ରାଜ୍ୟରେ ବଢ଼ୁଛି କରୋନା ମୃତ୍ୟୁ

ଗଞ୍ଜାମ ଓ ଯାଜପୁରରେ ଆଉ ୨ ଜଣଙ୍କ ମୃତ୍ୟୁ
ଗଞ୍ଜାମରେ ୪ ଦିନରେ ୪ କରୋନା ଯୋଦ୍ଧା ମୃତ
ଦିନକରେ ୪୫୬ ଚିହ୍ନଟ, ୨୬୨ ରୋଗୀ ସୁସ୍ଥ
ଖୋର୍ଧା ଜିଲ୍ଲା ୧ ହଜାରର ନିକଟତର

ଭୁବନେଶ୍ବର : ଜୁଲାଇ ମାସରେ କରୋନା କଲବଲ କଲାଣି। ପରିସ୍ଥିତି ଏପରି ହେଲାଣି ଯେ ଗତ ୬ ଦିନରେ ରାଜ୍ୟରେ ୨୧୭୨ ଜଣ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ପ୍ରତ୍ୟେକ ଦିନ ଡରାଇବା ଭଳି ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଜୁନ୍ ମାସରୁ ଧୀରେଧୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଥିବା ବେଳେ ଜୁଲାଇର ପ୍ରତ୍ୟେକ ଦିନ ମୃତ୍ୟୁ ଘୋଷଣା ହେଉଛି। କରୋନାରେ ଏବେ କମ୍ ବୟସର ରୋଗୀଙ୍କ ମୃତ୍ୟୁ ହେଉଥିବାରୁ ଏହା ଚିନ୍ତାର କାରଣ ପାଲଟିଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୫୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ରୋଗୀ ରହିଛନ୍ତି। ଲଗାତାର ଦୁଇଦିନ ଧରି ଜିଲ୍ଲାରେ ଶହେରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି। ଫଳରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଏବେ ୯୫୨୬ରେ ପହଞ୍ଚିଛି। ଯଦିଓ ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ବଢ଼ିଛି, ତଥାପି ଏବେ ବି ୨୯୯୨ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାର ଜଣେ ୭୭ ବର୍ଷର ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧ରେ ପହଞ୍ଚିଛି।

Pratidin Time

ଏହାସହ ଗତ କିଛିଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୪ଜଣ କରୋନା ଯୋଦ୍ଧା ପ୍ରାଣ ହରାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ବୁଗୁଡ଼ା ବ୍ଲକ୍ ଅଧୀନ ଖୋଲାଖଳି ଗାଁର ଅଙ୍ଗନବାଡ଼ି କର୍ମୀ ଭାରତୀ ସ୍ବାଇଁ, କବିସୂର୍ଯ୍ୟନଗର ବ୍ଲକ୍‌ର ଏସ୍‌.ପଙ୍କଳବାଡ଼ି ପ୍ରାଥମିକ ସ୍କୁଲରରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ(ଚୁକ୍ତିଭିତ୍ତିକ) ସୀମାଞ୍ଚଳ ଶତପଥୀ, ଆସ୍କା ବ୍ଲକ୍‌ର କେ.ରାଇସିଙ୍ଗି ଉ.ପ୍ରା ସ୍କୁଲର ଶିକ୍ଷକ ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଧାରାକୋଟ ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ପି. ସୁରେଶ କୁମାରଙ୍କ କରୋନାରେ ମୃତ୍ୟୁ ହୋଇଛି। ସେହିପରି ଯାଜପୁର ଜିଲ୍ଲାର ୬୪ବର୍ଷର ମଧୁମେହରେ ପୀଡ଼ିତ ଥିବା ବ୍ୟକ୍ତି ମଧ୍ୟ କରୋନାର ଶିକାର ହୋଇଛନ୍ତି। ରାଜ୍ୟରେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮ରେ ପ‌ହଞ୍ଚିଥିବା ବେଳେ ଅଣ କୋଭିଡ ମୃତ୍ୟୁ ସଂଖ୍ୟା ୧୦ ଛୁଇଁଛି।

ଆଜି ଗଞ୍ଜାମ ଜିଲ୍ଲାରେ ୧୬୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୨୭ଜଣ କରୋନା ଯୋଦ୍ଧା ରହିଛନ୍ତି। ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୨୩୪୮ରେ ପହଞ୍ଚିଛି। ସେହିପରି ଯାଜପୁରରେ ୫୭, ବରଗଡ଼ ୩୩, ଜଗତସିଂହପୁର ୨୩, ସୁନ୍ଦରଗଡ଼ ୨୦, ଖୋର୍ଧାରେ ୨୧ଜଣ ରୋଗୀ ଚିହ୍ନଟ ହେବା ପରେ ସଂଖ୍ୟା ୯୯୨ରେ ପହଞ୍ଚିଛି। ନବରଙ୍ଗପୁର ୨୪, ସମ୍ବଲପୁର ୧୫, ବାଲେଶ୍ବର ୧୪, ରାୟଗଡ଼ା ଓ କଟକ ୧୩, ଭଦ୍ରକ ୧୨, କୋରାପୁଟ ୧୦, ମୟୂରଭଞ୍ଜ ୮, ବଲାଙ୍ଗୀର ୬, କେନ୍ଦ୍ରାପଡ଼ା ୫, ନୟାଗଡ଼ ୪, ପୁରୀ, କନ୍ଧମାଳରୁ ୩ଜଣ ଲେଖାଏ, କେନ୍ଦୁଝର ୨, ଗଜପତି, ଅନୁଗୁଳ, ଢେଙ୍କାନାଳ ଓ କଳାହାଣ୍ଡିରୁ ଜଣେ‌ ଲେଖାଏଁ ଚିହ୍ନଟ ହୋଇଛନ୍ତି। ୩୦୯ଜଣ ସଙ୍ଗରୋଧ କେନ୍ଦ୍ରରୁ ୧୪୭ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦିଆଯାଇଛି।

ଅପରପକ୍ଷରେ ଆଜି ୨୬୨ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ହାର ୬୮ପ୍ରତିଶତ ରହିଛି। ଏଥିରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୭୩, ଗଜପତି ୪୯, ଜଗତସିଂହପୁର ୨୫, ରାୟଗଡ଼ା ୧୬, କଟକ ୧୫, ବରଗଡ଼ ୧୪, ଖୋର୍ଧା ୧୩, ଭଦ୍ରକ ଓ ପୁରୀ ୧୨ଜଣ ଲେଖାଏଁ, କେନ୍ଦ୍ରାପଡ଼ା ୮, ଯାଜପୁର, ସୁନ୍ଦରଗଡ଼ରୁ ୪ଜଣ ଲେଖାଏଁ, ଅନୁଗୁଳ, ନୟାଗଡ଼, ନବରଙ୍ଗପୁର ଓ ବାଲେଶ୍ବର ୩ଜଣ ଲେଖାଏଁ, ବୌଦ୍ଧ, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ରହିଛନ୍ତି। ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୬୪୮୬‌ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର