉଥିବା ପୁଲିସ ଅଫିସର, କର୍ମଚାରୀ ଏବେ ଅଧିକ ଅସୁରକ୍ଷିତ ହୋଇପଡ଼ିଲେଣି। ମାତ୍ର ଦୁଇମାସ ଭିତରେ ୨୩ରୁ ଅଧିକ ପୁଲିସ ବାବୁ କରୋନାରେ ସଂକ୍ରମିତ ହେଲେଣି। ଟିଏମ୍‌ସି ବାହାରେ ପାଟ୍ରୋଲିଂ, ଅପରାଧୀଙ୍କୁ ଗିରଫଦାରୀ, ଚେକ୍‌ଗେଟରେ ଯାନବାହାନ ଯାଞ୍ଚ ଏବଂ ଲକ୍‌ଡାଉନ୍‌ ପାଇଁ ଛକବଜାରରେ ମୁତୟନ ହେବା ହିଁ କରୋନା ସଂକ୍ରମଣର ପ୍ରମୁଖ କାରଣ କୁହାଯାଉଛି। ବର୍ତ୍ତମାନ ସୁଦ୍ଧା କଟକ ଓ ଭୁବନେଶ୍ବର କମିସନରେଟ ପୁଲିସ ସମେତ କଟକ ଗ୍ରମାଞ୍ଚଳ ପୁଲିସ, ପୁରୀ, ମାଲକାନଗିରି, ଗଞ୍ଜାମକୁ ମିଶାଇ ୬ ପୁଲିସ ଜିଲ୍ଲାକୁ କରୋନା ଛୁଇଁସାରିଲାଣି। ଯେଭଳି ଦ୍ରୁତ ଗତିରେ ପୁଲିସ ବାବୁ ସଂକ୍ରମିତ ହେଲେଣି, ଆଗାମୀ ଦିନରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି।

ସୂଚନା ଅନୁଯାୟୀ, ପ୍ରଥମଥର ଓଡ଼ିଶା ପୁଲିସରେ ଭୁବନେଶ୍ବର କମିସନରେଟ୍ ପୁଲିସରେ ମେ ୧୯ ତାରିଖରେ ଜଣେ ଟ୍ରାଫିକ କନଷ୍ଟେବଳ କରୋନା ପିଜିଟିଭ ଚିହ୍ନଟ ହୋଇଥିଲେ। ସେବେଠାରୁ ସଂକ୍ରମଣ ଭୟ ମାଡ଼ିଗଲାଣି। ମେ ୨୭ ତାରିଖରେ ଗଞ୍ଜାମ ଜିଲ୍ଲା ପୋଲସରାର ଦୁଇ ହୋମଗାର୍ଡ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏମାନେ ଜଗନ୍ନାଥପୁର ରେଳଷ୍ଟେସନ ଏବଂ ଟିଏମ୍‌ସିରେ ନିୟୋଜିତ ହୋଇଥିବା ବେଳେ ସଂକ୍ରମିତ ହୋଇଥିଲେ। ମେ ୨୭ ତାରିଖରେ ପୁରୀ କୁମ୍ଭାରପଡ଼ା ଥାନା ପୁଲିସ ଯେଉଁ ଦୁର୍ବୃତ୍ତଙ୍କୁ ଧରିଥିଲା ତାର କରୋନା ପଜିଟିଭ ଚିହ୍ନଟ ପରେ କୁମ୍ଭାରପଡ଼ା ଥାନା ଆଇଆଇସିଙ୍କ ସମେତ ୩୦ ଜଣ ସଂଗରୋଧରେ ରହିଥିଲେ। କିନ୍ତୁ ପରେ ସେମାନଙ୍କ ନେଗେଟିଭ୍ ରିପୋର୍ଟ ଆସିଥିଲା। ଜୁନ ୧୩ ତାରିଖରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଜଣେ କରୋନା ପଜିଟିଭ ଥିବା ଦୁର୍ବୃତ୍ତକୁ ପୁଲିସ ଗିରଫ କରିବା ପରେ ୧୩ ପୁଲିସ ଅଫିସର ଓ କର୍ମଚାରୀଙ୍କୁ ସଂଗରୋଧରେ ପଠାଇ ଦିଆଯାଇଥିଲା। ଜୁନ ୯ ତାରିଖରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏବଂ ହୁମ୍ମା ଥାନା ଅଞ୍ଚଳରେ ଥିବା ଟିଏମ୍‌ସିରେ ପାଟ୍ରୋଲିଂ କରୁଥିବା ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ(ଓଏସ୍‌ଏସ୍‌ଏଫ୍)ର ଜଣେ ଯବାନ ସଂକ୍ରମିତ ହୋଇଥିଲେ। ଜୁନ୍‌ ୧୩ ତାରିଖରେ ଗଞ୍ଜାମ ଜିଲ୍ଲା ଛତ୍ରପୁରର ଦୁଇ ପୁଲିସ ଅଫିସର ଏବଂ ମାଲକାନଗିରିର ଜଣେ ପୁଲିସ ଅଫିସର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଜୁନ ୧୮ ତାରିଖରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନାର ଜଣେ ମହିଳା ପୁଲିସ ଏଏସ୍‌ଆଇ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଜଣେ କରୋନା ସଂକ୍ରମିତ ଅପରାଧୀଙ୍କ ସଂସ୍ପର୍ଶରେ ଆସିବା ପରେ ସମ୍ପୃକ୍ତ ଅଫିସର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

Times of India

ଜୁନ ୨୮ ତାରିଖରେ ଗଞ୍ଜାମ ପୁଲିସର ୪ ଜଣ ପୁଲିସ ସଂକ୍ରମିତ ହୋଇଥିଲେ। ଜୁନ ୨୭ ତାରିଖରେ କଟକ ଗ୍ରାମାଞ୍ଚଳ ପୁଲିସର ବଡ଼ମ୍ବା ଥାନା ଆଇଆଇସିଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିଲା। ଜୁନ ୨୯ ତାରିଖରେ ଆଠଗଡ଼ ଏସ୍‌ଡିପିଓଙ୍କ ସମେତ ତାଙ୍କ ଗାଡ଼ି ଡ୍ରାଇଭର, ବଡ଼ମ୍ବା ଥାନାର ଦୁଇ ଏସ୍‌ଆଇ, ଦୁଇ ଏଏସ୍‌ଆଇ ଚିହ୍ନଟ ହୋଇଥିବା ବେଳେ ୩୦ ତାରିଖରେ ବଡ଼ମ୍ବା ଥାନାର ଜଣେ କନଷ୍ଟେବଳ, ଦୁଇ ଏପିଆର୍ କନଷ୍ଟେବଳ ଚିହ୍ନଟ ହୋଇଥିଲେ। ସଂକ୍ରମଣ ବଢ଼ିବାରୁ ବଡ଼ମ୍ବା ଥାନା ସିଲ୍ କରାଯାଇଥିଲା। ମୋଟ ୧୦ ଜଣ ଚିହ୍ନଟ ହୋଇଥିଲେ। ଶେଷରେ କଟକ କମିସନରେଟ୍‌ର ବଡ଼ ମେଡିକାଲ୍ ଫାଣ୍ଡିର ଜଣେ ପୁଲିସ କନଷ୍ଟେବଳ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଭଳି ସ୍ଥିତିରେ କଟକ କମିସନରେଟ୍ ପୁଲିସ ସମେତ ଓଡ଼ିଶା ପୁଲିସ ବିଭାଗ ଜିଲ୍ଲା ପୁଲିସକୁ ପିପିଇ(ପର୍ସନାଲ୍ ପ୍ରୋଟେକ୍ଟିଭ୍ ଇକ୍ୟୁପମେଣ୍ଟ), ସାନିଟାଇଜର୍, ମାସ୍କ୍‌ ଯୋଗାଇଥିଲେ ସୁଦ୍ଧା ଗୋଟିକ ପରେ ଗୋଟିଏ ପୁଲିସ କର୍ମଚାରୀ ସଂକ୍ରମିତ ହେବାକୁ ଲାଗିଲେଣି। ପ୍ରତ୍ୟେକ ଥାନାକୁ ୫ଟି ଲେଖାଏ ପିପିଇ(ପର୍ସନାଲ ପ୍ରୋଟେକ୍ଟିଭ୍ ଇକ୍ୟୁପମେଣ୍ଟ) ଯୋଗାଇ ଦିଆଯାଇଛି। ଡ୍ରାଇଭରଙ୍କୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ପୁଲିସ କର୍ମଚାରୀ ଅଭିଯୁକ୍ତ ଧରିବା କିମ୍ବା ଚଢ଼ାଉ କରିବାକୁ ଯିବା ସମୟରେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା କଟକ କମିସନରେଟର ମଙ୍ଗଳାବାଗ ଫାଣ୍ଡିରେ ଜଣେ ପୁଲିସ କନଷ୍ଟେବଳ ଗୁରୁବାର କରୋନା ପିଜିଟିଭ୍ ଚିହ୍ନଟ ପରେ ଅଫିସର ଓ କର୍ମଚାରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।

ପିପିଇ କିଟ୍ ପିନ୍ଧି ପୁଲିସ ଅଫିସର ଅପରାଧୀଙ୍କୁ ଧରିବା ସହଜ ହେଉ ନଥିବାରୁ ସଂକ୍ରମଣ ଆଶଙ୍କା ବଢ଼ିଯାଇଛି। ତେବେ ଯାନବାହାନ ଯାଞ୍ଚ ପ୍ରକ୍ରିୟା ଏବଂ ଟିଏମ୍‌ସି ବାହାରେ ପାଟ୍ରୋଲିଂ କମିସନରେଟ୍ ପୁଲିସକୁ ବାଦ୍ ଦେଲେ ଅନ୍ୟ ସବୁ ପୁଲିସ ଜିଲ୍ଲାରେ ଜାରି ରହିଥିବାରୁ ସଂକ୍ରମଣ ଅଧିକ ବଢ଼ୁଥିବା ଅଭିଯୋଗ ହେଉଛି। ଏଥିପ୍ରତି ସତର୍କ ନ ରହିଲେ ପରିସ୍ଥିତି ଅଣାୟତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର